ପୃଷ୍ଠା:Aama Madhusudan.pdf/୧୭୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଧ୍ୟ ଏହାର ପାଳନର କୌଣସି ଆବଶ୍ୟକତା ନଥିଲା । ଏଥିରୁ ଓଡ଼ିଆ ପ୍ରାଦେଶିକତା କିପରି ଦୁର୍ବଳ ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ, ସହଜେ ତାହା ଅନୁମେୟ ।
'ଓଡ଼ିଶା ଦିବସ' ବର୍ତ୍ତମାନ ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାମାନଙ୍କରେ ପାଳନ କରାଯାଉଛି । ଅଥଚ ଗୋଟିଏ କିମ୍ବା ଦୁଇଟି ଜିଲ୍ଲାକୁ ଛାଡ଼ିଦେଲେ, ସଦର ମହକୁମାରେ ଓଡ଼ିଶା ପ୍ରଦେଶ ପ୍ରତିଷ୍ଠାତାଙ୍କର ପ୍ରତିମୂର୍ତ୍ତିି ନାହିଁ । ଏହା ହିଁ ଓଡ଼ିଶା ଦିବସ ପାଳନର ତୀବ୍ର ବିରୋଧାଭାସ । ବହୁ ଆକୁଳ ନିବେଦନ, ବିକଳ ଆବେଦନ ତଥା ପଦାଙ୍କ ଅନୁସରଣ ପରେ ୧୯୯୮ ସାଲରେ ନୁହେଁ, ପରବର୍ତ୍ତୀ ବର୍ଷ ୧୯୯୯ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ମଧୁସୂଦନଙ୍କର ଦେଢ଼ଶହ ବର୍ଷ ଜୟନ୍ତୀ ବିନା ଅର୍ଥ ସଂଯୋଜନାରେ ପାଳନ କରାଗଲା । ଅଥଚ ଓଡ଼ିଶା ପ୍ରଦେଶର ଅର୍ଦ୍ଧେକ ଭୂମିଭାଗ, ମଧୁସୂଦନଙ୍କର, ଓଡ଼ିଶାର ଜନସାଧାରଣଙ୍କ ଲାଗି ପ୍ରତିଶ୍ରୁତିବଦ୍ଧତାର ଦାନ । ମଧୁସୂଦନଙ୍କର ଦେଢ଼ଶହ ବର୍ଷ ଜୟନ୍ତୀ ପାଳନ ଅବସରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଓଡ଼ିଶାର ତିରିଶି ଗୋଟି ଜିଲ୍ଲାରେ ୩୦ ଗୋଟି ପୂର୍ଣ୍ଣାଙ୍ଗ ଅଥବା ଆବକ୍ଷ ପ୍ରତିମୂର୍ତ୍ତିି ପାଇଁ ୩୫ ଲକ୍ଷ ଟଙ୍କାର ନିର୍ମାଣ ବ୍ୟବସ୍ଥା ରହିଥିଲା, ତାହା ପ୍ରଶାସନର ତୁଙ୍ଗ ଅଧିକାରୀଙ୍କ ଅନାଗ୍ରହତାଯୋଗୁଁ ରୂପାୟିତ ହୋଇ ପାରିଲା ନାହିଁ କି ମଧୁସୂଦନଙ୍କର ବାସଭବନ 'ମଧୁସ୍ମୃତି' ଜାତୀୟ ସ୍ମାରକୀରେ ପରିଣତ ହୋଇ ପାରିଲା ନାହିଁ । ତେଣୁ ଓଡ଼ିଶାର ପ୍ରଶାସନପାଇଁ ମଧୁସୂଦନ ଚିରକାଳ ଲାଗି ରହିଗଲେ ଅପାଙ୍‍‌କ୍ତେୟ, ଅବାଞ୍ଛିତ ଆଉ ଅନନୁଗ୍ରହୀତ ଅଥଚ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପାଇଁ ମଧୁସୂଦନ ଥିଲେ ଟଲଷ୍ଟୟଙ୍କ ପରି ଅନ୍ୟତମ ମହାନ ମାର୍ଗଦର୍ଶକ ।