Jump to content

ପୃଷ୍ଠା:Odisha Rajanitira Itihasa.pdf/୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଛି । ଏଣୁ ସେହି ସମୟରେ ବଙ୍ଗ, ଓଡ଼ିଶା, ବିହାର ଓ ଆସାମ- ଏହି ଚାରି ପ୍ରଦେଶର ରାଜତ୍ୱ ଆମ ଲୋକଙ୍କ ହାତରେ ଥିବା ଦରକାର । ମୁଁ ସେଥିପାଇଁ ଆସାମର ଶ୍ରୀଯୁକ୍ତ ବର୍ଦୋଲାଇ ଓ ମୁସଲମାନ ନେତାଙ୍କୁ (ବୋଧହୁଏ ଫକ୍‍ରୁଦ୍ଧିନ) ଧରି ମନ୍ତ୍ରିମଣ୍ଡଳ ଗଢ଼ିବା ବ୍ୟବସ୍ଥା କରିଛି । ବଙ୍ଗଳାରେ ଶରତ ବୋଷ ଓ ଫଜଲ ହବକ୍‍-ଏ ଦୁହିଁଙ୍କୁ ଧରି ମନ୍ତ୍ରିମଣ୍ଡଳ ଗଢ଼ାହେବ । ମୁଁ ବିହାରରେ ମଧ୍ୟ ଏପରି ଗୋଟିଏ ମନ୍ତ୍ରିମଣ୍ଡଳ ଗଢ଼ିବାକୁ ଯାଉଛି । ଓଡ଼ିଶାରେ ତୁମେମାନେ ଯାଇ ମନ୍ତ୍ରିମଣ୍ଡଳ ଗଢ଼ । ସେଥିପାଇଁ ଗୋଦାବରୀଶ ଓ ଯଦୁମଣି ମଙ୍ଗରାଜ ଯାଆନ୍ତୁ । ନୀଳକଣ୍ଠ ଦାସ ଫରଓ୍ୱାର୍ଡ଼ ବ୍ଳକ୍‍ ତରଫରୁ କାର୍ଯ୍ୟକାରୀ କମିଟିକୁ ଯାଆନ୍ତୁ ।" ଶେଷକୁ ଗୋଦାବରୀଶ ଓ ଯଦୁମଣି ଉତ୍ତର ଦେଲେ "ନୀଳକଣ୍ଠ ବାବୁ ନଗଲେ ଆମେ ଏ କାମ ତୁଲାଇ ପାରିବୁ ନାହିଁ ।" ସେହି ଏଲ୍‍ଗିନ୍‍ ରୋଡ୍‍ ଘରୁ ଗଞ୍ଜାମର ଦିବାକର ପଟ୍ଟନାୟକଙ୍କ ପାଖକୁ ଟେଲିଗ୍ରାମ କରାଗଲା । ସେ ଦୁଇ ଦିନ ପରେ କଲିକତାରେ ପହଞ୍ଚି ଫରଓ୍ୱାର୍ଡ ବ୍ଳକ୍‍ର କାର୍ଯ୍ୟକାରୀ କମିଟିକୁ ଗଲେ ଓ ଆମ୍ଭେମାନେ ମନ୍ତ୍ରିମଣ୍ଡଳ ଗଢ଼ିବାପାଇଁ ଓଡ଼ିଶା ଆସିଲୁ ।"

ନେତାଜୀଙ୍କର ଉଦ୍ଦେଶ୍ୟ ଥିଲା- ସେ ବ୍ରିଟିଶ ବିରୋଧୀ ବୈଦେଶିକ ଶକ୍ତି ସାହାଯ୍ୟରେ ଭାରତର ପୂର୍ବ ଉପକୂଳରେ ପହଞ୍ଚି ସେଠାରୁ ଭାରତ ଭିତରେ ବ୍ରିଟିଶ ସାମରିକ ଶକ୍ତିକୁ ପରାସ୍ତ କରି ଭାରତର ସ୍ୱାଧୀନତା ହାସଲ କରିବେ । ପଣ୍ଡିତ ନୀଳକଣ୍ଠ ଦାସ ସେହି ସମୟରେ ଏକା ପ୍ରକାଶ କରିପାରି ନଥିଲେ । ତାଙ୍କ ନେତୃତ୍ୱରେ ଓଡ଼ିଶାରେ ମନ୍ତ୍ରିମଣ୍ଡଳ ଗଠନ ପାଇଁ ଉଦ୍ୟମ ଆରମ୍ଭ ହେଲା । ପଣ୍ଡିତ ଗୋଦାବରୀଶ ମିଶ୍ର, ଦିବାକର ପଟ୍ଟନାୟକ, ଯଦୁମଣି ମଙ୍ଗରାଜ, ଡାକ୍ତର ଅଟଳ ବିହାରୀ ଆଚାର୍ଯ୍ୟ ଓ ପ୍ୟାରୀ ଶଙ୍କର ରାୟ ପ୍ରମୁଖ କଂଗ୍ରେସ ଦଳର ଆଠ ଜଣ ସଭ୍ୟ ମିଶି

'ସ୍ୱରାଜ ଦଳ' ନାମରେ ଗୋଟିଏ ଦଳ ଗଠନ କରି ସେତେବେଳର ବିରୋଧୀ ଦଳର ନେତାଙ୍କ ଅଧ୍ୟକ୍ଷତାରେ ମିଳିତ ମନ୍ତ୍ରି ମଣ୍ତଳ ଗଠନ କରିବାପାଇଁ ଅଗ୍ରସର ହେଲେ । ପରେ ଏକା ପଣ୍ଡିତ ନୀଳକଣ୍ଠ ୧୯୫୨ ମସିହାରେ ଓଡ଼ିଶା ବିଧାନସଭାରେ ପ୍ରକାଶ କରିିଥିଲେ ।

ଓଡ଼ିଶା ପ୍ରଦେଶରେ ବିରୋଧୀଦଳର ସହାୟତାରେ ଅଣ-କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠନ ହେଲା । ଇଉନାଇଟେଡ୍‍ ପାର୍ଟି (କନିକା ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ଦଳ)ର ସଭ୍ୟ ସଂଖ୍ୟା-୬; ନ୍ୟାସନାଲ ପାର୍ଟି (ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଦଳ)ର ସଭ୍ୟ ସଂଖ୍ୟା-୪; ସ୍ୱାଧୀନ ପାର୍ଟି (ପାରଳାଖେମୁଣ୍ତି ମହାରାଜା କୃଷ୍ଣଚନ୍ଦ୍ର

୩୮ . ଓଡ଼ିଶା ରାଜନୀତିର ଇତିହାସ