ପୃଷ୍ଠା:Semananka piladina.pdf/୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆଣନ୍ତି, ଯୋଡ଼ିକରୁ କମ୍‍ ଆଣନ୍ତି ନାହିଁ । ଗୋଟିଏ ମୋପାଇଁ, ଗୋଟିଏ ବୁଢ଼ୀମା'ପାଇଁ । ମୋ ବୁଢ଼ୀମା' ତାଙ୍କର ପୋଷିଆଁ ବୋଉ । ସେ ବୁଢ଼ୀମା'ଙ୍କର ପୋଷ୍ୟ ପୁତ୍ର । ବୁଢ଼ୀମା' କଦଳୀ ଦିଓଟି ମୋ ପାଟିରେ ଦେଇ ନିଜେ ଖାଆନ୍ତି କେବଳ ଚୋପାତକ । ସେ କଦଳୀ ଚୋପା ଗୋରୁ ପାକୁଳି କଲା ପରି ପାକୁଆ ପାଟିରେ ଚୋବେଇ ଲାଗନ୍ତି ।

ଚନ୍ଦ୍ରମୋହନବାବୁ ତିନିମାସ ଛୁଟିରେ ଗଲେ । ଅସ୍ଥାୟୀ ପ୍ରଧାନ ଶିକ୍ଷକ ହେଲେ ଦ୍ୱିତୀୟ ଶିକ୍ଷକ ମାଖନଲାଲ୍‍ ଗାଙ୍ଗୁଲି । ମାଖନବାବୁ ଦିନେ ମୋତେ ହଠାତ୍‍ କହିଲେ, 'ଗୋଦାବରୀଶ, ମୁଁ ଆଜି ତୋ ଶୋଇବା ସ୍ଥାନ ଦେଖିବାକୁ ଯିବି ।' ମୁଁ ତାଟକା ହୋଇଗଲି । କେତେ ସମୟ ପରେ ମୁଁ ନିଜେ ଯାଇ ତାଙ୍କୁ ଡାକି ଆଣିଲି । ସେ ଆସି କହିଲେ, 'ମୁଁ ଭୁଲ ଖବର ପାଇଥିଲି । ଶୁଣିଲି ତୁ ଖାଲି ପଟା ଖଟରେ ଇଟାରେ ମୁଣ୍ଡ ଦେଇ ଶୋଉଛୁ । ତୋ ଅଭାବ କଥା ମୁଁ ଜାଣେ, ମାତ୍ର ଏମିତି ଚଳିବା କ'ଣ ସହଜ ? ଲୋକେ ତିଳକୁ ତାଳ କରି କହନ୍ତି ।' ତାଙ୍କର ଏ କଥା କହିବା ଯଥାର୍ଥ । ସେ ମୋ ଖଟରେ ସତରଞ୍ଜି ଉପରେ ଚାଦର ଓ ମାଣ୍ଡି ଦେଖିବାକୁ ପାଇଲେ ।

ମୁଁ ମନେକଲି, ସେ କଥା ସେତିକିରେ ସରିଲା । କିନ୍ତୁ ଦୁଇ ଚାରିଦିନ ପରେ ସେ ମୋତେ ଡାକି କହିଲେ, ଗୋଦାବରୀଶ, ତୁ ମୋ ଛାତିରେ ଗୋଟିଏ ଶର ବିନ୍ଧିଦେଲୁ । ଶଶିଦାଙ୍କର ଏତେ ପରିଶ୍ରମ ତୋପାଇଁ ପଣ୍ଡ ହୋଇଗଲା । ମୁଁ ତାଙ୍କୁ ଚିଠି ଲେଖି ଜଣାଇବି ।'

ସେତେବେଳକୁ ବିଚାରାଳୟରେ ମକଦ୍ଦମାର ଆସାମୀ ପରି ମୁଁ ନଇଁ ପଡ଼ିଲିଣି । ତ‌ଥାପି ମୁଁ ମୁହଁ ଟେକି ଉତ୍ତର ଦେଲି, 'ଆଜ୍ଞା, ମୁଁ ଆପଣଙ୍କୁ ଠକିବା ମତଲବରେ ବା ବଡ଼ଲୋକି ଦେଖାଇବାକୁ ସେପରି କରି ନଥିଲି । ମୁଁ ବୁଝିିଥିଲି ଯେ ଆପଣ ପ୍ରକୃତ ଅବସ୍ଥା ଆଖିରେ ଦେଖିଥିଲେ, ନିଜର ଖଣ୍ଡିଏ ଶେଯ ପଠାଇ ଦିଅନ୍ତେ । ତେଣୁ ମୁଁ ସାଥୀ ପିଲାଙ୍କଠାରୁ ସେସବୁ ମାଗିଆଣି ଆପଣଙ୍କୁ ଦେଖାଇଲି । ମୋର ତ ଚଳିଯାଉଛି, ମୋ ଲାଗି ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ।'

**********

ବିଶିଷ୍ଟ ଲେଖକ, କବି ଓ ସଂପାଦକ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଆତ୍ମଜୀବନୀ

'ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ'ରୁ ଉଦ୍ଧୃତ ।

୧୦ ସେମାନଙ୍କ ପିଲାଦିନ