ପୃଷ୍ଠା:Odisha Rajanitira Itihasa.pdf/୨୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସଦସ୍ୟଙ୍କ ସହାୟତାରେ ନିଜର ଆଶାକୁ ଚରିତାର୍ଥ କରିବାପାଇଁ ଲାଗିପଡିଲେ । ତାଙ୍କୁ ସହଯୋଗ କଲେ ରାଜନାରାୟଣ । ପ୍ରାୟତଃ ଚରଣ ସିଂହ ଓ ରାଜନାରାୟଣଙ୍କ ସରକାର ବିରୋଧୀ ବିବୃତିରେ ମୋରାରଜୀ ଦେଶାଇ ଅତିଷ୍ଠ ହୋଇ ପଡିଲେ । ଫଳରେ ସେ ଚରଣ ସିଂହ ଓ ରାଜନାରାୟଣଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିଦେଲେ । ପୁଣି ଛ'ମାସ ପରେ ୧୯୭୯ ଜାନୁଆରି ମାସରେ ଚରଣ ସିଂହଙ୍କୁ କ୍ୟାବିନେଟକୁ ଫେରାଇ ଆଣି ସ୍ୱରାଷ୍ଟ୍ର ବିଭାଗ ବଦଳରେ ଅର୍ଥ ବିଭାଗ ଦାୟିତ୍ୱରେ ରଖିଲେ । କିନ୍ତୁ ରାଜନାରାୟଣଙ୍କୁ କ୍ୟାବିନେଟରେ ଆଉ ଗ୍ରହଣ କଲେ ନାହିିଁ । ଫଳରେ ରାଜନାରାୟଣ ଜନତା (ଏସ୍‍) ନାମରେ ଏକ ନୂଆ ଦଳ ଗଠନ କଲେ । ଏହି ଦଳରେ ଓଡ଼ିଶାର ରବି ରାୟ ଓ ବିଜୁ ପଟ୍ଟନାୟକଙ୍କ ସମେତ ଚରଣ ସିଂହ ଓ ବହୁ ଗୁଣା ଆଦି ନେତାମାନେ ଯୋଗଦାନ କଲେ । ମନ୍ତ୍ରିମଣ୍ଡଳର ପତନ ନିଶ୍ଚିତ ଜାଣି ମୋରାରଜୀ ଦେଶାଇ ମନ୍ତ୍ରିମଣ୍ଡଳରୁ ଇସ୍ତଫା ପ୍ରଦାନ କଲେ । ରାଷ୍ଟ୍ରପତି ମନ୍ତ୍ରିମଣ୍ଡଳର ଇସ୍ତଫା ଗ୍ରହଣ କରିନେଲେ । ବିକଳ୍ପ ସରକାର ଗଠନ କରିବାପାଇଁ ରାଷ୍ଟ୍ରପତି ବିରୋଧୀ ଦଳର ନେତା ଓ୍ୱାଇ.ଭି.ଚୌହାନଙ୍କୁ ନିମନ୍ତ୍ରଣ କଲେ । କିନ୍ତୁ ଚୌହାନ ଅକ୍ଷମତା ପ୍ରକାଶ କରିବାରୁ ରାଷ୍ଟ୍ରପତି ଚୌଧୁରୀ ଚରଣ ସିଂହଙ୍କୁ ମନ୍ତ୍ରିମଣ୍ଡଳ ଗଠନ କରିବା ନିମନ୍ତେ ସୁଯୋଗ ପ୍ରଦାନ କଲେ । ଚୌଧୁରୀ ଚରଣ ସିଂହ କଂଗ୍ରେସ ଦଳର ସମର୍ଥନରେ ୧୯୭୯ ମସିହା ଜୁଲାଇ ୨୮ ତାରିଖରେ କେନ୍ଦ୍ରରେ ନୂତନ ମନ୍ତ୍ରିମଣ୍ଡଳ ଗଠନ କଲେ । ଏହି ମନ୍ତ୍ରିମଣ୍ଡଳରେ ଓଡ଼ିଶାର ବିଜୁ ପଟ୍ଟନାୟକ ଓ ରବି ରାୟ ମଧ୍ୟ ମନ୍ତ୍ରୀ ଭାବରେ ସ୍ଥାନ ପାଇଲେ ।

