ଘରଚଟିଆ

ଉଇକିପାଠାଗାର‌ରୁ
ଘରଚଟିଆ
ଲେଖକ/କବି: ନନ୍ଦକିଶୋର ବଳ

ଘରଚଟିଆ

 
ଘରଚଟିଆରେ ଘରଚଟିଆ,
ଅଟୁ ପରା ତୁ ଟିକି ଚଢ଼େଇ
ତୋତେ ଦେଖିଲେରେ ପୁରୁଣା ବନ୍ଧୁଟି
ପିଲାଦିନ କଥା ଭାବେଟି ମୁହିଁ ।

ଖପ ଖପ କରି ଡେଇଁ ଡେଇଁ ଯାଉ
ଉଡ଼ିଯାଇ ପିଢ଼ା ବାଡ଼ରେ ବସୁ,
ଯେତେ ଯତ୍ନ କରେ ତୋତେ ଧରିବାକୁ
ଚାହୁଁ ଚାହୁଁ ତୁହି ପାଖରୁ ଖସୁ ।

ଏଡ଼େ ଟିକି ପକ୍ଷୀ କେତେ ତୋର ବଳ
ଦେଇଛନ୍ତି ତୋତେ ପରମେଶ୍ୱର;
ଯେତେ ବୁଦ୍ଧିବଳ ଥାଉ ମନୁଷ୍ୟର
ଉଡ଼ିବା ଶକତି ନାହିଁ ତାହାର ।

ହାତୀ ଘୋଡ଼ା ବାଘ ଯେତେ ବଡ଼ ହେଉ
ତୋପରି କ୍ଷମତା ନାହିଁ ତାଙ୍କର;
ପାଖେ ବସିଯାଉ ଧାନ ଖୁଣ୍ଟି ଖାଉ
ଉଡ଼ି ବସୁ ପିଢ଼ା ବାଡ଼ ଉପର ।

ଧନ୍ୟ ସେ ଇଶ୍ୱର ବଳ ଦୁର୍ବଳର
ଯାହାର ଯା ଲୋଡ଼ା ଦିଅନ୍ତି ତାହା;
ହାତଯୋଡ଼ି ତାଙ୍କୁ ଜଣାଉଛି ମୁହିଁ
ଜ୍ଞାନବଳେ ମୋର ହୁଅନ୍ତି ସାହା ।

ତୁହିରେ ଯେପରି ଉଡ଼ି ଯାଇକରି
ନିରାପଦେ ରହୁ ଗଛ ଉପରେ;
ମୁହିଁ ସେହିପରି ଜ୍ଞାନଲାଭ କରି
ପ୍ରବଳ ହାତରୁ ତରିବି ଥରେ ।