Jump to content

ପୃଷ୍ଠା:Saptascharya.pdf/୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଥିୟୋଡୋସିୟସ୍‌ଙ୍କ ଆକ୍ରମଣ ସହ ତାଳ ଦେଇଥିଲା ଅଲମ୍ପିଆର ଭାଗ୍ୟ । ଅଲମ୍ପିଆକୁ ଘାରିଥିଲା ଭୂମିକମ୍ପ, ଭୂସ୍ଖଳନ ଓ ନଈବଢ଼ି । ବନ୍ଦ ହୋଇପଡ଼ିଥିବା ଜିଅସ୍‌ଙ୍କ ମନ୍ଦିର ୪୨୫ ଖ୍ରୀଷ୍ଟାବ୍ଦରେ ଜଳିଯାଇଥିଲା ଏକ ଅଗ୍ନିକାଣ୍ଡରେ । କିନ୍ତୁ ତାହାର ଖୁବ୍ ଆଗରୁ ଜିଅସ୍‌ଙ୍କ ପ୍ରତି ନିଜ ବିଶ୍ୱାସ ହରାଇପାରିନଥିବା କିଛି ଗ୍ରୀକ୍ ବେପାରୀ ମୋତେ ନେଇଯାଇଥିଲେ ‘କନ୍‌ଷ୍ଟାଣ୍ଟିନୋପୋଲ୍‌କୁ । ମୁଁ ଅପୂଜା ପଡିରହେ ଏକଥା ସେମାନେ ସହିପାରିନଥିଲେ । ସେମାନେ ମୋତେ ନେଇ ରଖିଥିଲେ ଏକ ବିରାଟ ପ୍ରାସାଦରେ । କିନ୍ତୁ ୪୬୨ ଖ୍ରୀଷ୍ଟାବ୍ଦର ଏକ ଅଗ୍ନିକାଣ୍ଡରେ ମୁଁ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଗଲି ।

ସମୟ ମୋର ପ୍ରକୃତ ରୂପର କୌଣସି ଚିହ୍ନ ରଖିଲାନି । ମୋର ଅନେକ ପ୍ରତିକୃତି ତିଆରି କରାଯାଇଥିଲା । ଏପରି ଏକ ବିରାଟ ପ୍ରତିକୃତି ଥିଲା ସାଇରିନ୍ ଠାରେ । କିନ୍ତୁ ଗୋଟିଏ ହେଲେ ପ୍ରତିକୃତି ଆଜିଯାଏ ବଞ୍ଚିରହିନାହିଁ । ତେଣୁ ମୁଁ ପ୍ରକୃତରେ କେତେ ବିରାଟ ଓ ଆକର୍ଷକ ଥିଲି ତାହା କେବଳ ଅନୁମାନ କରାଯାଉଛି ଇତିହାସକାରମାନଙ୍କ ଲେଖାରୁ ମୁଁ ପ୍ରକୃତରେ କିଭଳି ଥିଲି ତାହା ଜାଣିବା ଏବେ ଅସମ୍ଭବ ହୋଇପଡ଼ିଛି । ଅଲମ୍ପିଆରେ ପଡ଼ିରହିଛି ମୋ ମନ୍ଦିରର ଧ୍ୱଂସାବଶେଷ । ମୋ ସହ ଦେବରାଜ ଜିଅସ୍ ବି ହୋଇଯାଇଛନ୍ତି ଅତୀତର ଗାଥା ।

ଜିଅସ୍ ଓ ମୁଁ ଥିଲୁ କାଳର ହାତରେ କ୍ରୀଡ଼ନକ । ସମୟ ବଦଳିଲା । ଆମ ସ୍ଥାନ ନେଲେ ନୂତନ ବିଶ୍ୱାସର ନୂତନ ପ୍ରତୀକମାନେ । ମୁଁ ଜାଣେ ସେମାନେ ବି କାଳ ହାତର ଖେଳନା । ହୁଏତ ନିଜକୁ ମଣିଷମାନଙ୍କ ନଜରରୁ ଲୁଚାଇ ରଖିବା ପାଇଁ କାଳ ମଣିଷକୁ ଧରାଇ ଦିଏ ମୋ ଭଳି ପ୍ରତୀକାତ୍ମକ ବିଶ୍ୱାସର ଖେଳନା । ଯେଉଁ ଅଳ୍ପ କେତେଜଣ ଏହି ଖେଳନାରେ ଭଳି ନଯାଇ ବିଶ୍ୱାସର ପ୍ରକୃତ ଉତ୍ସକୁ ଖୋଜିବା ଆରମ୍ଭ କରନ୍ତି ସେମାନେ ପାଲଟନ୍ତି କାଳଦ୍ରଷ୍ଟା । ସେମାନେ ହିଁ ଅନୁଭବ କରିପାରନ୍ତି ପ୍ରକୃତ ବିରାଟତା । ସେମାନଙ୍କ ପାଇଁ ମୋ ଭଳି ପ୍ରତୀକାତ୍ମକ ବିରାଟତା ତୁଚ୍ଛ ।

୫୨ ସପ୍ତାଶ୍ଚର୍ଯ୍ୟ