ପୃଷ୍ଠା:Semananka piladina.pdf/୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୁଁ ମଧ୍ୟମ ଇଂରାଜୀ ସ୍କୁଲ୍‍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମାସକୁ ଚାରିଟଙ୍କା ବୃତ୍ତି ପାଇଲି । ଏହା ଫଳରେ ମୁଁ ଯେଉଁ ହାଇସ୍କୁଲ୍‍ରେ ଏଣ୍ଟ୍ରାନ୍‍ସ ପରୀକ୍ଷାପାଇଁ ପଢ଼ିବି, ସେଥିରେ ମଧ୍ୟ ଫ୍ରିସିପ୍‍ ମିଳିବା ନିଶ୍ଚିତ ହୋଇଗଲା । ମୋର ଜେଜେ (ବାପାଙ୍କର ଦାଦା) ମୋତେ ପଢ଼ିବାକୁ କଟକ ପଠାଇଲେ ଓ ୧୯୦୪ ମସିହାରେ ମୁଁ ରେଭେନ୍‍ସା କଲିଜିଏଟ୍‍ ସ୍କୁଲ୍‍ରେ ଯୋଗଦେଲି ।

ସେତେବେଳେ ବସ୍‍ ନଥିଲା । କଟକକୁ ଯିବାକୁ ହେଲେ ଚାଲିକରି ବା ବଳଦ ଗାଡ଼ିରେ ଯିବାକୁ ହେଉଥିଲା । ଧନୀଘର ପିଲାଏ ପାଲିଙ୍କି କିମ୍ବା ସବାରିରେ ବସି ଯାଉଥିଲେ । ମୋ ପକ୍ଷରେ ଚାଲିକରି ଯିବା ଥିଲା ପ୍ରଥମ ପନ୍ଥା । ତା' ନହେଲେ କେହି ଯଦି ଧାନଶଗଡ଼ ନେଇ କଟକ ଯାଉଥିଲା, ମୁଁ ତା' ସାଙ୍ଗ ଧରି ଶଗଡ଼ରେ ବସି ଚାଲି ଯାଉଥିଲି । ସାଧାରଣତଃ ମୁଁ ଅନ୍ୟ ଛାତ୍ରମାନଙ୍କ ସାଙ୍ଗରେ କିମ୍ବା କଚେରିରେ କାମଥିବା ଗାଁ ଲୋକଙ୍କ ସାଙ୍ଗରେ କଟକ ଚାଲିଯାଉଥିଲି । ଆମ ଗାଁରୁ କଟକର ଦୂରତା ଥିଲା ୩୬ ମାଇଲ୍‍ । ବେଳେ ବେଳେ ଦିନକ ଭିତରେ ଆମେ କଟକରେ ପହଞ୍ଚି ଯାଉଥିଲୁ । ସାଧାରଣତଃ ୧୯ମାଇଲ ଚାଲିଯାଇ ରାତିକ ପାଇଁ ବିଶ୍ରାମ ନେଉଥିଲୁ ଓ ତା' ଆରଦିନ ପୁଣି ଚାଲୁଥିଲୁ । ପ୍ରଥମ ଦିନ ଆମେ କେତେ ବାଟ ଚାଲିବୁ, ତାହା ନିର୍ଭର କରୁଥିଲା ରାତ୍ରି ବିଶ୍ରାମାଗାର ବା ଚଟିଘରମାନଙ୍କ ଉପରେ ।

ଚଟିଘରଗୁଡ଼ିକ ଚାଳ ଛପର ଘର ଥିଲା । ଜଣଙ୍କପାଇଁ ରାତିକ ରହିବାର ଭଡ଼ା ଥିଲା ୬ ପଇସା । ଚଟିଘରର ମାଲିକ ରୋଷେଇ କରିବାପାଇଁ ବିନା ପଇସାରେ ଗୋଟିଏ ହାଣ୍ଡି ଦେଉଥିଲା ଏବଂ ତା'ଠାରୁ କାଠ, ଚାଉଳ, ଡାଲି ପରିବା ଆଦି କିଣିବାକୁ ହେଉଥିଲା । ଆମ ସମୟରେ କଟକ ଓ ବାଲିକୁଦା ମଧ୍ୟରେ ଏହିପରି ୬ଟି ଚଟିଘର ପ୍ରାୟ ୫/୬ମାଇଲ୍‍ ବ୍ୟବଧାନରେ ଥିଲା ।

ଏହି ଚଟିଘରଗୁଡ଼ିକ ପରିଷ୍କାର ପରିଚ୍ଛନ୍ନ ଥିଲା ଓ ଖୁବ ଯତ୍ନରେ ରଖାଯାଉଥିଲା । ସକାଳେ ଯାତ୍ରୀମାନେ ଚାଲିଯିବା ପରେ ଘରଟିକୁ ମାଟି ଓ ଗୋବରରେ ଭଲ ଭାବରେ ଲିପି ଦିଆଯାଇ ପରବର୍ତ୍ତୀ ଦିନର ପଥିକମାନଙ୍କପାଇଁ ପ୍ରସ୍ତୁତ କରି ରଖାଯାଉଥିଲା । ଏହିସବୁ ଚଟିଘରମାନଙ୍କ ପରିଷ୍କାର ପରିଚ୍ଛନ୍ନତା ବୈଦେଶିକ ଭ୍ରମଣକାରୀମାନଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲା । ମୋର ମନେଅଛି, ୧୯୧୧ ମସିହା ପରେ ଥରେ କଲିକତା ବିଶ୍ୱବିଦ୍ୟାଳୟର ଉଭ୍ଭିଦ ବିଜ୍ଞାନ ପ୍ରଫେସର ବ୍ରୁଲ୍‍ଙ୍କ ସହିତ ମୋର ସାକ୍ଷାତ୍‍ ହେଲା । ସେ ମୋତେ ଓଡ଼ିଶାର ଏହି ଚଟିଘରମାନଙ୍କ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ପ୍ରଶଂସା କରି କହିିଥିଲେ । ସେ ଜଣେ ଜର୍ମାନ୍‍ ଥିଲେ । ଯୁବକ ଅବସ୍ଥାରେ ଯେତେବେଳେ ଶିବପୁର ଇଞ୍ଜିନିୟରିଂ କଲେଜ୍‍ର ଅଧ୍ୟାପକ ଥିଲେ, ସେ ଓଡ଼ିଶା

୧୪ ସେମାନଙ୍କ ପିଲାଦିନ