ପୃଷ୍ଠା:Semananka piladina.pdf/୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନିଥିଲା; ବନ୍ୟାପ୍ଳାବନ, ଘାଈଭଙ୍ଗା କ୍ଷତି ଓ ନଈ ପହଁରା ସହିତ ଚିହ୍ନା ପରିଚୟ କରାଇ ଦେଇଥିଲା । ପିଲାଦିନେ କୌତୂହଳ ସହିତ ମୁଁ ଗାଁ ପିଲାଙ୍କ ସାଙ୍ଗରେ ନଈରେ ମୁଗୁରା ବସାଇବାକୁ ଯାଉଥିଲି । ଓଡ଼ିଶା ଗୋଟିଏ ନଦୀମାତୃକା ରାଜ୍ୟ । ସେହିପରି ଆମ ଗାଁଟି ମଧ୍ୟ ନଦୀମାତୃକା ।

ଆମକୁ ରାୟଗୁରୁ ବଂଶ କୁହାଯାଏ । ଆମ ଗାଁର ରାଜସ୍ୱ ନାମ ସୁକିନ୍ଦା ହେଲେ ହେଁ ଆମ ବ୍ରାହ୍ମଣ ଶାସନଟିର ନାମ ଥିଲା ବୀରନରସିଂହପୁର । ଏହି ନାମରେ ପୁରୀ ଜିଲ୍ଲାରେ ବି ଗୋଟିଏ ଗାଁ ଅଛି । ଆମ ଗାଁର ନାମକରଣ କାହିଁକି ଏପରି ହୋଇଛି ସେ ଇତିହାସ କେହି କହିପାରୁ ନାହାନ୍ତି । ତ‌ଥାପି ଏତିକି ଶୁଣାଯାଏ ଯେ, ମୋର ପୂର୍ବପୁରୁଷମାନେ ହରିଶପୁର ରାଜାଙ୍କଦ୍ୱାରା ନିମନ୍ତ୍ରିତ ହୋଇ ସେ ଗାଁକୁ ଆସିିଥିଲେ । ହରିଶପୁର ରାଜାଙ୍କର ଏବେ ଏରସମା ଥାନାର ବଙ୍ଗୋପସାଗର କୂଳରେ ଅବସ୍ଥିତ ସରମନ୍ତଠାରେ ଜଗନ୍ନାଥଙ୍କ ମନ୍ଦିର ଅଛି । ପୁରୀ ପରି ସେଠାରେ ତ୍ରିମୂର୍ତ୍ତିି ବିରାଜମାନ । ହରିଶପୁର ରାଜାଙ୍କ ପୁରାତନ ଗଡ଼ରେ ଚଣ୍ଡୀ ମନ୍ଦିର ଅଛି । ତାହା ମଧ୍ୟ ସମୁଦ୍ର କୂଳରେ ଅବସ୍ଥିତ । ଇଂରେଜମାନେ ତାଙ୍କ ବିରୋଧୀ କନିକା, କୁଜଙ୍ଗ, ହରିଶପୁର, ମରିଚପୁର ରାଜାଙ୍କୁ ପଦଚ୍ୟୁତ କରି ଜମିଦାରୀରେ ପରିଣତ କରିିଥିଲେ । ହରିଶପୁର ରାଜଗାଦି ଉଠିଗଲା । ଏହା ଗୋଟିଏ ଜମିଦାରୀ ହୋଇଯିବାରୁ ଲର୍ଡ କର୍ଣ୍ଣଓ୍ୱାଲିସ୍‍ଙ୍କ ସୂର୍ଯ୍ୟାସ୍ତ ଆଇନ ଅନୁସାରେ ବାକି ରାଜସ୍ୱପାଇଁ ଜମିଦାରୀଟି କଲିକତା ହାଇକୋର୍ଟରେ ନିଲାମ ହେଲା । କଲିକତାର ଦୁଇ ନମ୍ବର କର୍ଣ୍ଣଓ୍ୱାଲିସ୍‍ ଷ୍ଟ୍ରୀଟ୍‍ରେ ଥିବା ଗୋକୁଳ ଚନ୍ଦ୍ର ଲାହା ଏହାକୁ କିଣି ନେଇଥିଲେ । ମୋ ଜନ୍ମ ବେଳକୁ ଗୋକୁଳ ଚନ୍ଦ୍ର ଲାହା ଓ ତାଙ୍କ ଭାଇ ବୃନ୍ଦାବନ ଚନ୍ଦ୍ର ଲାହା ଆମ ଜମିଦାର ଥିଲେ ।

ମୁଁ ଜନ୍ମ ହୋଇଥିଲି ୧୯୧୮ ମସିହା ନଭେମ୍ବର ମାସ ୧୭ ତାରିଖ ରବିବାର କାର୍ତ୍ତିିକ ପୂର୍ଣ୍ଣିିମା ଦିନ ପ୍ରାତଃ ସାଢେ଼ ଚାରିଟା ବେଳେ । ମୁଁ ବଡ଼ବଡ଼ିଆଙ୍କଠାରୁ ଶୁଣିଛି, ଗାଁ ମାଇପେ ସେଦିନ ସକାଳୁ ଉଠି କଦଳୀ ପାଟୁଙ୍ଗା ଡଙ୍ଗା ଭସାଇବା ଲାଗି ଡକାଡକି ହୋଇ ଅଳକା ନଦୀକୁ ବାହାରିଲେ । ସେମାନେ ବୋଉକୁ ଡାକିଲେ । ବୋଉ ଡଙ୍ଗା ଧରି ବାହାରିଛି, ଏଇ ସମୟରେ ତା' ପେଟ କାଟିଲା ପରି ଜଣାପଡ଼ିଲା ଓ ମୁଁ ଜନ୍ମ ହୋଇପଡିଲି । ଆମ ଘରେ ବୋଉ ଛଡ଼ା ଆଉ କୌଣସି ସ୍ତ୍ରୀଲୋକ ନଥିଲେ ।

ମୁଁ ୧୯୨୭ରେ ବୃତ୍ତି ପରୀକ୍ଷା ଦେବାପାଇଁ ତିର୍ତ୍ତୋଲ୍‍ର ମଣିଜଂଗା ଯାଇଥିଲି । ବିଲବାଟରେ ତାହା ଆମ ଗାଁଠାରୁ ପ୍ରାୟ ୬୦ କିଲୋମିଟର ଦୂର । ମୋତେ ସେତେବେଳକୁ ନଅ ବର୍ଷ ପୂରି ଦଶବର୍ଷ ଚାଲିଛି । ମୁଁ ଏତେ ବାଟ ଚାଲିକରି ଯାଆନ୍ତି ବା କିପରି ? ପରୀକ୍ଷା

ସେମାନଙ୍କ ପିଲାଦିନ ୪୭