ପୃଷ୍ଠା:Semananka piladina.pdf/୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦାସ୍‍, ମିସ୍‍ ହାଜରା ଓ ଚନ୍ଦ୍ର ପ୍ରଭୃତି ଥାଆନ୍ତି । ବଡ଼ବାପାଙ୍କ ଘରେ ରହିଲାବେଳେ ମିସ୍‍ ଦାସ୍‍ ଆମ ଉପରେ ମୁରବିପଣିଆ କରନ୍ତି । ବାଥ୍‌ରୁମ୍ କିପରି ବ୍ୟବହାର କରିବାକୁ ହୁଏ, ଟେବୁଲ୍‍ରେ ଖାଇବା କାଇଦା ସବୁ ଶିଖାନ୍ତି । ସଣ୍ଠଣାର ଟିକିଏ ବ୍ୟତିକ୍ରମ ହେଲେ ମିସ୍‍ ଦାସ ଆକଟ କରନ୍ତି । ସେ ଆକଟ ବଡ଼ବାପାଙ୍କୁ ଭଲ ନ ଲାଗିଲା ପରି ଜଣାପଡେ଼ । ସେ କହି ପକାନ୍ତି,'ଶୈଳ ! ପିଲାଗୁଡ଼ାଙ୍କୁ କେତେ ଶାସନ କରୁଛୁ ? ଛାଡ଼ିଦେ, ବଡ଼ ହେଲେ ସେମାନେ ଆପେ କରିବେ ।'

ବଡ଼ବାପାଙ୍କ ସଂଗେ ମୋ ମା'ର ସଂପର୍କ ଦେଢ଼ଶୁର ଭାଇବୋହୂ ପରି ନଥିଲା- ବାପ ଝିଅ ଭଳି ଥିଲା । ସେଥିପାଇଁ କେତେ ଲୋକ ମା'କୁ ଥଟ୍ଟାରେ କହନ୍ତି- ତମେ ଆର ଜନ୍ମରେ ପେଚା ହୋଇ ଜନ୍ମହେବ । ବଡ଼ବାପା ମା'କୁ 'ପାଲି' ଡାକନ୍ତି । ମା'ର ଡାକ ନାମ ଥିଲା 'ପାଲ' । ବଡ଼ବାପାଙ୍କ ଘରେ ଖାନସାମା ରୋଷେଇ କରନ୍ତି । କିନ୍ତୁ ବଡ଼ବାପା ଖାଇବା ବେଳେ 'ପାଲ' ହାତରନ୍ଧା ତରକାରି ଥିଲେ ଖୁସିରେ ଖାଇବେ । ଏଥିପାଇଁ ମା' ଦୋମହଲା ଛାତ ଉପରେ ଗୋଟିଏ ଉଠା ଚୁଲିରେ ପ୍ରତିଦିନ ତରକାରି, ପିଠା ଓ ଅନ୍ୟ ଜଳଖିଆ ତିଆରି କରେ । ପରଷିବା ବେଳେ ବଡ଼ବାପା କହନ୍ତି- 'ପାଲି ! ତୁ ଯଦି ଖୁସି ହେବୁ ମୋ ପେଟ ପୂରିଲେ ମଧ୍ୟ ମୁଁ ଗୋଟିଏ ସନ୍ଦେଶ ଖାଇବି ।' ବଡ଼ବାପା କାକରା ପିଠାକୁ ଭଲ ପାଆନ୍ତି । ମା' ସେ ପିଠା କରେ, ସେ ଖୁସିରେ ତାହାକୁ ଖାଆନ୍ତି । କିନ୍ତୁ ବରାବର କହନ୍ତି ମୋ ବୋଉ ହାତରନ୍ଧା ପିଠା ପରି ଲାଗୁନାହିଁ । ମିସ୍‍ ଦାସ ଦିନେ ଦିନେ ମା'କୁ ପଚାରନ୍ତି ଏ ତରକାରି କେମିତି ରାନ୍ଧିଲ ? ଏ ମିଠା କାହିଁରେ ତିଆରି ଇତ୍ୟାଦି । ଦିନେ ଦିନେ ବଡ଼ବାପା ଥଟ୍ଟାରେ କହନ୍ତି- କ'ଣ ତେଲ ମସଲାରେ ତରକାରି ସୁଆଦ ହୁଏ କି ? ଖୁଆଇବାର ଶରଧା ବା ସଉକ ସୁଆଦ କରେ ।

ଆମେ ପ୍ରାୟ ପ୍ରତିଦିନ ଚାରିଟା ବେଳେ ବଡ଼ବାପାଙ୍କ ସାଙ୍ଗରେ ଗାଡ଼ିରେ ବୁଲିଯାଉ । କେହି ଜଣେ ବଡ଼ ମଣିଷ ଆମ ସାଙ୍ଗରେ ଯାଆନ୍ତି । ଅଧିକାଂଶ ଦିନ ବଡ଼ବାପାଙ୍କ ସହିତ ଟ୍ୟାନେରୀ ଯାଉ । ସେ ତାଙ୍କ କାମ କରନ୍ତି । ଆମକୁ ଜଣେ ବୁଲେଇ କେଉଁଠି କି କାମ ହେଉଥାଏ ବୁଝାଇ କହିଦିଏ । ଦିନେ ଗୋଟାଏ କେଉଁଠିକି ଭଲ ଜାଗାକୁ ଯିବାର ଥାଏ । ଆମେ ଲୁଗାପଟା ପିନ୍ଧାରେ ବ୍ୟସ୍ତ ଥାଉ । ଶିିଡ଼ିରେ ବଡବାପାଙ୍କ ଜୋତା ଶବ୍ଦ ହେଲା । ସଂଗେ ସଂଗେ ଡାକ ଶୁଣିଲୁ- 'କିରେ, କ'ଣ କରୁଛ ? ମୁଁ ଆସିଲିଣି, ଆସ ।' ସେ ତାଙ୍କ ବସିବା ଘରେ ଯାଇ ବସିଲେ । ଅଳ୍ପ ସମୟ ପରେ କୁଆଡେ଼ ଚାଲିଗଲେ । ବାପା ଆମକୁ ଡାକି କହିଲେ, 'ବଡ଼ବାପା ଡାକିଲେ, କାହିଁକି ଆସିଲ ନାହିଁ? ଭାରି ଭୁଲ୍‍ କଲ । ଆଉ ଦିନେ ଏପରି କରିବ ନାହିଁ । ବଡ଼ବାପା ନ ଆସିବା ଯାଏ ତୁମେ ବୁଲିଯିବ ନାହିଁ । ସେ ଆସିବା ସଂଗେସଂଗେ ତାଙ୍କ ପାଖକୁ ଆସିବ ଓ ଏ ଭୁଲପାଇଁ କ୍ଷମା ମାଗିବ ।'

ସେମାନଙ୍କ ପିଲାଦିନ ୧୭