ଆମ ପଡ଼ାରେ ରହୁଥିବା ଗୋକୁଳ ଚନ୍ଦ୍ର ପୂଜାରୀଙ୍କ ଝିଅ ମନୋରମାଙ୍କ ସହିତ ମୋର ବିବାହ ସଂପର୍କ ପକ୍କା ହୋଇଗଲା । ସେତେବେଳେ ମୋର ବୟସ ଆଠ ବା ନଅ ବର୍ଷ । ମୋର ଭବିଷ୍ୟତ ପତ୍ନୀଙ୍କର ବୟସ ତିନି ବର୍ଷ । ଆମ ଶାସ୍ତ୍ରକାରମାନେ ଯେଉଁଦିନ ଲେଖିଦେଲେ 'ନଗ୍ନିକାମୁଦ୍ବହେତ୍ ସ୍ତ୍ରିୟମ୍' 'ଅଷ୍ଟବର୍ଷାତ୍ ଭବେତ୍ ଗୌରୀ' ଆଦି ସେ ସମୟରୁ ହୁଏତ ବିବାହିତା ସ୍ତ୍ରୀର ସତୀତ୍ୱ ସଂରକ୍ଷିିତ ହେବା ଉଦ୍ଦେଶ୍ୟରେ ଏ ବିଧାନ କରାଯାଇଥିଲା । ମାତ୍ର ଜାତିର ପୌରୁଷ ଉପରେ ଏହାର ପ୍ରଭାବ ବିଷୟରେ ଶାସ୍ତ୍ରକାରମାନେ ହୁଏତ ଯଥେଷ୍ଟ ଚିନ୍ତା କରି ନଥିଲେ ।
ବିବାହ ପ୍ରସ୍ତାବ ଦିନଠାରୁ ରାସ୍ତାରେ ଶିଶୁ କନିଆଁ ସାଙ୍ଗରେ କେଉଁଠି ଦେଖାହେଲେ ମୋର ମୁହଁ ବୋଧହୁଏ ଲାଜରେ ଲାଲ୍ ହୋଇ ଯାଉଥିଲା ଓ ସେ ମୋତେ ବର ବୋଲି ମୋଠାରୁ ଲୁଚିବାକୁ ଶିଖୁଥିଲା ତିନି ଚାରି ବର୍ଷ ବୟସରେ । ସେ ଯୁଗର ପିଲା ବର କନିଆଙ୍କର ସଂପର୍କ ଓ ପରସ୍ପର ପ୍ରତି ଲାଜ ଓ ସଙ୍କୋଚ ଥିଲା ଅତି ଗୁରୁତର କଥା । ଆଜି ଏତେ ବର୍ଷ ପରେ ଏପରି ଘଟନା ଅତି ହାସ୍ୟାସ୍ପଦ ମନେ ହେଉଛି, କିନ୍ତୁ ସେ ଯୁଗରେ ତାହା ଥିଲା ସ୍ୱାଭାବିକ ।
ଓଡ଼ିଶାର ଶିକ୍ଷା, ସଂସ୍କୃତି ଓ ରାଜନୀତି କ୍ଷେତ୍ରର ସୁଖ୍ୟାତ ବ୍ୟକ୍ତିତ୍ୱ ଡକ୍ଟର ଶ୍ରଦ୍ଧାକର
ସୂପକାରଙ୍କ ଆତ୍ମଜୀବନୀ 'ମଧ୍ୟମ ପୁରୁଷ'ରୁ ଉଦ୍ଧୃତ ।
ସେମାନଙ୍କ ପିଲାଦିନ ୪୫