ହିସାବରେ ମୁଁ ଓସ୍ତାଦ୍ । କିନ୍ତୁ ଏ ଲୁଗା ମାପ ଗଜ ବିଷୟରେ ମୋର ବିଲ୍କୁଲ୍ ଧାରଣା ନିଥିବାରୁ ମୁଁ ତାଙ୍କର ପ୍ରଶ୍ନର ଉତ୍ତର ଦେଇ ପାରିଲି ନାହିଁ । ଏହି କଥାଟି ମୋର ସ୍ପଷ୍ଟ ମନେଅଛି । ମୁଁ ଯେତେ ସୂତା କାଟିିଥିଲି, ତାହାକୁ ନେଇ ଗୋଟିଏ ଆଠ ନଅ ହାତ ସମ୍ବଲପୁର ଶାଢ଼ି ବୁଣା ହୋଇଥିଲା, ମୋର ଛାତ୍ରାବସ୍ଥାରେ ।
ମାଆଙ୍କର ଜୀବନଦୀପ ଧୀରେ ଧୀରେ ଲିଭି ଆସୁଥିଲା । ସେ ରାତିର ଜାଗ୍ରତ ସମୟରେ ମୁଁ ପ୍ରାର୍ଥନା କରି ଚାଲିଥାଏ । ତହିଁ ଆରଦିନ ସକାଳ ନଅଟାରେ ମାଆଙ୍କର ପରଲୋକ ହେଲା । ସେତେବେଳେ ତାଙ୍କର ବୟସ ଥିଲା ମାତ୍ର ୩୦ବର୍ଷ ।
ସେ ଦିନରୁ ଅର୍ଦ୍ଧ ଶତାବ୍ଦୀରୁୁ ଅଧିକ ବର୍ଷ ବିତି ଯାଇଛି । ମାତୃ ସ୍ନେହର ସ୍ମୃତିଚିହ୍ନ କ୍ଷୀଣ ହୋଇ ଆସିଛି । କିନ୍ତୁ ସେହି ସ୍ନେହର ଅଭାବ ମନରେ ଚିରସ୍ଥାୟୀ ଛାପ ଆଙ୍କି ଯାଇଛି । ପାଖପଡ଼ିଶା ପିଲାମାନେ ଯେତେବେଳେ ନିଜ ନିଜ ମାଆମାନଙ୍କଠାରୁ ଆଦର ଯତ୍ନ ପାଉଥିଲେ, ତାହା ଦେଖି ମନେ ହୋଇଛି- ମୁଁ କେତେ ଗରିବ ! ମାଆ ବଞ୍ଚିିବା ବେଳେ ମୁଁ ସ୍କୁଲ୍ରୁ ଫେରିବା ବେଳକୁ ତାଙ୍କର ପ୍ରତୀକ୍ଷା, ତାଙ୍କର କୋଳରେ ମୁଣ୍ଡଦେଇ କାନ୍ଦିବାର, ହସିବାର, କଥା କହିବାର ସ୍ମତିକୁ ଦରିଦ୍ରର ସମ୍ବଳ ପରି ସାଇତି ରଖିଛି ମନର ଗମ୍ଭୀରାରେ । ଅଭାବକୁ ସ୍ୱୀକାର କରିବାକୁ କୁଣ୍ଠାବୋଧ କରି ବହୁବାର ଶିଶୁ ସୁଲଭ କଳ୍ପନା କରିଛି, ଯଦି କେଉଁ ଋଷି, ମୁନି ବା ଭଗବାନ ମାଆଙ୍କର ଶ୍ମଶାନ ଭସ୍ମକୁ ନେଇ ମନ୍ତ୍ରବଳରେ ଜୀବନ୍ୟାସ କରନ୍ତେ, ମାଆଛେଉଣ୍ଡ ପିଲା ସହଜରେ ମୃତ୍ୟୁକୁ ସ୍ୱୀକାର କରନ୍ତା ନାହିଁ ।
ମୁଁ ଦଶ ବର୍ଷର ପିଲା ଥିବାରୁ ମୁଖାଗ୍ନି ଦେବାପାଇଁ ଶ୍ମଶାନକୁ ଯାଇନାହିଁ । କିନ୍ତୁ ଶୁଦ୍ଧ ଶ୍ରାଦ୍ଧ ମୋଦ୍ୱାରା କରାଇବାପାଇଁ ସମାଜର ଗୁରୁଜନମାନେ ପରାମର୍ଶ ଦେଲେ । ମୁଁ ସେହି ଦାୟିତ୍ୱ ତୁଲାଇବାକୁ ରାଜି ହେଲି । ଦଶ ଦିନ ପର୍ଯ୍ୟନ୍ତ ତଳେ ଶୋଇବା, ଦିନକୁ ବେଳାଏଁ ଲେଖାଏଁ ପଖାଳ ଖାଇବା, ପ୍ରତିଦିନ ନଦୀ ଘାଟରେ ପିଣ୍ଡ ଦେବା ଆଦି କାର୍ଯ୍ୟ ମୋ ପକ୍ଷରେ କଷ୍ଟକର ହେଲେ ମଧ୍ୟ ଅସାଧ୍ୟ ନଥିଲା । ଅନ୍ଧାର ଓ ପ୍ରେତଭୟ ଦୂର କରିବାପାଇଁ ଯେତେଦୂର ସମ୍ଭବ ଅଧିକ ଗାୟତ୍ରୀ ମନ୍ତ୍ର ଜପ କରିବାକୁ ବାପାଙ୍କର କାକା ଅନନ୍ତରାମ ସୁଆର ମୋତେ ପରାମର୍ଶ ଦେଲେ ଓ ମୁଁ ସେହି ପରାମର୍ଶ ଯଥାସାଧ୍ୟ ପାଳନ କଲି । ପୁଷ୍କରଦୋଷ ଖଣ୍ଡନପାଇଁ ଏକାଦଶାହ ରାତିରେ ହୋମ କରିବା ଓ ଅଧ ରାତିରେ ନଦୀଘାଟରେ ପିଣ୍ଡ ଦେବା କଥା ଆଜି ଯାଏ ମନେଅଛି । ଦ୍ୱାଦଶ ଦିନ ଶ୍ରାଦ୍ଧ ଶେଷ ହେବା ପର୍ଯ୍ୟନ୍ତ ଏହି କାର୍ଯ୍ୟବ୍ୟସ୍ତତା ଶୋକର ତୀବ୍ରତାକୁ ଆଂଶିକ ଭାବରେ ଉପଶମ କରିବାରେ ସାହାଯ୍ୟ କରେ । ଏଥିପାଇଁ ମୋ ପରି ଅଳ୍ପବୟସ୍କ ପିଲାଦ୍ୱାରା ଶୁଦ୍ଧ ଶ୍ରାଦ୍ଧକ୍ରିୟା କରାଇବା ଯଥାଯଥ ହୋଇଥିଲା ।
୪୪ ସେମାନଙ୍କ ପିଲାଦିନ