ବଜ୍ର ମହାକାଳୀ ବ୍ରତ ଓ ଫୁଲେରୀ ଓଷା କଥା

ଉଇକିପାଠାଗାର‌ରୁ
ବଜ୍ର ମହାକାଳୀ ବ୍ରତ ଓ ଫୁଲେରୀ ଓଷା କଥା

ବଜ୍ର ମହାକାଳୀ ବ୍ରତ

ଫୁଲେରୀ ଓଷା କଥା

ଏକ ରାଜ୍ୟ ଅନ୍ତରେ ସାଧବ ଘର ଥିଲା । ତାହାର ଅନେକ ସମ୍ପତ୍ତି । ସାଧବାଣୀ ସାତପୁଅ ସାତବୋହୂ ଘେନି ଘର କରୁଥାଏ । କେତେ ଦିନ ଉତ୍ତାରୁ ଆଶ୍ୱିନ ମାସ ଅମାବାସ୍ୟା ହେଲା । ସାଧବାଣୀ ବୋହୂମାନଙ୍କୁ କ‌ହିଲା ଆଜି ଆର୍ଦ୍ରା ଅମାବାସ୍ୟା, ବଜ୍ରମହାକାଳୀଙ୍କ ପୂଜା । ଘରଦ୍ୱାର ଲିପାପୋଛା କରି ଝୋଟି ଦିଅ । ଏହ ଶୁଣି

ବୋହୂମାନେ ଲିପାପୋଛା କଲେ, ଝୋଟି ଦେଲେ, ଚାଉଳ ବିରି ବତୁରାଇଲେ, ଦୂବ ସାତଗୋଟି କଲେ, ହଳଦୀ ସାତଗୋଟି କଲେ, ଅରୁଆ ଚାଉଳ ସାତଗୋଟି କଲେ, ସୁବର୍ଣ୍ଣର ପୁସ୍ତା ଗଢ଼ାଇ ଆଣିଲେ । ସାନ ବୋହୂକୁ ଶାଶୁ କ‌ହିଲା, ଚାଉଳ ଛାଣିକରି ରଖ ଚୂନା କୁଟା ହେବ । ଏହାଶୁଣି ସାନବୋହୂ ଚାଉଳ ଆଣିବାକୁ ଗଲା । ଛାଣୁ ଛାଣୁ ଦୁଇଗୋଟି ଚାଉଳ ତୁଣ୍ଡରେ ପକାଇ ଦେଲା, କାହାରିକୁ ଜଣାନାହିଁ । ସେ ସମୟରେ ବଜ୍ର ମହାକାଳୀ ଦେବୀ ବାହାର ହୋଇ ତାହାର ହାତ ଧରି ପକାଇଲେ । କିଲୋ ଚଣ୍ଡାଳୁଣୀ ମୋ ଅମୁଣିଆ ଅଇଁଠା କଲୁ, ତୋ ଶାଶୁକୁ କ‌ହିବି । ସାଧବ ଘର ବୋହୂ କ‌ହିଲା ମାଗୋ ମୁଁ ନ‌ଜାଣି ଦୋଷ କଲି । ମୋର ଅପରାଧ କ୍ଷମାକର । ମୋତେ ଯାହା ଆଜ୍ଞା କରିବ ତାହା ମୁଁ ଆପଣଙ୍କୁ ଦେବି । ମୋ ଶାଶୁ ଆଗରେ କ‌ହିବ ନାହିଁ । ଏହା ଶୁଣି ବଜ୍ର ମହାକାଳୀ କ‌ହିଲେ ତୁ ସତ୍ୟକର । ସାଧବ ବୋହୂ ସତ୍ୟକଲା । ତୋର ଯେତେ ପୁତ୍ର ହେବ ମୋତେ ଦେବୁ । ସାଧବର ବୋହୂ ସ୍ୱୀକାର କଲା ।

