ଲର୍ଡ କର୍ଜନଙ୍କ ସହିତ ମଧୁସୂଦନଙ୍କ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ସାକ୍ଷାତ ହେଲା ।
କର୍ଜନଙ୍କ ସମ୍ମୁଖରେ ମଧୁସୂଦନ ଉପସ୍ଥାପନ କରିଥିଲେ ବିଖଣ୍ଡିତ ଓଡ଼ିଆ ଜାତିର ମର୍ମଭେଦୀ
କଷଣ ଓ ନିବେଦନ କରିଥିଲେ ଓଡ଼ିଆଭାଷୀ ଅଞ୍ଚଳର ମିଶ୍ରଣ ସହିତ ସମ୍ବଲପୁରରେ ଓଡ଼ିଆ
ଭାଷାର ପ୍ରଚଳନ ଲାଗି ବ୍ୟଥାଭରା ଆବେଦନ । ପ୍ରାଣୋଚ୍ଛ୍ୱଳ ଭାଷାବିନ୍ୟାସର ନିର୍ଝର ମଧ୍ୟରେ
ସମ୍ମୋହିତ ଲର୍ଡ କର୍ଜନ, ମଧୁସୂଦନଙ୍କ ମାର୍ମିକ କଣ୍ଠର ଭାଷାରେ ଯେପରି ଓଲଟାଇ ଚାଲିଥିଲେ
ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଶାର ଗୌରବମୟ ଅଧ୍ୟାୟ ସବୁ, ଯହିଁରେ ଓଡ଼ିଆ ଜାତିର ଦୁର୍ନିବାର
ଜୈତ୍ର ଅଭିଯାନ, ଅପରୂପ କଳା ଭାସ୍କର୍ଯ୍ୟ ସମ୍ବଳିତ କୀର୍ତ୍ତି ସମ୍ଭାର ଆଉ ଦରିଆପାରି ଉପନିବେଶର
ବର୍ଣ୍ଣାଢ଼୍ୟ ବିପଣୀର ବିବରଣୀ, ବର୍ଣ୍ଣନା ହୋଇଥିଲା ଅତ୍ୟନ୍ତ ପ୍ରାଣବନ୍ତ ଆଉ ମର୍ମସ୍ପର୍ଶୀ ଭାଷାରେ ।
ବିହ୍ୱଳିତ ହୋଇ ଲର୍ଡ କର୍ଜନ ମଧୁସୂଦନଙ୍କୁ କହିଥିଲେ, "ଓଡ଼ିଆ ଜାତି ନିଜକୁ ଅତ୍ୟନ୍ତ ଭାଗ୍ୟଶାଳୀ
ମନେ କରିବା ଉଚିତ ଯେ ତାହାକୁ ଆପଣଙ୍କ ଭଳି ଜଣେ ବିଦ୍ବତ୍ତାସମ୍ପନ୍ନ ନେତା ପ୍ରତିନିଧିତ୍ୱ
କରୁଛନ୍ତି ।" ପରିଶେଷରେ ମଧୁସୂଦନ ତାଙ୍କୁ ଆମନ୍ତ୍ରଣ କରିଥିଲେ ଓଡ଼ିଶାର ମନ୍ଦିରମାଳିନୀ ନଗରୀ
ପୁରୀ ଓ ଭୁବନେଶ୍ୱର ପରିଦର୍ଶନ କରିବାପାଇଁ, ଯାହା ସେହିବର୍ଷ ରେଳ ଲାଇନ୍ଦ୍ୱାରା କଲିକତା
ସହିତ ସଂଯୁକ୍ତ ହୋଇଥିଲା । ଲର୍ଡ କର୍ଜନ ମଧୁସୂଦନଙ୍କ ନିମନ୍ତ୍ରଣକୁ ସ୍ୱୀକାର କରିଥିଲେ ଆଉ
ନଭେମ୍ବର ମାସରେ ପ୍ରକାଶିତ ପରିବର୍ତ୍ତିତ ବଡ଼ଲାଟଙ୍କ ଗସ୍ତ କାର୍ଯ୍ୟସୂଚୀରେ ରାଜମହେନ୍ଦ୍ରୀଠାରୁ
