କିଛିବର୍ଷ ତଳେ ବରିଷ୍ଠ ନାଗରିକମାନଙ୍କ ପାରିବାରିକ ସମସ୍ୟାକୁ ନେଇ ନିର୍ମିତ ‘ବାଗ୍ବାନ୍’ ଚଳଚ୍ଚିତ୍ରରେ ବୟସ୍କ ନାୟକ ଅମିତାଭ ବଚ୍ଚନ ନାୟିକା ହେମାମାଳିନୀଙ୍କୁ ଭାଲେଣ୍ଟାଇନ୍ ଶୁଭେଚ୍ଛା ଦେବାର ଦୃଶ୍ୟ ବେଶ୍ ଉପଭୋଗ୍ୟ ଥିଲା । କିନ୍ତୁ ବିଗତ ବର୍ଷଟି ଭାରତୀୟ ଭାଲେଣ୍ଟାଇନ୍ ଭକ୍ତ ଓ ପ୍ରେମ ପାଗଳମାନଙ୍କପାଇଁ ଥିଲା ଘଟଣା-ଦୁର୍ଘଟଣାର ବର୍ଷ । ଗୁଜୁରାଟ, ମୁମ୍ବାଇ, ମାଙ୍ଗାଲୋର, ଜୟପୁର, ଭୋପାଳ ସମେତ ଅନେକ ଜାଗାରେ ଏମାନେ ଆକ୍ରମଣର ଶିକାର ହୋଇଥିଲେ । ଏହା ପୂର୍ବରୁ ଭୁବନେଶ୍ୱରରେ ଏକ ପାର୍କରୁ ଅବିବାହିତ ପ୍ରେମୀ ଯୁଗଳଙ୍କୁ ଘଉଡ଼ାଇବାପାଇଁ ସଦଳବଳେ ଉଭା ହୋଇଥିଲେ ସ୍ୱୟଂ ମହିଳା କମିଶନ ଅଧ୍ୟକ୍ଷା । ଏବେ ରାଜସ୍ଥାନର କଂଗ୍ରେସ ମୁଖ୍ୟମନ୍ତ୍ରୀ ଓ କର୍ଣ୍ଣାଟକର ବିଜେପି ମୁଖ୍ୟମନ୍ତ୍ରୀ ଉଭୟେ ରାସ୍ତାଘାଟରେ ମୁକ୍ତ ପ୍ରେମ ନିବେଦନକୁ ନାପସନ୍ଦ କରି ବିବୃତ୍ତି ଦେଇଛନ୍ତି । ଶିବସେନା, ରାମସେନା ଓ କେତେକ ମହିଳା ସଂଗଠନ ଭାରତରେ ‘ଭାଲେଣ୍ଟାଇନ୍’ ଅପସଂସ୍କୃତିର ଘୋର ବିରୋଧ କରୁଛନ୍ତି । ଏ ମାସରେ ସୁପ୍ରିମ୍ କୋର୍ଟ କେବଳ ବିବାହିତ ପତି-ପତ୍ନୀଙ୍କୁ ସର୍ବସାଧାରଣ ଜାଗାରେ ଚୁମ୍ବନ କରିବାର ଅଧିକାର ଦେଇଛନ୍ତି । ଅପରପକ୍ଷରେ ଉତ୍ତରପ୍ରଦେଶ ମଦ୍ରାସା ଏଡୁକେସନ୍ ବୋର୍ଡ ପୁଅ-ଝିଅଙ୍କ ସହ ଶିକ୍ଷାକୁ ସାରିଆତ୍ ବିରୋଧୀ ବୋଲି ଘୋଷଣା କରିବା ପରେ ମୁସଲିମ୍ ସମ୍ପ୍ରଦାୟରେ ହଇଚଇ ସୃଷ୍ଟି ହୋଇଛି । ଏବେ ଲଣ୍ଡନବାସୀ ମୁଲ୍ଲା ଅଂଜିମ ଚୌଧୁରୀ ‘ଭାଲେଣ୍ଟାଇନ୍ସ୍ ଡେ’ ପାଳୁଥିବା ଯୁବକ ଯୁବତୀ ନର୍କରେ ପଡ଼ିବେ ବୋଲି ଘୋଷଣା କରି କେବଳ ଆଲ୍ଲାଙ୍କୁ ଭଲ ପାଇବାକୁ ଆଦେଶ ଦେଇଛନ୍ତି ।
ବିକଳ୍ପ ବିଶ୍ୱ ୨୬୫