ଏହାଶୁଣି ବଜ୍ରମହାକାଳୀ ଅନ୍ତର୍ଦ୍ଧାନ ହୋଇଲେ । ତ‌ହୁଁ ସାଧବଘର ସାନବୋହୂ ଚାଉଳ ନେଇ କୁଟାଇଲେ । ଆରଦ୍ରା ହାଣ୍ଡି ବସାଇଲେ, ଆରଦ୍ରା ସିଝିଲା ନାହିଁ । କଞ୍ଚା ରହିଲା । ସାନବୋହୂ ଠାକୁରାଣୀଙ୍କୁ ସ୍ମରଣା କଲା । ଠାକୁରାଣୀ କ‌ହିଲେ କିହେତୁ ସ୍ମରଣା କଲୁ, ଆରଦ୍ରା ହାଣ୍ଡି ସିଝିଲା ନାହିଁ । ଠାକୁରାଣୀଙ୍କ ଦୟା ବସିଲା । ଆରଦ୍ରା ହାଣ୍ଡି ସିଝିଲା । ଠାକୁରାଣୀ ଅନ୍ତର୍ଦ୍ଧାନ ହୋଇଗଲେ । ସାନବୋହୂ ଦେଖିଲା ବେଳକୁ ଆଉ କେହି ନାହାନ୍ତି । ଆରଦ୍ରା ହାଣ୍ଡି ଯାଇ ଦେଖିଲାବେଳକୁ ଆରଦ୍ରା ସିଝି ଶୀତଳ ହୋଇଛି । ଏହା ଦେଖି ଆନନ୍ଦିତ ହେଲା । ଶାଶୁ କ‌ହିଲେ ଆଲୋ ସମସ୍ତ ହେଲାଣିପରା ଆଣ, ପୁରୋହିତ ଆସିଲେଣି ପୂଜା ପୂଜିବା । ପୁରୋହିତ କଥା କ‌ହି ବସିଲେ । ସାଧବାଣୀ ଓଷା ପୂଜି ବସିଲେ । ଇନ୍ଦ୍ର ଗୋବିନ୍ଦ ଚାନ୍ଦୁଆ ବାନ୍ଧିଲେ । ମାଣିକ୍ୟର ଦୀପ ଜାଳିଲେ । ପାଟକେ ପାହାଡ଼ା ପାରିଲେ । ହଳଦୀ ମାଲପା ଲଗାଇ ଶିଳିପାକୁ ବସାଇଲେ । ପଞ୍ଚୁଶିଳ ମୃତରେ ସ୍ନାନ କରାଇଲେ । ହଳଦିଆ ପାଟ ପିନ୍ଧାଇଲେ । ଫୁଲ ଚନ୍ଦନ

ଦେଲେ, କଳା ସିନ୍ଦୁର ଦେଲେ, ଧୂପଦୀପ ଦେଇ ପୂଜା କଲେ । ବଜ୍ର ମହାକାଳୀଙ୍କି ସ୍ଥାପନ କଲେ । ଧାନ ଗଛ, ବେଲଗଛ, ବଜ୍ରମୂଳି ଗଛ, ଆଖୁଗଛ, ଅଁଳାଡାଳ ଓ ବେଲଡାଳ ବାଢ଼ିଲେ । କଦଳୀ, ନଡ଼ିଆ, ବାଢ଼ିଲେ, ବଜ୍ରମହାକାଳୀଙ୍କୁ ସୁବର୍ଣ୍ଣର ପୁସ୍ତା ଲଗାଇଲେ । କ‌ଖାରୁ ପତ୍ର ସାତଗୋଟି ପକାଇ ଆରଦ୍ରା ବାଢ଼ିଲେ । ନିଃସଖୁଡ଼ି ଶଙ୍ଖୁଡ଼ି ବାଢ଼ିଲେ । ସାତ ଶାଗର ତୁଣ ବାଢ଼ିଲେ । ଠାକୁରାଣୀଙ୍କୁ ନୈବେଦ୍ୟ କଲେ । କଥା ଶୁଣିଲେ । କ‌ଖାରୁ ପତ୍ର ସାତଗୋଟି ପକାଇ ପାଣିକ‌ଖାରୁ ସାତଗୋଟି ଗଡ଼ାଇଲେ । ପୁଅଝିଅ, ନାତିନାତୁଣୀ ଗଡ଼ାଇଲେ । କଥା ଶୁଣିଲେ, ପୁରୋହିତଙ୍କୁ ଦକ୍ଷିଣା ଦେଇ ବିଦାୟ କଲେ । ସେହି ପ୍ରସାଦକୁ ସମସ୍ତେ ବାଣ୍ଟି ଖାଇଲେ । ସାହିପଡ଼ିଶାକୁ ଦେଲେ । ଏଥି ଉତ୍ତାରୁ କେତେଦିନ ଗଲାପରେ ସାନବୋହୂ ଗର୍ଭବାସ ହେଲା । ଦେଖୁ ଦେଖୁ ଦଶମାସ ହେଲା । ପେଟ ବଥାଇଲା । ଶାଶୁକୁ କ‌ହିଲା ମୋର ପେଟ ବଥାଉଛି । ଶାଶୁ ଧାଈ ପରିବାର ଲଗାଇଲା । ପୁଅ ଜନ୍ମ ହେଲା । ନାଭି