ପ୍ରତ୍ୟାବର୍ତ୍ତନ ପଥରେ ପୁରୀ ଓ ଭୁବନେଶ୍ୱର ପରିଦର୍ଶନ କାର୍ଯ୍ୟକ୍ରମ ସଂଯୋଜିତ ହୋଇଥିଲା ।
ଏହି ରେଳ ଲାଇନ ଲାଗି ଜମି ଅଧିଗ୍ରହଣ ଓ ସଂଯୋଜନା କ୍ଷେତ୍ରରେ ମଧୁସୂଦନଙ୍କ ଭୂମିକା ଥିଲା
ଅବିସ୍ମରଣୀୟ ।
ଲର୍ଡ କର୍ଜନ ପ୍ରକୃତରେ ୧୯୦୦ ସାଲ ଡିସେମ୍ବର ୧୩ ତାରିଖରେ ରେଳରେ ମାନ୍ଦ୍ରାଜ ପରିତ୍ୟାଗ କରି ୧୪ ତାରିଖରେ ରାଜମହେନ୍ଦ୍ରୀଠାରେ ଗୋଦାବରୀର ସୁବୃହତ୍ ପୋଲ ଉଦ୍ଘାଟନ କରି ୧୫ ତାରିଖରେ ସୁରୂପା ଚିଲିକା କୂଳସ୍ଥ ରମ୍ଭା ପ୍ରାସାଦ ପରିଦର୍ଶନ କରି ୧୬ ତାରିଖ
ମଧ୍ୟାହ୍ନରେ ପୁରୀଠାରେ ପହଞ୍ଚିଥିଲେ । ଏହି ପରିଦର୍ଶନ ସଂପର୍କରେ ୨୨.୧୨.୧୯୦୦ରେ
ପ୍ରକାଶିତ ଉତ୍କଳ ଦୀପିକାରେ ସୁବିସ୍ତୃତ ବିବରଣୀ ସ୍ଥାନ ପାଇଥିଲା । ସେହି ସଂପୂର୍ଣ୍ଣ ଲେଖାଟି
ପାଠକଙ୍କର ଆଗ୍ରହ ଚରିତାର୍ଥ କରିବାପାଇଁ ଉପସ୍ଥାପନ କରାଗଲା ।
ପୁରୀ
ଏହି ଆଶାତୀତ ସୌଭାଗ୍ୟ ରବିବାର ଶୁଭ ସଂଯୋଗରେ ସଂଘଟିତ ଥିଲା । ଉତ୍କଳବାସୀମାନେ ସ୍ୱଦେଶରେ ଭାରତର ମହାମାନ୍ୟ ଭାରତେଶ୍ୱରୀଙ୍କର ଭାରତ ପ୍ରତିନିଧିଙ୍କୁ ଦର୍ଶନ କରି କୃତାର୍ଥ ହେଲେ । ମହାମାନ୍ୟ ମହୋଦୟଙ୍କର ଯଥୋଚିତ ସମ୍ମାନ କରିବାକୁ ଗରିବ ପୁରୀବାସୀମାନେ ଅକ୍ଷମ ଥିବାର ଅନୁଭବ କରି ସୁଦ୍ଧା ସାଧ୍ୟାନୁସାରେ ରାଜାଙ୍କର ଅଭ୍ୟର୍ଥନା କରିବା କାରଣ ଯତ୍ନବାନ ହୋଇଥିଲେ ଏବଂ ପୁରୀର ରାଜା ଏବଂ ତାହାର ପରାମର୍ଶଦାତାମାନେ ତହିଁରେ ଆଗ୍ରହର ସହିତ
ଯୋଗଦାନ କରିଥିଲେ । ଜିଲ୍ଲାର କଲେକ୍ଟରଙ୍କଠାରୁ ସାମାନ୍ୟ କର୍ମଚାରୀ ପର୍ଯ୍ୟନ୍ତ ସରକାରୀ ଲୋକ,
ପୃଷ୍ଠା:Aama Madhusudan.pdf/୨୫୦
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆମ ମଧୁସୂଦନ ୨୫୧