ପୃଷ୍ଠା:Odisha Rajanitira Itihasa.pdf/୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପଣ୍ଡିତ ନେହେରୁ କଟକ, ପୁରୀ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ବିରାଟ ବିରାଟ ନିର୍ବାଚନୀ ସଭାରେ ଭାଷଣ ଦେଇ କହିଲେ, "କଂଗ୍ରେସ ଦେଶର ସ୍ୱାଧୀନତା ପାଇଁ ଲଢେ଼ଇ କରୁଛି । ରାଜା ଜମିଦାରମାନେ ଇଂରେଜ ସରକାରର ବୋଲକରା ହୋଇ କାର୍ଯ୍ୟ କରୁଛନ୍ତି । ସେମାନଙ୍କୁ ଭୋଟ ନ ଦେଇ କଂଗ୍ରେସକୁ ଭୋଟ ଦିଅନ୍ତୁ ।" ପଣ୍ଡିତ ନେହେରୁ କଟକ ଜିଲ୍ଲାର ଜଗତସିଂହପୁର, ବିରିଡି, କେନ୍ଦ୍ରାପଡ଼ା, ସାଲେପୁର, ବହୁଗ୍ରାମ ଓ ଚାନ୍ଦୋଳ ଆଦି ସ୍ଥାନରେ ଅନୁଷ୍ଠିତ ସଭାମାନଙ୍କରେ ଭାଷଣ ଦେଲେ । ଲୋକେ ପଣ୍ଡିତ ନେହେରୁଙ୍କ ଭାଷଣରେ ପ୍ରଭାବିତ ହେଲେ ।

ନିର୍ବାଚନପାଇଁ ଉଦ୍ଦିଷ୍ଟ ୫୬ଟି ଆସନରୁ କଂଗ୍ରେସ ଦଳ ୩୬ଟି ଆସନ ଲାଭ କରି ବିଧାନସଭାରେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବରେ ବିବେଚିତ ହେଲା । ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ଇଉନାଇଟେଡ୍‍ ପାର୍ଟିର ୩୨ ଜଣଙ୍କ ମଧ୍ୟରୁ ମାତ୍ର ଛ'ଜଣ ଓ ଖଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ନ୍ୟାସନାଲ ପାର୍ଟିର ୧୯ ଜଣଙ୍କ ମଧ୍ୟରୁ ମାତ୍ର ଚାରିଜଣ ପ୍ରାର୍ଥୀ ଜିତିଲେ । ମୁସଲିମ୍‍ ଲିଗ୍‍ର ମଧ୍ୟ ଚାରିଜଣ ପ୍ରାର୍ଥୀ ଜିତିଲେ । ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଦଳ ଓ ଅନ୍ୟାନ୍ୟ ଦଳରୁ ସମୁଦାୟ ଛଅ ଜଣ ପ୍ରାର୍ଥୀ ଜିତିଲେ । ବିଧାନସଭା ନିର୍ବାଚନ ପରେ ପୂର୍ବ ଯାଜପୁର ସଂରକ୍ଷିତ ଆସନରୁ ବିଜୟ ଲାଭ କରିିଥିବା କଂଗ୍ରେସ ପ୍ରାର୍ଥୀ ବୀର କିଶୋର ବେହେରା କଂଗ୍ରେସ ଦଳ ଛାଡ଼ି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିଷ୍ଠିତ ସ୍ୱାଧୀନ ପାର୍ଟିରେ ଯୋଗଦେଲେ । ଏହାର କାରଣ ସମ୍ପର୍କରେ କୌଣସି ତ‌ଥ୍ୟ ଜଣାପଡୁନାହିଁ । ଏହା ହେଉଛି ଓଡ଼ିଶା ରାଜନୀତିରେ ପ୍ରଥମ ଦଳ ବଦଳ ଘଟଣା ।

ସେହି ସମୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ପଣ୍ଡିତ ନୀଳକଣ୍ଠ ଦାସ ଥାଆନ୍ତି କେନ୍ଦ୍ର ବ୍ୟବସ୍ଥାପକ ସଭାରେ ଓଡ଼ିଶାର ମନୋନୀତ ସଭ୍ୟ । ପ୍ରକୃତରେ ତାଙ୍କ ଉଦ୍ୟମରେ କଂଗ୍ରେସ ଦଳ ଅଧିକ ସଂଖ୍ୟକ ଆସନ ଲାଭ କରିିଥିଲା । ସେ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରି ନଥିଲେ । କାରଣ ସେ ଠିଆ ହେଲେ ଅନ୍ୟମାନେ ନିର୍ବାଚନ ଜିତିବାରେ ଅସୁବିଧା ହେବ ବୋଲି ତାଙ୍କୁ ବିଧାନସଭାକୁ ପ୍ରାର୍ଥୀ କରାଯାଇ ନଥିଲା । ପଣ୍ଡିତ ନୀଳକଣ୍ଠ ଦାସଙ୍କ ଆତ୍ମଜୀବନୀରେ ଉଲ୍ଲେଖ ଅଛି -

"ଛତିଶ ଜଣ କଂଗ୍ରେସ ବିଧାୟକମାନଙ୍କ ମଧ୍ୟରୁ କୋଡିଏ ଜଣ ପଣ୍ଡିତ ନୀଳକଣ୍ଠ ଦାସଙ୍କୁ ନେତା ନିର୍ବାଚିତ କରିବାପାଇଁ ଇଚ୍ଛା ପ୍ରକାଶ କରିିଥିଲେ । ସେ ଦଳର ନେତା ନିର୍ବାଚିତ ହୋଇ କେନ୍ଦ୍ର ବ୍ୟବସ୍ଥାପକ ସଭାରୁ ଇସ୍ତଫା ଦେଇ ଆସେମ୍ଲିକୁ ପୁଣି ଠିଆ ହେବା ପାଇଁ ସ୍ଥିର ହେଲା । ସ୍ୱାମୀ ବିଚିତ୍ରାନନ୍ଦ ଦାସଙ୍କୁ ଧରି ସେମାନେ ଗୋଟିଏ ରୁଲ୍‍ କମିଟି ଗଠନ କଲେ । ସେହି କମିଟିରେ ରୁଲ ଦିଆଗଲା ଯେ ଆସେମ୍ଲି ଦଳ ବାହାରୁ କେହି ନେତା ହୋଇ ପାରିବେ ନାହିଁ । ଛତିଶ ଜଣ ସଭ୍ୟଙ୍କ ମଧ୍ୟରୁ କୋଡ଼ିଏ ଜଣଙ୍କ ସମର୍ଥନ ଥାଇ ମଧ୍ୟ ପଣ୍ଡିତ ନୀଳକଣ୍ଠ ଦାସ ନେତା ନିର୍ବାଚିତ ହୋଇପାରିଲେ ନାହିଁ । ଫଳରେ ନୀଳକଣ୍ଠ ଦାସଙ୍କର ଏହି କୋଡ଼ିଏ ଜଣ ସମର୍ଥକ ବିଶ୍ୱନାଥ ଦାସଙ୍କୁ ସମର୍ଥନ ଜଣାଇଲେ । ବିଶ୍ୱନାଥ ଦାସ ନେତା ହେଲେ । କିନ୍ତୁ ତାଙ୍କ ସହ ଆଲୋଚନା ହେଲା ଯେ

ଓଡ଼ିଶା ରାଜନୀତିର ଇତିହାସ . ୩୫