Jump to content

ପୃଷ୍ଠା:Semananka piladina.pdf/୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମନେ ରହିଯାଉଥିଲା । ପ୍ରତ୍ୟେକ ଛାତ୍ର ଭାଗରେ ଗୋଟିଏ ବର୍ଗ ଗଜ ଜାଗା ପଡ଼ୁଥିଲା । ତା'ର ନାମ ପାହି । ଜଣେ ନିଜ ପାହି ଛାଡ଼ି ଅନ୍ୟ ପାହିରେ ପ୍ରବେଶ କରିବା ମନା । ଯେତେବେଳେ ଲେଖିଲେଖି ଭୂଇଁରୁ ମାଟି ଉଠିଯାଉଥିଲା, ସେତେବେଳେ ପିଲାମାନେ ପାଳିକରି ମାଟି ଗୋବରରେ ତାକୁ ଲିପି ଦେଉଥିଲେ ।

ସାଧାରଣ ଅକ୍ଷର ଶିକ୍ଷା ପରେ ପିଲାମାନେ ଯୁକ୍ତାକ୍ଷର ଶିକ୍ଷା କରୁଥିଲେ । ଏହା ପରେ ପଣକିଆ ବା ଗୁଣନ ଶିକ୍ଷା । ଏହା ସାହାଯ୍ୟରେ ପଣ ଓ ଗଣ୍ଡା ଶିକ୍ଷା କରାଯାଉଥିଲା । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ସେତେବେଳେ ପଇସା, ଅଧଲା, ପାହୁଲା ସାଙ୍ଗକୁ କଉଡ଼ି ମୁଦ୍ରା ଆକାରରେ ଚଳୁଥିଲା । ପଣେ ବା ପଚିଶଟି କଉଡ଼ି ମିଶିଲେ ଅଣାଏ ହେଉଥିଲା । ଷୋଳ ଅଣାରେ ଗୋଟିଏ ଟଙ୍କା । ଏଥିପାଇଁ ଏହାର ନାମ ଥିଲା ପଣକିଆ ।

ପଣକିଆ ଶିକ୍ଷା ପରେ ଗୁଣନ, ଫେଡ଼ାଣ ଓ ଓଡ଼ାଙ୍କ ଶିକ୍ଷା ଦିଆଯାଉଥିଲା । ସକାଳେ ମାଟି ଚଟାଣ ଉପରେ ମୁଣ୍ଡା ଖଡ଼ିରେ ଲେଖି ପିଲାଏ ଏହା ଶିକ୍ଷା କରୁଥିଲେ । ଉପରବେଳା ଓଡ଼ିଆରେ ପଦ୍ୟ ମୁଖସ୍ଥ କରୁଥିଲେ ଓ ଟିକିଏ ଅଧିକ ପଢ଼ିଗଲେ ସଂସ୍କୃତ ଶ୍ଳୋକ ଘୋଷୁଥିଲେ । ପାଠୁଆ ପିଲା ଏ ଲେଖନ ସାହାଯ୍ୟରେ ତାଳପତ୍ରରେ ଲେଖୁଥିଲେ । ଲେଖନ ହେଉଚି ଏକ ପ୍ରକାର ଲୁହାର କଲମ ଏବଂ ଏହାର ମୁଣ୍ଡ ପାଖ ଏପରି ଦାଢ଼ୁଆ ଯେ ଏଥିରେ ତାଳପତ୍ରକୁ କଟାଯାଇ ଲେଖିବା ଆକାରକୁ ଅଣାଯାଇପାରିବ । ଯେତେବେଳେ ଲେଖିବା ଦୋରସ୍ତ ହୋଇଯାଉଥିଲା ପିଲାମାନେ କାଗଜାତ୍‍ ଓ ହିସାବ ରଖିବା ଶିକ୍ଷା କରୁଥିଲେ । ପିଲାଙ୍କ ଭିତରେ ଯେଉଁମାନେ ଆଗୁଆ ଥିଲେ ସେମାନେ 'ଅମରକୋଷ' ଘୋଷୁଥିଲେ ।

ସଂଧ୍ୟାବେଳେ ଘଣ୍ଟାଏ କାଳ ପଣକିଆ, ଓଡ଼ିଆ ପଦ, ସଂସ୍କୃତ ଶ୍ଳୋକ ଏପରିକି 'ଅମରକୋଷ' ଆବୃତ୍ତି କରାଯାଉଥିଲା । ପିଲାମାନେ ଯାହା ମୁଖସ୍ଥ କରୁଥିଲେ ସେଥିରୁ ଖୁବ୍‍ କମ୍‍ ବୁଝୁଥିଲେ ଏବଂ ଏ ପ୍ରଣାଳୀରେ ସେମାନଙ୍କର ସ୍ମୃତିଶକ୍ତି ବଢ଼ୁଥିଲା, ଏହା ନିଃସନ୍ଦେହରେ କୁହାଯାଇପାରେ ।

ବିଦ୍ୟାରମ୍ଭ

ଆମ ଜାତିରେ ବିଦ୍ୟାରମ୍ଭ ନାମକ ଏକ ଉତ୍ସବ ପାଳନ କରାଯାଉଥିଲା । ଏହି ଦିନଠାରୁ ପିଲା ଶିକ୍ଷା ଆରମ୍ଭ କରିବାର କଥା । ନିଜ ପରିବାରର ନାୟକ ଏହି ଉତ୍ସବରେ ପୁରୋଧା କାର୍ଯ୍ୟ କରୁଥିଲେ । ଏହି ନାୟକମାନେ ଥିଲେ ମାଟିବଂଶ ବା କ୍ଷିତିବଂଶ ଅବଧାନକୁଳର । ଏମାନଙ୍କର ପୁରଷାନୁକ୍ରମିକ ବୃତ୍ତି ଥିଲା ଅବଧାନି କରିବା । ଏହି ଉତ୍ସବ ଦିନରେ ବିଦ୍ୟାରମ୍ଭ କରୁଥିବା ବାଳକ ନୂଆ ଲୁଗା ପିନ୍ଧୁଥିଲା । ସରସ୍ୱତୀଙ୍କୁ ଆବାହନ କରାଯାଉଥିଲା ଓ ୬ରୁ ୨୧ଟି ପର୍ଯ୍ୟନ୍ତ ନଡ଼ିଆ ଭୋଗ ହେଉଥିଲା । ପରିବାରର ନାୟକ ବାଳକର ପ୍ରକୃତ ଶିକ୍ଷକ

୧୨ ସେମାନଙ୍କ ପିଲାଦିନ