Jump to content

ନବ ଗୁଜ୍ଜରୀ

ଉଇକିପାଠାଗାର‌ରୁ
ନବ ଗୁଜ୍ଜରୀ  (୧୫ଶ ଶତାବ୍ଦୀ) 
ଲେଖକ/କବି: ଅଚ୍ୟୁତାନନ୍ଦ ଦାସ

ଗୁଜ୍ଜରୀ ୧

ଜୟ ନୀଳାଦ୍ରିନାଥ ହରି ଜୟ ରମା ରମଣ ।
ଜୟ ଅନାଦି ଆଦିକନ୍ଦ ଜୟ କର କାରଣ । ୧ ।
ଜୟ ଅନନ୍ତ ଗୋପିନାଥ ଜୟ ରଙ୍ଗ ଅଧର ।
ଜୟ ଗୋକୁଳ କୁଳପାଳ ଜୟ ମନ୍ଦରଧର । ୨ ।
ଜୟ କଂସ କେଶୀ ବିନାଶ ଜୟ ରାଧା ରମଣ ।
ତ୍ରିଭଙ୍ଗୀ ଭଙ୍ଗୀ ଘନଶ୍ୟାମ ଜୟ ଗୋପ ରକ୍ଷଣ । ୩ ।
ଜୟ କାଳୀ ବାଳି ବିନାଶ ବଳି ଗର୍ବଗଞ୍ଜନ ।
ଅହଲ୍ୟା ଦ୍ରୌପଦୀ ବିପତ୍ତି ବିଭୀଷଣ ରକ୍ଷଣ । ୪ ।
ଅଖିଳ ବ୍ରହ୍ମାଣ୍ଡଇଂ ସିନା ତୋହୋ ନୀଳା ହେ ନାଥ ।
ଡାକିଲେ ପ୍ରଭୁ ହେ ନ ଶୁଣ କହେ ଦୀନ ଅଚ୍ୟୁତ । ୫ ।

ଗୁଜ୍ଜରୀ ୨

ଅନାଥର ନାଥ ଅଟ ହୋ ତୋର ନାମ ଅନନ୍ତ ।
ଅନ୍ତର୍ଯ୍ରାମୀ ପ୍ରଭୁ ମହିମା କେହୁ କହିବ ଅନ୍ତ । ୬ ।
ତୁହି କରୁଣା ଅକୁପାର ନାମ କୃପା ବାରିଧି ।
ଅଖିଳ ବ୍ରହ୍ମାଣ୍ଡ ମଧ୍ୟରେ ତୋହ ନାମ ପ୍ରସିଦ୍ଧି । ୭ ।
କେତେ କେତେ ହରି ତାରିଛ କର୍ଣ୍ଣେ ଶୁଣିଛି ମୁହିଂ ।
କିସ କଥା ମୁହିଂ ବର୍ଣ୍ଣିବି ମୋର ଶକତି କାହିଂ । ୮ ।
ରଖିଲେ ରଖ ମହାବାହୁ ନ ରଖିଲେ ଭାସିଲି ।
ଅରକ୍ଷ ରକ୍ଷଣ ନାଥ ଯେ ଆଜ ମୁଁ ନ ଦେଖିଲି । ୯ ।
ଆତଙ୍ଗ ନାଶନ ବାନା ତୋ ରଖ କମଳା ନାଥ ।
ଡାକି ଡାକି ଦୀନ ଅଚ୍ୟୁତ ଏବେ ହେଲା ଅନାଥ । ୧୦ ।

ଗୁଜ୍ଜରୀ ୩

ଅଶେଷ ବ୍ରହ୍ମାଣ୍ଡ ମଧ୍ୟରେ ଅଂଶା ଅଂଶ ପୁରିଛି ।
ଅଶେଷ ମାର୍ଗେ ମୁଁ ଲୋଡ଼ଇ ଲେଶ ନ ପାଇ କିଛି । ୧୧ ।
ଦିବାନିଶି ନାଥ ବନ୍ଦଇ ତୋହ ପଦ୍ମ ଚରଣ ।
ଯେଉଁ କଥା ମୁହିଁ ମାଗଇ ପ୍ରଭୁ କର୍ଣ୍ଣରେ ଶୁଣ । ୧୨ ।
ବ୍ରହ୍ମା ଇନ୍ଦ୍ରପଦ ନ ବାଞ୍ଛେ ଜ୍ଞାନ ଧ୍ୟାନ ନ ଇଚ୍ଛେ ।
ସପ୍ତଦ୍ୱୀପ ପୃଥ୍ୱୀ ରାଜନ ହେବା ଚିତ୍ତ ନ ବାଞ୍ଛେ । ୧୩ ।
ଯୋଗୀ ଯତୀନ୍ଦ୍ର ମୁଁ ନୋହିବି ବ୍ରହ୍ମ ଜ୍ଞାନୀ ବିବେକୀ ।
ସାଧୁ ସନ୍ଥ ମୁଁ ତୋ ହେବି ଚିତା ତିଲେକୀ । ୧୪ ।
ମରଣ ବେଳକୁ ଶରଣ ତୋହ ଚରଣେ ହେବ ।
ଅଚ୍ୟୁତ ବୋଲେ ପରିତ୍ରାଣ ଆନ ଗତି ନୋହିବ । ୧୫ ।