କାଟି ଚନ୍ଦନ କାଠିରେ ଅନ୍ତୁଡ଼ି କଲେ । ଧାଈ ଲଗାଇଲେ, ତିନିଦିନ ଗଲା ଚାରିଦିନ ଦୁଧ ତରଣୀ କଲେ । ପାଞ୍ଚଦିନ ପଞ୍ଚୁଆତି କଲେ । ଛଅଦିନେ ଷଷ୍ଠୀ ପୂଜା କଲେ । ସେହିଦିନ ସନ୍ଧ୍ୟାବେଳକୁ ଠାକୁରାଣୀ ଆସି ପ୍ରବେଶ ହେଲେ । ପୁଅଟି ମାଗି କ‌ହିଲେ କିଲୋ ତୁ ପୂର୍ବେ ସତ୍ୟ କରିଥିଲୁ ପାଶୋରି ଗଲୁକି? ତାହା ଶୁଣି ସାଧବଘର ବୋହୂ ମନେକଲା, ମୁଁ ସତ୍ୟ କରିଛି ନ‌ଦେଲେ ସତ୍ୟଭଗ୍ନ ହେବି । ପୁଅଟିକୁ ମହାକାଳୀ ହସ୍ତକୁ ବଢ଼ାଇ ଦେଲା । ଠାକୁରାଣୀ ହସ୍ତପ୍ରସାରି ପୁଅକୁ ଘେନିଗଲେ । ଏଣେ ଶାଶୁ ଯାଇ ଦେଖିଲା ପୁଅ ନାହିଁ । ବୋହୂକୁ ପଚାରିଲା ପୁଅକାହିଁ, ସାଧବବୋହୂ କ‌ହିଲା ମୁଁ ଶୋଇଥିଲି କେ ଘେନିଗଲା ଜାଣି ନାହିଁ । ଘର ଗମ୍ଭୀରା, ବାରି ସାହି ପଡ଼ିଶା ଖୋଜିଲେ କେଉଁ ସ୍ଥାନରେ ନାହିଁ । ଶାଶୁ ଠଣାଏ ମାଇଲା । ବୋହୂ କାନ୍ଦିକରି ତୁନିହୋଇ ରହିଲା । ଏହିପରି ବର୍ଷକୁ ବର୍ଷ ସାଧବଘର ସାନବୋହୂ ଛ' ପୁଅ ଜନ୍ମକଲା । ଠାକୁରାଣୀଙ୍କି ବଢ଼ାଇ ଦେଇ ତୁନିହୋଇ ରହୁଥାଏ । ଏଥି ଉତ୍ତାରୁ ସପ୍ତମ ଗର୍ଭ

