ବେଳେବେଳେ ପୁଣି ବିରୋଧାଭାସ ସୃଷ୍ଟି କରି ମାମା କହିବ, ରଙ୍ଗବତୀ ଏଇ ହାଣ୍ଡିଶାଳ ଘର ରୁଅ ପରି, ଯାହାର ଅର୍ଥ ତ୍ରିପଣ୍ଡ କାଳୀ । ପ୍ରତିବାଦ କରି ମୁଁ କହେ- 'ନା, ନା ।' ନୂଆଖୁଡ଼ୀ ଆସି ମୋ ପଟ ନେଇ କହିବେ- 'ନାଇଁମ ବୁଢ଼ା ବୋହୂ ଶଙ୍ଖ ମଲମଲ ପ୍ରତିମା ପରି ତକତକ ଗୋରା ।' ମୁଁ କିରିକିରି କରି ହସି ଉଠେ । ଏଇ ଦ୍ୱନ୍ଦ୍ୱ ଭିତରେ- ଏଇ କ'ଣ ହେବ, କ'ଣ ନାହିଁ ଭିତରେ କଟିଯାଏ ପିଲାଦିନ । ପିଲାଟା କ'ଣ ହୋଇପାରେ ଅପେକ୍ଷା ପିଲାଟା କ'ଣ ନହୋଇପାରେ, ଏଇ ପ୍ରଶ୍ନ ହିଁ ରହିବା ଉଚିତ୍ ସମସ୍ତଙ୍କ ତୁଣ୍ଡରେ । ତା'ର ଅଦୃଷ୍ଟର ତାଲିକା କିଏ ଅଟକଳ କରିପାରିବ ? କାଲି ସେ ଚନ୍ଦ୍ରଲୋକକୁ ଯାଇପାରେ ଏବଂ ସେଠାରେ ପୃଥିବୀର ଉଦୟ ଦେଖିପାରେ, କିମ୍ବା ରସାତଳରେ ପଡ଼ିପାରେ । ତା'ର ଅଦୃଷ୍ଟର ରେଖାଗୁଡ଼ାକ ବଙ୍କାଟଙ୍କା ରେଳଲାଇନ୍ ପରି କୁଆଡ଼କୁ ଲମ୍ବିଯାଇଛି । ସେ କେଉଁଆଡେ଼ ଯିବ, କେଉଁଠି ରହିବ, କିଏ କହିବ ? ତା'ର ସମ୍ଭାବନା ଯେପରି ବ୍ୟାପକ, ତା'ର ବିଡ଼ମ୍ବନା ଓ ବଂଚନା ମଧ୍ୟ ସେତିକି ପ୍ରଖର ।'
ଜ୍ଞାନପୀଠ ବିଜେତା କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ଆତ୍ମଜୀବନୀ 'ଉତ୍ତର କକ୍ଷରୁ' ଉଦ୍ଧୃତ ।
ସେମାନଙ୍କ ପିଲାଦିନ ୩୫