ରାଷ୍ଟ୍ରପତିଙ୍କ ନିର୍ଦେଶ କ୍ରମେ ଚରଣ ସିଂହ ଏକମାସ ଭିତରେ ଲୋକସଭାରେ ଆସ୍ଥା ପ୍ରକଟ କରିବା ପୂର୍ବରୁ କଂଗ୍ରେସ ଦଳ ତାଙ୍କ ମନ୍ତ୍ରିମଣ୍ଡଳରୁ ସମର୍ଥନ ପ୍ରତ୍ୟାହାର କରି ନେଲେ । ଫଳରେ ଚରଣ ସିଂହ ପ୍ରଧାନମନ୍ତ୍ରୀ ଭାବରେ ପାର୍ଲିଆମେଣ୍ଟରେ ବସିପାରିଲେ ନାହିିଁ । ତାଙ୍କ ମନ୍ତ୍ରିମଣ୍ଡଳ ଭାଙ୍ଗିଗଲା । ମାତ୍ର ୨୨ଦିନ ପ୍ରଧାନମନ୍ତ୍ରୀ ପଦବୀରେ ସେ ରହିଥିଲେ । ଏହା ପରେ ୧୯୭୯ ମସିହା ଅଗଷ୍ଟ ୨୦ ତାରିଖ ଦିନ ଦେଶରେ ରାଷ୍ଟ୍ରପତି ଶାସନ ଜାରି ହେଲା ।

ଓଡ଼ିଶା ଜନତା ଦଳରେ ବିଭାଜନ :

ଓଡ଼ିଶାରେ ଜନତା ଦଳ ଦୁଇ ଭାଗରେ ବିଭାଜିତ ହୋଇଗଲା । ଜନତା ବିଧାୟକ ଦଳର ୧୧୦ଜଣ ସଭ୍ୟଙ୍କ ମଧ୍ୟରୁ ୨୮ଜଣ ସଦସ୍ୟ ପ୍ରହ୍ଲାଦ ମଲ୍ଲିକଙ୍କ ନେତୃତ୍ୱରେ ବାହାରି ଆସି ଜନତା ଦଳ (ଓ) ନାମରେ ପରିଚିତ ହେଲେ । ଅନ୍ୟ ବିଧାୟକ ଦଳର ସଭ୍ୟମାନେ ନୀଳମଣି ରାଉତରାୟଙ୍କ ନେତୃତ୍ୱରେ ପରିଚାଳିତ ହୋଇ ଜନତା ଦଳର ବିଧାୟକ ଭାବରେ ବିବେଚିତ ହେଲେ । ସେମାନଙ୍କ ସଂଖ୍ୟା ହୋଇଗଲା ୮୨ । ଜନତା ଦଳ ବିଭାଜନ ପରେ ମନ୍ତ୍ରିମଣ୍ଡଳପାଇଁ କୌଣସି ବିପଦ ଦେଖାଗଲା ନାହିିଁ । ଏହି ବିଭାଜନ ପରେ ୨୮ଜଣିଆ ଜନତା (ଓ) ବିଧାୟକ ଦଳର ନେତା ପ୍ରହ୍ଲାଦ ମଲ୍ଲିକ ୧୯୭୯ ମସିହା ସେପ୍ଟେମ୍ବର ତିନି ତାରିଖ ଦିନ ବିରୋଧୀ ଦଳ ନେତା ଭାବରେ ସ୍ୱୀକୃତି ଲାଭ କଲେ ।୨୧୮ . ଓଡ଼ିଶା ରାଜନୀତିର ଇତିହାସ