ହେଲା, ଦଶମାସ ଦଶଦିନ ସମ୍ପୂର୍ଣ୍ଣ ହେଲା । ପେଟ ବଥାଇଲା, ସେଦିନ ଆଶ୍ୱିନ ମାସ ପୋଲରୀ ଅମାବାସ୍ୟା ହୋଇଛି । ସାଧବଘର ସାନବୋହୂ ଶାଶୁକୁ କ‌ହିଲା, ମୋହର ପେଟ ବ୍ୟଥା କରୁଛି । ଶାଶୁ କ‌ହିଲା ଆଲୋ ପିଲାଖାଇ ଡାହାଣୀ ମୋ ଘରୁ ବାହାରିଯା । ମୁଁ ଠାକୁରାଣୀ ପୂଜାକରି ବସିଛି । ମୋ ଅମୁଣିଆ ଅପ୍ରତିଷ୍ଠା ହେବ । ଏହ କ‌ହି ଶାଶୁ ଘରୁ ବାହାର କରିଦେଲା । ମେଘ ଅନ୍ଧାର ହୋଇଛି, ପାଣି ବରଷୁଅଛି । କୁଆଡ଼େ ଯିବ ବୋଲୁଅଛି । କାନ୍ଦି କାନ୍ଦି ବନସ୍ତକୁ ଗଲା । ବଜ୍ର ମହାକାଳୀଙ୍କ ଦୟା ବସିଲା । ବୁଢ଼ୀ ରୂପରେ ଠିଆ ହୋଇ ପଚାରିଲେ, କିଏ ସେ ତୁ ଏତେ ରାତ୍ରିରେ କୁଆଡ଼େ ଯାଉଛୁ । ମେଘ ବରଷୁଅଛି । ଏହାଶୂଣି ସାଧବଘର ବୋହୂ କ‌ହିଲା, ମୁଁ କ‌ହିଲେ କିଏ ସେ ମୋର ଦୁଃଖ ଫେଡ଼ିବ ଯେ ତେବେ କ‌ହିବି । ବଜ୍ର ମହାକାଳୀ ବୋଇଲେ ଆଚ୍ଛା ଫେଡ଼ିବି କ‌ହ । ସାଧବବୋହୂ କ‌ହିଲା, ମୁଁ ସାଧବଘର ସାନବୋହୂ, ମୋ ଶାଶୁ ପୋଲରୀ ଅମାବାସ୍ୟା କରୁଥାଏ । ଆରଦ୍ରା କରିବାକୁ ଚାଉଳ ଦେଲେ

ଚାଉଳ ବତୁରାଇଲି । ଛାଣୁ ଛାଣୁ ଦୁଇଗୋଟି ଚାଉଳ ତୁଣ୍ଡରେ ପକାଇଲି । ଠାକୁରାଣୀ କୋପକରି ମୋ ହାତ ଧରି ପକାଇଲେ । କିଲୋ କେଡ଼େ ଅକର୍ମ କଲୁ । ମୋ ଅମୁଣିଆ ଅଇଁଠା କଲୁ । ତୋର ଶାଶୁକୁ କ‌ହିବି । ମୁଁ କ‌ହିଲି ତୁମ୍ଭେ ଯାହା ମାଗିବ ତାହା ଦେବି, ମୋ ଶାଶୁକୁ କ‌ହନା । ଏହା ଶୁଣି ଠାକୁରାଣୀ କ‌ହିଲେ ତୁ ସତ୍ୟକର । ମୁଁ ସତ୍ୟ କଲି । ସେ କ‌ହିଲେ, ତୋର ଜେବେ ଗର୍ଭ ହେବ ମୋତେ ଦେବୁ, ମୁଁ କ‌ହିଲି ଦେବି । ଏରୂପେ ଛଅପୁଅକୁ ଠାକୁରାଣୀଙ୍କୁ ବଢ଼ାଇ ଦେଲି । ଏବେ ସାତଗର୍ଭ ବେଳକୁ ଶାଶୁ ଘରୁ ଘଉଡ଼ି ଦେଲେ । କୁଆଡ଼େ ଯିବି ବୋଲି କାନ୍ଦୁଅଛି । ତୁମ୍ଭେ ପଚାରିବାରୁ କ‌ହିଲି । ଏହାଶୁଣି ଠାକୁରାଣୀ କ‌ହିଲେ ତୁ ମୋତେ ଅଇଁଠା ଦେବାରୁ ମୁଁ ତୋତେ ଏତେ କଷ୍ଟ ଦେଲି । ଆସ ଆମ୍ଭ ଘରକୁ ଯିବା । ଠାକୁରାଣୀ ସାଧବ ବୋହୂକୁ ଘରକୁ ନେଲେ । ଧାଈ, ପୋଇଲି ଲଗାଇଲେ, ପୁଅଜନ୍ମ ହେଲା । ନାଭି କାଟିଲେ, ଅନ୍ତୁଡ଼ି ବିଛାଇ ଚନ୍ଦନ କାଠରେ ଅନ୍ତୁଡ଼ି କଲେ, ପୁଅକୁ ସ୍ନାନ କରାଇଲେ । ପାଟରେ ଶେଯ କଲେ, ପାଞ୍ଚଦିନ

