ପୃଷ୍ଠା:Odisha Rajanitira Itihasa.pdf/୧୦୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓଡ଼ିଶାରେ ପଞ୍ଚବାର୍ଷିକ ଯୋଜନାର ଅଗ୍ରଦୂତ ନବକୃଷ୍ଣ ଚୌଧୁରୀ :

ଓଡ଼ିଶାରେ ପ୍ରଥମ ପଞ୍ଚବାର୍ଷିକ ଯୋଜନା (୧୯୫୦-୧୯୫୬)କୁ କାର୍ଯ୍ୟକାରୀ କରିବାପାଇଁ ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳ ଉପରେ ଦାୟିତ୍ୱ ନ୍ୟସ୍ତ ହୋଇଥିଲା । ସେତେବେଳେ କୃଷି ଇଂଜିନିୟରିଂ ଶିକ୍ଷା ପ୍ରଦାନ ନିମନ୍ତେ ଓଡ଼ିଶାରେ କୌଣସି ଅନୁଷ୍ଠାନ ନଥିଲା । କେବଳ କଟକର ଇଂଜିନିୟରିଂ ସ୍କୁଲ ଓ କଟକ ମେଡ଼ିକାଲ କଲେଜ ଥିଲା ଦୁଇଟି ମାତ୍ର ଉଚ୍ଚବୈଷୟିକ ଶିକ୍ଷାନୁଷ୍ଠାନ । ପ୍ରଥମ ପଂଚବାର୍ଷିକ ଯୋଜନାରେ କୃଷିକୁ ଅଗ୍ରାଧିକାର ଦିଆଯାଇଥିବାରୁ ଶ୍ରୀ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳ ଓଡ଼ିଶାରେ ସର୍ବପ୍ରଥମେ ଗୋଟିଏ କୃଷି କଲେଜ ଓ ଗୋଟିଏ ପଶୁପାଳନ ଓ ପଶୁଚିକିତ୍ସା କଲେଜ ପ୍ରତିଷ୍ଠା କଲେ । ଏଠାରେ ଉନ୍ନତ ଧରଣର କୃଷିପଦ୍ଧତି ପ୍ରବର୍ତ୍ତନ ହେଲା । କୃଷି ଉତ୍ପାଦନ ବୃଦ୍ଧି ପାଇଲା ।

ଶିଳ୍ପ ପ୍ରସାର :

ମୂଳଧନ ଅଭାବରୁ ଓଡ଼ିଶାରେ ଯୁବକମାନେ ଶିଳ୍ପ ପ୍ରତିଷ୍ଠାପାଇଁ ଆଗ୍ରହ ପ୍ରକାଶ କରୁ ନ ଥିଲେ । ଫଳରେ ନବବାବୁଙ୍କ ମନ୍ତ୍ରିମଣ୍ଡଳ ପ୍ରଥମେ କଟକ ମଧୁପାଟଣାଠାରେ 'ପଥପ୍ରଦର୍ଶନ ଶିଳ୍ପ ଯୋଜନା' ଆରମ୍ଭ କଲେ । ଏହି ଯୋଜନା ଅନୁଯାୟୀ ଶିଳ୍ପ କାରଖାନା ସ୍ଥାପନରେ ସରକାର ୯୦ ଭାଗ ଅର୍ଥ ବିନିଯୋଗ କରିବେ । ଶିଳ୍ପୋଦ୍ୟୋଗୀମାନେ ୧୦ ଭାଗ ଅର୍ଥ ବିନିଯୋଗ କରି ଅଂଶୀଦାର ହେବାର ସୁବିଧା ପାଇବେ । କାଳକ୍ରମେ ଅଂଶୀଦାରମାନେ କାରଖାନାର ସମସ୍ତ ଅଂଶ କିଣିନେଇ ମାଲିକ ହେବାର ପରିକଳ୍ପନା ରହିିଥିଲା ।

ଏହା ବ୍ୟତୀତ ଡୁଡୁମା, ହୀରାକୁଦ ଜଳବିଦ୍ୟୁତ ଯୋଜନା ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଗଲା । ଚୌଦ୍ୱାରଠାରେ ଗୋଟିଏ କାଗଜକଳ, କେନ୍ଦୁଝରର ଯୋଡ଼ା ଓ କୋରାପୁଟର ରାୟଗଡ଼ାଠାରେ ଫେରୋମାଙ୍ଗାନିଜ କାରଖାନା ଶିଳ୍ପପତିମାନଙ୍କଦ୍ୱାରା ପ୍ରତିଷ୍ଠା ସମ୍ଭବ ହେଲା ।

ରାଉରକେଲା ଇସ୍ପାତ କାରଖାନା ଓ ହୀରାକୁଦ ବନ୍ଧ ନିର୍ମାଣ :

ରାଉରକେଲା ଇସ୍ପାତ୍‍ କାରଖାନା ଓ ହୀରାକୁଦ ବନ୍ଧ ପ୍ରଥମ ପଞ୍ଚବାର୍ଷିକ ଯୋଜନା କାଳରେ ଆରମ୍ଭ ହୋଇ ଶେଷ ହୋଇଥିଲା । ଏହି ଦୁଇଟି ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ଦାନ ଅତୁଳନୀୟ । ଭାରତର ପ୍ରଥମ ରାଷ୍ଟ୍ରାୟତ୍ତ ଇସ୍ପାତ କାରଖାନା ନିଜ ରାଜ୍ୟରେ ନିର୍ମାଣ ପାଇଁ ସେତେବେଳର ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର ପ୍ରଭାବଶାଳୀ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ ନେହରୁଙ୍କୁ ପ୍ରଭାବିତ କରିବାପାଇଁ ବହୁ ଚେଷ୍ଟା ଅବ୍ୟାହତ ରଖିଥିଲେ । କିନ୍ତୁ ନବକୃଷ୍ଣ ଚୌଧୁରୀଙ୍କ ପ୍ରତି ପଣ୍ଡିତ ନେହରୁଙ୍କର ଅତୀବ ଶ୍ରଦ୍ଧା ଥିବାରୁ ଶେଷରେ ରାଉରକେଲାରେ ହିିଁ ଏହି ଇସ୍ପାତ କାରାଖାନା ନିର୍ମାଣ ପାଇଁ ସ୍ଥିର ହେଲା । ବୈଦେଶିକ ବିଶେଷଜ୍ଞମାନେ ମଧ୍ୟ ରାଉରକେଲାକୁ ଉପଯୁକ୍ତ ସ୍ଥାନ ବୋଲି ନିରୂପିତ କରିିଥିଲେ । ହୀରାକୁଦ ବହୁମୁଖୀ ଯୋଜନାର ନିର୍ମାଣ କାର୍ଯ୍ୟ ପାଇଁ ଶ୍ରୀଯୁକ୍ତ ଚୌଧୁରୀ ବ୍ୟକ୍ତିଗତ ଭାବରେ ଦୃଷ୍ଟି ପ୍ରଦାନ କରିିଲେ । ବୁଡି ଅଞ୍ଚଳର ଲୋକଙ୍କ

ଓଡ଼ିଶା ରାଜନୀତିର ଇତିହାସ . ୧୦୭