ଜାଗିଛନ୍ତି ବ୍ରହ୍ମଅଗ୍ନି ଅଲେଖ କୁଣ୍ଡେ

ଉଇକିପାଠାଗାର‌ରୁ
ଜାଗିଛନ୍ତି ବ୍ରହ୍ମଅଗ୍ନି ଅଲେଖ କୁଣ୍ଡେ
ଲେଖକ/କବି: ଭୀମ ଭୋଇ

ଜାଗିଛନ୍ତି ବ୍ରହ୍ମଅଗ୍ନି ଅଲେଖ କୁଣ୍ଡେ,
ଧାପ ଦେଉଛନ୍ତି ଏକୋଇଶ ବ୍ରହ୍ମାଣ୍ଡେ । ଘୋଷା ।

ବ୍ରହ୍ମ ବେନି ଭାଗ କଲା ଅଧେ ବ୍ରହ୍ମାଣ୍ଡ ରଚିଲା
ଗୁପତ ହୋଇ ରହିଛି ଆହୁରି ଖଣ୍ଡେ ।
ଏକ ବ୍ରହ୍ମ ରୂପ ଗୋଟି ଚାହିଁ ଚକ୍ଷୁ ଯିବ ଫୁଟି
ଯାହା ମୁଁ ଦେଖିଛି କିସ କହିବି ତୁଣ୍ଡେ ।୧।

କାଷ୍ଠର ପାଉଁଶ ନାହିଁ ଧୂମ ଧୂଆଁ ନ ଦିଶଇ
ଗୁଡ ଘୃତ ନାହିଁ ହୁତାଶନ ପ୍ରଚଣ୍ଡେ ।
ସାବଧାନ ହେଲେ ଯାଇଁ ହସ୍ତ ମାରି ଦେବେ କହି
ଲଲାଟ ପଟରେ ଲେଖା ହୋଇଛି ମୁଣ୍ଡେ ।୨।

ଶବ୍ଦ ବ୍ରହ୍ମ ଏକ ରୂପ ସକଳ ଜୀବଙ୍କ ବାପ
ଆସ୍ଥାନ ତଳରେ ସେବା ଭକତି ଛିଡେ ।
ବସି ଅଛନ୍ତି ଅନାଦି ଶୂନ୍ୟ ଆସନ ସମ୍ପାଦି
ଅଣଶବଦେ ପ୍ରକାଶ ଅମନ ଦାଣ୍ଡେ ।୩।

ହଜି ଯାଇଅଛି ସିନା ଉଦେ କରାଅ ବାସନା
ଯେବଣ ସୁକୃତ ଅଛି କରମ କାଣ୍ଡେ ।
ନିଗମ ପଥ ଆବୋରି ଅସାଧନାରେ ସୁମରି
ଧର ଦୃଢବନ୍ଧେ ଜୀବ ଥାଉଁ ଏ ପିଣ୍ଡେ ।୪।

ଯେଉଁ ଜନ ଭକ୍ତ ତା’ର ସେହି ଜାଣେ ବ୍ରହ୍ମସାର
ଶ୍ରୀପାଦ ତଳରେ ଶିର କମଳ ମଣ୍ଡେ ।
ଅକ୍ଷୟ ବ୍ରହ୍ମରେ ମିଶି ଏକରୂପେ ପ୍ରାୟେ ଦିଶି
ତାକୁ କେହି ସରି ନୁହେଁ ତିନି ବ୍ରହ୍ମାଣ୍ଡେ ।୫।

ପିନ୍ଧନ୍ତି ବୃକ୍ଷ ବକଳ ନେତ୍ରେ ଦେଖୁଛ ସକଳ
ଅତିଥି ପ୍ରାୟେ ବୁଲନ୍ତି ଧରମ ଦାଣ୍ଡେ ।
କହେ ଭୀମସେନ ଭୋଇ କେହି ଅନ୍ତ ପାଇନାହିଁ
ଘୋଡାଇ ରଖିଛ ଶୂନ୍ୟ ଗୁପତ ଭାଣ୍ଡେ ।୬।