ପଞ୍ଚୁଆତି, ଛଅଦିନ ଷଷ୍ଠୀ ଘରେ କଲେ, ଆଠୁଆରୀ କଲେ, ବାରଦିନ ବାରପତ୍ର କଲେ, ଏକୋଇଶି ଦିନ ହାତଗୋଡ଼ ଖଡ଼ୁ ଲଗାଇଲେ, ହରିଡ଼ା ମାଳି ଲଗାଇଲେ, ନାମକରଣ କଲେ । ବାକି ଛଅପୁଅକୁ ସମର୍ପି ଦେଲେ । ସୁନା ଅଳଙ୍କାରରେ ପରିପୂର୍ଣ୍ଣ ହୋଇଛନ୍ତି । ମା ଦେଖି ଆନନ୍ଦ ହେଲା । ଠାକୁରାଣୀ କ‌ହିଲେ ଆଲୋ ସାଧବ ବୋହୂ । ତୋ ପୁଅକୁ ନେଲୁ ଆଉ ଗିରସ୍ତ ଭାରିଯା ଏକଠାବ କରାଇଦେବି । ମା ପିଲାମାନଙ୍କୁ ପାଟପତନି ଦେଲେ । ପାଲିଙ୍କିରେ ବସାଇଲେ । ସାଧବ ଘରକୁ ଯାଉଛନ୍ତି, ବାଟ‌ହାଟରେ ଲୋକେ ପଚାଇଲେ କିଏ ସେ ଆସୁଛି । ସାଧବଘର ସାନବୋହୂ ଆସୁଅଛି । ଗ୍ରାମଲୋକ ଧାଇଁଯାଇ ସାଧବାଣୀକି କ‌ହିଲେ ତୁମ୍ଭର ସାନବୋହୂ ସାତପୁଅ ଧରି ଅସୁଅଛି । ଶାଶୁ ଆସି ଦାଣ୍ଡଦୁଆରେ ଦେଖିଲା ନାତିମାନେ ଆସୁଛନ୍ତି । ପିଲାମାନଙ୍କୁ କୁଣ୍ଢେଇ କାଖେଧରି ଘେନିଗଲା । ବୋହୂକୁ ଘରକୁ ନେଲା । ସାଧବାଣୀ ବୋଧୂକୁ ପଚାରିଲା, ଏ ପିଲାମାନଙ୍କୁ କେଉଁଠୁ ପାଇଲୁ? ତ‌ହୁଁ ସାଧବ ବୋହୂ କ‌ହିଲା, ତୁମ୍ଭେ ଯେଉଁ

