ପୃଷ୍ଠା:Semananka piladina.pdf/୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରାଗିମାଗି କହେ, 'ଗୋଟିଏ ବୋଲି ପିଲା । ତାକୁ ତମେ ସବୁ ମିଶି ମାରି ପକେଇବ । ନିଆଁ ପଡ଼ୁ ବଇଷମ ଅବଧାନ ମୁହଁରେ ।'

ମୋର ନିଭୃତ ପୃଥିବୀକୁ ମୁଁ କିନ୍ତୁ ଯେତେବେଳେ ଫେରିଆସେ, ସେତେବେଳେ ବାହାରର ସବୁକିଛି ଭୁଲିଯାଏ । ନିମଜ୍ଜିତ ହୋଇପଡେ଼ ମୋର ସ୍ୱପ୍ନର ସଂସାରରେ ।

ଆମ ବାଡ଼ିରେ ତାଳଗଛର ବାହୁଙ୍ଗା ସବୁ ପବନରେ ଦାମ୍‍ମା ପିଟିବାବେଳେ, ମୁଁ ଉତ୍କର୍ଣ୍ଣ ହୋଇଉଠେ । ତାଳଗଛ ସବୁ ମୋତେ ଯେପରି କେତେ ଆଡ଼ର କେତେ କଥା କହୁଛନ୍ତି । ସେଥିରୁ କିଛିଟା ବୁଝିପାରେ, ଆଉ କିଛିଟା ଅବୁଝା ରହିଯାଏ ।...ନିଶୂନ୍‍ ରାତିରେ, ବାଉଁଶ ବଣରେ, ପବନ ନାନାବାୟା ଗୀତ ବୋଲେ । ଡାଆଣୀମାନେ ବି ବଇଁଶୀ ବଜାନ୍ତି...ଗୋଟିଏ ଅଶରୀରୀ କେଁ କେଁ ସ୍ୱର ଶୁଣିବାପାଇଁ ମୋତେ ଯେତିକି ଭଲଲାଗେ ସେତିକି ମଧ୍ୟ ଭୟ ଲାଗେ ।

ଏଇ ଥିଲା ମୋର ଶୈଶବର ପୃଥିବୀ ।

ଗଛ... ଚଢେ଼ଇ... ପ୍ରଜାପତି... ଫୁଲ... ଧୂଳି... ଖପରା ଇତ୍ୟାଦିର ଐଶ୍ୱର୍ଯ୍ୟରେ ମୁଁ ଥିଲି ଐଶ୍ୱର୍ଯ୍ୟମନ୍ତ ।

ବଇଷମ ମାଷ୍ଟର

କଳା କିଟିକିଟିଆ ଡେଙ୍ଗା ପାତଳା ମଣିଷଟିଏ । ମୁଣ୍ଡଟି ଲଣ୍ଡା । ବେକରେ ତିନିସାରି ତୁଳସୀ କଣ୍ଠି । ମୁହଁରେ ହନୁହାଡ଼ ବାହାରିପଡ଼ିଛି । ଆଖି ଦୁଇଟା ପେଜୁଆ । କାନ୍ଧରେ ଖଣ୍ଡେ ଗାମୁଛା- ପିନ୍ଧାରେ ଆଣ୍ଠୁ ନଲୁଚା ମଇଳା ଧୋତି । କଣ୍ଠ ସ୍ୱର ଘାଗଡ଼ା । କଥାବାର୍ତ୍ତା କଲେ ଗଂଜେଇ ଧୂଆଁର ବାସନା ବାହାରେ । ଇଏ ଥିଲେ ଆମ ଗାଁର ମାଟିବଂଶ ଅବଧାନ... ବଇଷମ ଅବଧାନ । ଲୋକଟି ଗୃହୀ ବୈଷ୍ଣବ । ପୁରୁଷୋତ୍ତମ ପୁର ଗାଁରେ ତାଙ୍କ ଘର ଖଞ୍ଜାଟି ମହାନ୍ତି ସାହିରୁ ଅଲଗା । ସିଏ ଆମ ଗୋତ୍ରରେ ନଥିଲେ । ତାଙ୍କ ଖଞ୍ଜା ବାଡ଼ିର ଚେହେରା ଅନେକଟା ମଠ ପରି । ବୈଷ୍ଣବ ହେଲେ କ'ଣ ହେଲା, ଭାରି ନିଷ୍ଠୁର । ପିଲାଙ୍କୁ ନିସ୍ତୁକ ବାଡ଼ଉଥିଲେ । ପୁଣି ବଦରାଗୀ । ଆମେ ପିଲାମାନେ ତାଙ୍କୁ ପଛରେ ଡାକୁଥିଲୁ 'ବାଘ' । ଏଇ ବାଘ ଯାଉଛି, ଏଇ ବାଘ ଆଇଲା ।

ଦିନେ ବାପା ଗାଁକୁ ଆସି ତାଙ୍କୁ ଆମ ଘରକୁ ଡକାଇ ପଠାଇଲେ । ବାପା ବୈଷ୍ଣବ ଅବଧାନଙ୍କୁ କହିଲେ, 'ୟେ ଟୋକାଟାକୁ ଛଅ ବର୍ଷ ତ ପୂରିଲା । ଏ ପର୍ଯ୍ୟନ୍ତ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ବି ମଡେଇଲା ନାହିଁ । ମୁଁ ତ ଦୃଷ୍ଟିଦେଇ ପାରୁନାହିଁ । ବାଉରୀ ସାଇ ଟୋକାଙ୍କ ମେଳରେ ମିଶି ଭାରି ଖେଚଡ଼ ହୋଇ ଗଲାଣି । ତାକୁ ଆପଣଙ୍କ ଚାହାଳିରେ ନେଇ ବସାନ୍ତୁ,

ସେମାନଙ୍କ ପିଲାଦିନ ୫୩