ପୃଷ୍ଠା:Aama Madhusudan.pdf/୨୦୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗାନ୍ଧିଜୀଙ୍କ ଉପରେ ମଧୁସୂଦନଙ୍କ ପ୍ରଭାବ


୧୯.୮.୧୯୨୫ତାରିଖ, ଭାଦ୍ରବର ଏକ କାନ୍ତ କମନୀୟ ଶୁଭ୍ର ସକାଳ । କଟକ ରେଲ୍‌ୱେ ଷ୍ଟେସନର ସେପାରିରେ ଉତ୍କଳ ଟ୍ୟାନେରି ସମ୍ମୁଖସ୍ଥ ସୁବିସ୍ତୀର୍ଣ୍ଣ ବନରାଜି ପରିବେଷ୍ଟିତ ପ୍ରାନ୍ତରରେ ସଜ୍ଜିତ ହୋଇ ରହିଛି ମହାତ୍ମାଗାନ୍ଧୀଙ୍କ ପାଇଁ ଭବ୍ୟ ଅଭ୍ୟର୍ଥନା ମଣ୍ଡପ । ଶ୍ୱେତ ଖଦୀ ଆଚ୍ଛାଦିତ ମଣ୍ଡପ ଉପରେ ଶୋଭା ପାଉଛି ଘନ ଉଜ୍ୱଳ ବାଦାମୀ ରଂଗର ମହାବଳ ବାଘର ସୁଦୃଶ୍ୟ ଛାଲ । ଆଉ ମଣ୍ଡପ ପଶ୍ଚାତରେ ରହିଛି ଉତ୍କଳ ଟ୍ୟାନେରିରେ ପ୍ରସ୍ତୁତ ଚମଡ଼ାରେ ତିଆରି ହସ୍ତକଳା ନୈପୁଣ୍ୟର କୃତି ସବୁ । ହଠାତ୍ ଆସି ପହଞ୍ଚିଲେ ମହାତ୍ମାଗାନ୍ଧୀ, ଯାହାଙ୍କୁ ବାଟ କଢ଼େଇ ନେଉଥିଲେ କୁଳବୃଦ୍ଧ ମଧୁସୂଦନ ଦାସ । ସେମାନଙ୍କ ପଛରେ ଅନୁଧାବନ କରୁଥିଲେ ସତୀଶ ଚନ୍ଦ୍ର ଦାସଗୁପ୍ତ, ରଂଗଲାଲ୍ ମୋଦି ଆଉ ମହାଦେବ ଦେଶାଇ । ମହାତ୍ମାଗାନ୍ଧୀ ଆସି ପହଞ୍ଚିଲେ ଅଭ୍ୟର୍ଥନା ମଣ୍ଡପ ସମ୍ମୁଖରେ । ଘନ ଚୁମ୍ବକୀୟ ଆକର୍ଷଣରେ ଟାଣି ହୋଇଗଲା ପରି ତାହାଙ୍କର ଚକ୍ଷୁ ସ୍ୱତଃ ଆକର୍ଷିତ ହୋଇଗଲା ମଣ୍ଡପରେ ସଜ୍ଜିତ ଘନ, ଗାଢ଼ ରଂଗର ବର୍ଣ୍ଣିଳ ବାଘ ଛାଲର ଝଲସା ଆସ୍ତରଣ ଉପରେ । ତାହାଙ୍କର ଆଖି ଉଜ୍ଜଳି ଉଠିଲା । କେଡ଼େ ଜୀବନ୍ତଥିଲା, ସେହି କୃତ୍ରିମ ମୁଣ୍ଡଲଗା ଅନନ୍ୟ ବାଘ ଛାଲଟି । ସତେ ଯେପରି ତାହା ତଡ଼ିତ୍ ବେଗରେ ଲମ୍ଫ ଦେବାକୁ ଉଦ୍ୟତ ହେଉଛି । ଗାନ୍ଧିଜୀ ହତଚକିତ ଆଉ ଆଚମ୍ବିତ ହେଲେ । କିଛିକାଳ ଲାଗି ସମ୍ମୋହିତ ହୋଇ ଚାହିଁ ରହିଲେ । କ୍ଷଣକ ପରେ ପ୍ରକୃତିସ୍ଥ ହେଲେ । ପୁଣି ଥରେ ନିରେଖି ଚାହିଁଲେ । ଏ କଣ ? ତାହାଙ୍କର ସ୍ୱପ୍ନର ଭାରତ ଲାଗି ଏକମାତ୍ର ଅବଲମ୍ବନ, ଖଦୀର ବସ୍ତ୍ର ଉପରେ ରହିଛି ମହାବଳ ବାଘର ଅପରୂପ ଛାଲଟି । ସତେ ଏହା କଣ ଖଦୀ ବସ୍ତ୍ର ପ୍ରତି ଅବମାନନା ନୁହେଁ ? ସେ ହଠାତ୍ କହିପକାଇଲେ, ମିଷ୍ଟର ଦାସ ! ଭାରତର ଜାତୀୟତାର ଏକମାତ୍ର ଆଶ୍ରୟ ଖଦୀ ବସ୍ତ୍ର ଉପରେ ସଜ୍ଜିତ ହୋଇ ରହିଛି ମହାବଳ ବାଘର ଛାଲ । ଏମିତି କାହିଁକି ? ପ୍ରତ୍ୟୁତ୍ପନ୍ନମତି ମଧୁସୂଦନ ତତ୍‌କ୍ଷଣାତ୍ ବୁଝିନେଲେ ମହାତ୍ମାଗାନ୍ଧୀଙ୍କର ଅଭିମାନଭରା ଛଳଛଳ ଅଭିବ୍ୟକ୍ତିକୁ । ସେ ସଂଗେସଂଗେ କହିଉଠିଲେ- ହଁ, ସମଗ୍ର ଭାରତୀୟ ସମାଜର ମୁକ୍ତିର ଆଧାର ହେଉଛି ଚରଖା ଆଉ ଖଦୀ ବସ୍ତ୍ର । ମାତ୍ର ସ୍ୱଳ୍ପବସ୍ତ୍ର

୨୦୮ ଆମ ମଧୁସୂଦନ