ପୋଲରି ଓଷା କରୁଥିଲ । ମୁଁ ନ‌ଜାଣି ଚାଉଳ ଦୁଇଗୋଟି ତୁଣ୍ଡରେ ପକାଇଦେଲି । ବଜ୍ର ମହାକାଳୀ ମୋ ହାତଧରି ପକାଇଲେ । ବୋଇଲେ ତୋ ଶାଶୁକୁ କ‌ହିବି, ଅମୁଣିଆ ଅଇଁଠାକଲୁ । ମୁଁ କ‌ହିଲି ତୁମ୍ଭେ ଯାହା ମାଗିବ ତାହା ଦେବି, ମୋ ଶାଶୁକୁ କୁହନି । ବଜ୍ର ମହାକାଳୀ ବୋଇଲେ ତୁ ସତ୍ୟକର ମୁଁ ସତ୍ୟକଲି । ଠାକୁରାଣୀ କ‌ହିଲେ ତୋର ଯେତେ ଗର୍ଭହେବ ମୋତେ ଦେବୁ, ମୁଁ କ‌ହିଲି ଦେବି । ଏଥି ଉତ୍ତାରୁ ଗର୍ଭ ହେଲା, ପୁତ୍ର ଜନ୍ମ ହେଲା । ହସ୍ତପ୍ରସାରି ଆସି ଘେନିଗଲେ । ଏରୂପରେ ଛ'ପୁଅଙ୍କୁ ଘେନିଗଲେ । ସାତଗର୍ଭ ବେଳକୁ ତୁମ୍ଭେ ଘରୁ ବାହାର କରିଦେଲ । ମୁଁ କାନ୍ଦି କାନ୍ଦି ଯାଉଥିଲି । ବଜ୍ରମହାକାଳୀଙ୍କ ହୃଦୟରେ ଦୟା ବସିଲା, ତାଙ୍କ ଗୃହକୁ ଘେନିଗଲେ, ଦିବ୍ୟପୁରରେ ରଖିଲେ ପୁତ୍ର ଜନ୍ମହେଲା । ଧାଈ ପରିବାର ଲଗାଇଲେ, ଏକୋଇଶି ରାତ୍ର ହେଲା ଉତ୍ତାରୁ ମୋତେ କ‌ହିଲେ, ତୁମ୍ଭ ଘରକୁ ତୁମ୍ଭେ ଯାଅ । ଗୃହସ୍ଥ ଭାରିଯା ଏକଠବେ ରହ । ଏହାକ‌ହି ପୁତ୍ର ମାନଙ୍କୁ ସମର୍ପି ଦେଲେ । ସୁନା ଅଳଙ୍କାର ପାଟପତନି

ଦେଲେ । ମୋତେ କ‌ହିଲେ ତୋର ସତ୍ୟ ଜାଣିବାପାଇଁ ଏପରି କଲି । ମୋତେ କ‌ହିଲେ ତୁ ପୋଲରୀ ଅମାବାସ୍ୟା ବଜ୍ର ମହାକାଳୀ ଓଷା କରୁଥିବୁ । ସେହିଦିନଠାରୁ ସାଦବଙ୍କ ଘରଠାରେ ଓଷା ବିଖ୍ୟାତ ହେଲା । ସାଧବଘର ନାତି ନାତୁଣୀ ବ‌ହୁତ ହୋଇଲେ । ଇନ୍ଦ୍ର ସମ୍ପତ୍ତି ଭୋଗ କଲେ । ସେହିଦିନଠାରୁ ବଜ୍ର ମହାକାଳୀ ପୁଲୋରି ଓଷା ସଂସାରେ ବିଖ୍ୟାତ ହେଲା । ଏହି ଓଷା କଲେ ଅପୁତ୍ରିକ, ପୁତ୍ର ପ୍ରାପ୍ତ ହେବ । ନିର୍ଦ୍ଧନୀ ଧନପ୍ରାପ୍ତ ହେବ । ଯେ ଯାହା ମାନସିକ ବିଧିମତେ ଓଷା କଲେ ତାହାଙ୍କୁ ବଜ୍ର ମହାକାଳୀ ଦୟାକରି ସକଳ ପ୍ରାପ୍ତ କରନ୍ତି ।

ଇତିଶ୍ରୀ ବଜ୍ର ମହାକଳୀ ଫୁଲେରି ଓଷା ବ୍ରତ କଥା ସଦାଜୟ ସମ୍ପୂର୍ଣ୍ଣ ।