ପୃଷ୍ଠା:Odisha Rajanitira Itihasa.pdf/୬୩

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବଣାଇ ଏକ ପୁରାତନ ଗଡ଼ଜାତରାଜ୍ୟ । ଜଣାଯାଏ, ଲଙ୍କା ବା ସିଂହଳଦ୍ୱୀପରୁ ଏହି ରାଜବଂଶର ପୂର୍ବପୁରୁଷମାନେ ଆସି ଏଠାରେ ଥିବା ଗଣ୍ଡଭୂୟାଁ ଜମିଦାରମାନଙ୍କୁ ଯୁଦ୍ଧରେ ପରାସ୍ତ କରି ରାଜ୍ୟସ୍ଥାପନ କରିିଥିଲେ । ଏମାନେ କ୍ଷତ୍ରିୟ ଓ କଦମ୍ବବଂଶୀ । ଏହି ରାଜବଂଶ ଜୟଚନ୍ଦ୍ରଙ୍କ ବଂଶଧର । ଏହି ରାଜ୍ୟର ଆୟତନ ୧୨୯୯ ବର୍ଗମାଇଲ । ୩୬୭ ଗ୍ରାମ ଏ ରାଜ୍ୟରେ ଅନ୍ତର୍ଭୁକ୍ତ । ଏ ରାଜ୍ୟ ପ୍ରାକୃତିକ ତ‌ଥା ବଣ୍ୟ ସମ୍ପଦରେ ଭରପୂର ।

ଆଠଗଡ଼ ରାଜା ଜାତିରେ କରଣ । ପୁରୀରାଜାଙ୍କଠାରୁ ସେମାନେ ଶ୍ରୀକରଣ ବେବର୍ତ୍ତା ପଟ୍ଟନାୟକ ଉପାଧି ପ୍ରାପ୍ତ ହୋଇଥିଲେ । ପୁରୀ ରାଜାଙ୍କର ମନ୍ତ୍ରୀ ନୀଳାଦ୍ରି ବେବର୍ତ୍ତା ଏହି ରାଜ୍ୟର ପ୍ରତିଷ୍ଠାତା । ପୁରୀ ରାଜା ତାଙ୍କୁ ଏହି ରାଜ୍ୟ ପ୍ରଦାନ କରିିଥିବା ଜଣାଯାଏ । ଷୋଡ଼ଶ ଶତାବ୍ଦୀରେ ଏ ରାଜ୍ୟ ପ୍ରତିଷ୍ଠା ହୋଇଥିବା ଜଣାଯାଏ । ଏ ରାଜ୍ୟର କ୍ଷେତ୍ରଫଳ ୧୬୮ ବର୍ଗମାଇଲ । ଏଥିରେ ୧୮୭ଟି ଗ୍ରାମ ଅନ୍ତର୍ଭୁକ୍ତ ଥିଲା । ପ୍ରସିଦ୍ଧ ଧବଳେଶ୍ୱର ମନ୍ଦିର ଏ ରାଜ୍ୟରେ ଅବସ୍ଥିତ । ରାଜ୍ୟର ରାଜା ଶ୍ରୀକରଣ ରାଧାନାଥ ବେବର୍ତ୍ତା ପଟ୍ଟନାୟକ ରାଜ୍ୟର ବହୁ ଉନ୍ନତି କରିଯାଇଛନ୍ତି । ବିଶିଷ୍ଟ ସମାଜସେବୀ ସ୍ୱାଧୀନତାସଂଗ୍ରାମୀ, 'ସମାଜ'ର ପୂର୍ବତନ ସଂପାଦକ ପଦ୍ମଶ୍ରୀ ରାଧାନାଥ ରଥ ଓ ମହାତ୍ମା ସାଧୁ ସୁନ୍ଦର ଦାସ ଏ ମାଟିର ସନ୍ତାନ ।

