ପୃଷ୍ଠା:Chha mana atha guntha.pdf/୯୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଧ୍ୟରେ କେହି ଖାଇଲା ବା କେହି ନ ଖାଇଲା, ବାଘସିଂହ ଘରଆଡ଼େ ଚାହିଁ ଢକଢକ କରି ଢାଳେ ପାଣି ପିଇଦେଇ ପଡ଼ିଗଲେ । ଧାନ ଘର ଛାଡ଼ି ଆଉ ଆଉ ଘରେ ନିଆଁ ଲିଭିଲାଣି, କୌଣସି କୌଣସି ଘରୁ ଅଳପ ଅଳପ ଧୂଆଁ ବାହାରୁଅଛି । ରାତି ଅନ୍ଦାଜ ଦୁଇଘଡ଼ି, ଭାଇମାନଙ୍କ ସହିତ ବାଘସିଂହ ଆଉ ଗାଁଲୋକେ ସମସ୍ତେ ଗୋଟାଏ ଗଛମୂଳେ ବସିଛନ୍ତି । ବାଘସିଂହ ପଚାରିଲେ, "ନିଆଁ କିପରି ଲାଗିଲା ?" ସମସ୍ତଙ୍କର ପ୍ରଶ୍ନ - ନିଆଁ କିପରି ଲାଗିଲା ? ଉତ୍ତର ଦେଉଛି କିଏ ? କେଳୁ ରଥେ କହିଲେ, "ନିଆଁ ଲଗାଇବ କିଏ, ବାଘଦୁଆରକୁ କିଏ ଆସିବ । ହିଙ୍ଗୁଳା ଠାକୁରାଣୀଙ୍କର କର୍ମ ।" ସମସ୍ତେ ତାହାଙ୍କ ମୁହଁକୁ ଚାହିଁ କହିଲେ, "ଠିକ୍, ଏଇ କଥା ଠିକ୍ ।" ଗୋବିନ୍ଦ ରଥେ କହିଲେ, "ନାହିଁ ହୋ ତାହା ନୁହେଁ, ବୁଢ଼ୀ ମଙ୍ଗଳାଙ୍କ କୋପ । ଦେଖୁ ନାହାନ୍ତି ମଙ୍ଗରାଜ ବରଷକସାରା ପୂଜା ଲଗାଉଛନ୍ତି । ମୂଁ କେତେ ଥର କହିଲି ପୂଜା ପଠାଅ ଶୁଣିଲେନାହିଁ, ଏବେ ଦେଖିଲେତ ? ମୁଁ ନବୁଝି ନସୁଝି କଛି କଥା କହେ ନାହିଁ । ଠାକୁରାଣୀ କୁଟ ନ ହେଲେ ଓଳିପଛ ପାଳଦଉଡ଼ି ଗଦାରୁ ନିଆଁ କାହୁଁ ଅଇଲା ?" ମାଣିକ କହିଲା, ସେସବୁ "କଥା ଯାହାହେଉ, ନୂଆବୋହୁ ପହରାଟା ଏକା ବଡ଼ ଖରାପ । ସେ ଏ ଘରେ ପାଦ ଦେବା ଦିନୁ ନାନା ଅମଙ୍ଗଳ ଗୋଡ଼ାଇଛି ।" ଶାମା ମାଆ କହିଲା, "ଏକଥାଟାଏକା ସତ, ଠିକ୍ ସତ । ଡରରେ ସିନା କହିପାରୁନଥିଲେ ! ଦେଖିଲେ ନା ଚୈଇତମାସରେ କିଛି କାହିଁ ନାହିଁ, ଗାଈଟାକୁ ସାପ ଦଂଶିଦେଲା ! ସାପ କି ଏ ଗାଁରେ ନ ଥିଲେ ? ଗାଈ କାମୁଡ଼ିଥିଲେ କେଉଁ ଦିନ ? ମୋହର ତ ବାରପୁଞ୍ଜା ବୟସ ହେଲା, 'ବାଘସିଂହ ଘର ଗାଈକୁ ସାପ କାମୁଡ଼ିଛି', ଏକଥା ଶୁଣି ନାହିଁ। "ମଓରା ହଳିଆ କହିଲା, ନୁହେଁ ତ କଣ ? ଦୁଇବରଷ ତଳେ ମୋହର ହାତୀ ପରି ଦୁଇଟା ବଳଦ ଗୁମ୍‌ଗୁମ୍ କରି ବସିଗଲେ । "ଅର୍ଜ୍ଜୁନା ହଳିଆ କହିଲା, "ଏହି ଆମ୍ବ ତୋଟାରେ ଗୋରୁ ଚରୁଥିଲେ, ଏ ବରଷ ଗୋଟାଏ ଦେଖିବାକୁ ସପନ । "ହଳିଆ ହଳିଆଣୀ, ଭଣ୍ତାରି ଭଣ୍ତାରୁଣୀ ସମସ୍ତଙ୍କ ଅନୁମାନ, ଯୁକ୍ତି ଏବଂ ପ୍ରମାଣ ପ୍ରୟୋଗଦ୍ୱାରା ସ୍ଥିରହେଲା ବୋହୂ ପହରା ଘରପୋଡ଼ିର କାରଣ ଅଟେ । ଏହି ସିଦ୍ଧାନ୍ତର ପୋଷକତାନିମନ୍ତେ ମାଣିକ ପୁନଶ୍ଚ କହିଲେ,"ଦେଖୁନାହଁ, ବୋହୁ ମାଉସୀ ଯେପରି ପାଦ ଦେଇଛି, ତିନିଦିନ ଯାଇନାହିଁ, ତିନି ପକ୍ଷ ଯାଇନାହିଁ