ରଣପୁର ଏକ ପ୍ରାଚୀନ ଗଡ଼ଜାତ ରାଜ୍ୟ । ପ୍ରାଚୀନ କାଳରେ ରଣାସୁର ନାମରେ ଏକ ରାକ୍ଷସ ଏଠାରେ ବାସ କରୁଥିଲା । ତାରି ନାମାନୁସାରେ ଏ ରାଜ୍ୟର ନାମ ରଣପୁର ହୋଇଛି । କଳିଯୁଗ ଆରମ୍ଭର ୧୭୪ ବର୍ଷ ପରେ ଏ ରାଜ୍ୟ ସ୍ଥାପିତ ହୋଇଛି ବୋଲି 'କପିଳ ସଂହିତା'ରେ ଉଲ୍ଲେଖ ଅଛି । ଶୁଣାଯାଏ, ବେଣୁ ରାଜବଂଶର ବିଶ୍ୱବାସବ ଏ ରାଜ୍ୟର ପ୍ରତିଷ୍ଠାତା । ଦ୍ୱାଦଶ ଶତାବ୍ଦୀରେ ଓଡ଼ିଶାର ରାଜା ଅନଙ୍ଗ ଭୀମଦେବ ତତ୍‍କାଳୀନ ରଣପୁର ରାଜାଙ୍କୁ 'ନରେନ୍ଦ୍ର' ଉପାଧି ପ୍ରଦାନ କରିିଥିଲେ । ରାଜବଂଶାବଳୀରୁ ଜଣାଯାଏ, ୩୬୦୦ ବର୍ଷ ମଧ୍ୟରେ ଏହି ରାଜ୍ୟରେ ୧୧୨ଜଣ ରାଜା ରାଜୁତି କରିସାରିଲେଣି । ଏ ରାଜ୍ୟର କ୍ଷେତ୍ରଫଳ ୨୦୩ ବର୍ଗମାଇଲ । ଏଥିରେ ୨୬୫ ଟି ଗ୍ରାମ ଅନ୍ତର୍ଭୁକ୍ତ । ଏଠାରେ ପ୍ରାଚୀନ ପ୍ରଥାରେ ଶାସନ ଚାଲୁଥିଲା । ମଣିନାଗ ଏ ରାଜ୍ୟର ପ୍ରସିଦ୍ଧ ଦେବତା । ଏ ରାଜ୍ୟ ସେତେ ଉନ୍ନତ ନଥିଲା । ଓଡି଼ଶା ରାଜ୍ୟର ପ୍ରଥମ ମହିଳା ମନ୍ତ୍ରୀ ବସନ୍ତ ମଞ୍ଜରୀ ଦେବୀ ହେଉଛନ୍ତି ରଣପୁରର ରାଜମାତା ।

ଆଠମଲ୍ଲିକ ଏକ ପୁରାତନ ରାଜ୍ୟ । ଜୟପୁରର ରାଜବଂଶ ଜଗନ୍ନଥ ଦର୍ଶନରେ ଆସି ଏହି ରାଜ୍ୟ ସ୍ଥାପନ କରିଥିଲେ । ଏହି ରାଜ୍ୟ ଅଷ୍ଟମଲ୍ଲଙ୍କଦ୍ୱାରା ଶାସିତ ହେଉଥିବାରୁ ଏହା ଆଠମଲ୍ଲିକ ନାମରେ ଖ୍ୟାତ । କଦମ୍ବ ପୁଷ୍ପ ଏ ରାଜ୍ୟର ସନ୍ତକ । ଏହି ରାଜ୍ୟର ରାଜାମାନେ କଦମ୍ବବଂଶୀ । ରାଜ୍ୟର କ୍ଷେତ୍ରଫଳ ୭୩୦ ବର୍ଗମାଇଲ । ଗ୍ରାମସଂଖ୍ୟା ୫୧୩ । ଏ ରାଜ୍ୟର ଶେଷ ଶାସକ ରାଜା ହେଉଛନ୍ତି କିଶୋର ଚନ୍ଦ୍ର ଦେଓ ସାମନ୍ତ । ୧୯୦୪ ନଭେମ୍ବର ୧୦ ତାରିଖରେ ସେ ଜନ୍ମ ହୋଇଥିଲେ ଓ ୧୯୧୮ ମସିହା ନଭେମ୍ବର ୩ ତାରିଖରେ ଗାଦି ପାଇଥିଲେ । ଓଡ଼ିଆ ସାହିତ୍ୟ ପ୍ରତି ଏହାଙ୍କ ଦାନ ଅତୁଳନୀୟ । ସାମନ୍ତ ଚନ୍ଦ୍ରଶେଖରଙ୍କ ସିଦ୍ଧାନ୍ତ ଦର୍ପଣ ତାଙ୍କରି ଅନୁଦାନରେ ସର୍ବପ୍ରଥମେ ପ୍ରକାଶ ପାଇ ସାରା ବିଶ୍ୱରେ ଚହଳ ପକାଇଥିଲା ।

ଓଡ଼ିଶା ରାଜନୀତିର ଇତିହାସ . ୬୩