ଗୁଜ୍ଜରୀ ୪

ଆଜନ୍ମ ମୁହିଁ ମହାପାପୀ ଅଜାମିଳୁଂ ଅଧିକ ।
ପାତେକୀ ଅପ୍ରାଧୀ ମୋ ନାମ କ୍ଷିତି ମଣ୍ଡଳେ ଟେକ । ୧୬ ।
ମାତାପିତା ପାଦେ ଦ୍ରୋହି ମୁଂ ଭ୍ରାତା ବନ୍ଧୁ ନିନ୍ଦଇ ।
ଗୁରୁ କୃଷ୍ଣ ବଇଷ୍ଣମ୍ବକୁ ଦେଖି ଉପହାସ୍ୟଇ । ୧୭ ।
ମୋ ପରି ପତିତ ପାମର କ୍ଷିତି ମଧ୍ୟରେ ନାହିଁ ।
ତାର ବା ନ ତାର ପ୍ରଭୁହେ ମୋର ଆଉ କେ କାହିଁ । ୧୮ ।
ଭଜନ ସୋରଣ କୀର୍ତ୍ତନ ମୋର ନାହିଁ ବେଭାର ।
ମୋତେ ଯେଥି ମୁହିଁ ନ ଚିହ୍ନି ବୁଲୁଅଛି ମହୀର । ୧୯ ।
ଅକର୍ମ ବାନାଟି ବୋଲାଅ କର୍ମେ ନାହିଁ ମୋ ମତି ।
ଶରଣ ସୋଦର ଉଧର ଭଣେ ଦୀନ ଅଚ୍ୟୁତି । ୨୦ ।

ଗୁଜ୍ଜରୀ ୫

କିସ ଜପ ତପ କରିବି କିସ କରିବି ଧ୍ୟାନ ।
କଉଂ ଯୋଗ ମୁଁ ଯେ ସାଧିବି ୟେତେ ଅଭାଗା ଜନ । ୨୧ ।
ଅକାର ଉକାର ମକାର ପ୍ରଭୁ ନ ଜାଣେ କିଛି ।
ଏକା ତୋହ ନାମ ଗୋଟିକୁ ମୁଁ ଯେ ସତ୍ୟ ମରିଛି । ୨୨ ।
ଏକାକ୍ଷର ତତ୍ତ୍ୱ ନ ପାଇ ଭ୍ରମେ ମୁଁ ମାୟାବଣେ ।
ଅଣାକାର ଆଦି ଓଁ ମତି ପ୍ରଭୁ କିଛି ନ ଜାଣେ । ୨୩ ।
ତୋହ ସମକଚ୍ଛ ନ ପାଏ ପ୍ରଭୁ ଗୁରୁ ହେ ଜଣେ ।
ଭଗତି ମୁକତି ପଥ ଯେ ନାଥ ମୁଁ କିସ ଜାଣେ । ୨୪ ।
ମଂତ୍ର ଯଂତ୍ର ତଂତ୍ର ସାଧନା ନାମ ତତ୍ତ୍ୱରେ ମତି ।
ନ ଜାଣି ଜଣାଇତ କହୁଛି ମୁଁ ଅଧମ ଅଚ୍ୟୁତି । ୨୫ ।

ଗୁଜ୍ଜରୀ ୬

ୟେଥକୁ ବିଚାର କରି ହେ ପ୍ରଭୁ ରଙ୍ଗା ଅଧର ।
ମୋ ପରି ପତିତ ଜଣେ ଯେ ନାହିଁ ଭବ ମଧ୍ୟର । ୨୬ ।
ଗୁଆଂର ନିର୍ବାଧ ପାମର ରଜ ତମରେ ମତ୍ତ ।
ମଦ ମାଛ କାମ କ୍ରୋଧରେ ପଡ଼ି ହୋଲି ମତ୍ତ । ୨୭ ।
ଏଥୁଂ ଯଦି ଦୟା ହୋଇବ ଯମ ଯାତନା କାଟି ।
ଜନ୍ମେ ଜନ୍ମେ ଭୃତ୍ୟ ଭାବେଣ ପାଦେ ଥିବି ମୁଁ ଖଟି । ୨୮ ।
ନୋହିଲେ ଏ ଭବେ ମରିବି ପ୍ରଭୁ ନିନ୍ଦା ହୋଇବ ।
ଅନାଥ ନାଥ ମହାବାହୁ କେ କାହିଁକି ଡାକିବ । ୨୯ ।
ଭାସିଗଲି ଭବ ଜଳରେ ନିଶ୍ଚେ ହୋଇଲି ନାଶ ।
ଅଚ୍ୟୁତ ବୋଲେ ମହାପ୍ରଭୁ କିସ ପାଇବ ଯଶ । ୩୦ ।

ଗୁଜ୍ଜରୀ ୭

ଦୁଃଖୀ ଦୁଃଖ କି ନ ଶୁଭଇ କର୍ଣ୍ଣ ହେଲା ବଧିର ।
ଦୟାଳୁ ହୃଦୟ ମୋ ଲାଗି ପ୍ରଭୁ କଲ ପଥର । ୩୧ ।
ଶଙ୍ଖ ଚକ୍ର ଗଦା ପଦ୍ମ କି ହାଥୁଂ ପଡ଼ିଲା ଝଡ଼ି ।
ବେଳୁଂ ବେଳ ମାୟା ମୋହ ଯେ ମୋହେ ଅଙ୍ଗକୁ ଉଡ଼ି । ୩୨ ।
ଏବେ କି ଗରୁଡ଼ ଆସନ ପ୍ରଭୁ ହୋଇଲା ଦୂର ।
ଦେଖୁଂ ଦେଖୁଂ କାଳନାଗୁଣୀ ଦଂସେ ମୋର ଶରୀର । ୩୩ ।
ଚଳି ନ ପାରଇ ସଂସାରେ ଏ ଯେ ବିଷମ ପଥ ।
ତୋହ ନ ରଖିଲା ଜଗତେ ନାଥ ହେବି ଅନାଥ । ୩୪ ।
ଦାସକୁ ନିରାଶ କରି ହେ ପ୍ରଭୁ କି ଯଶ ହେବ ।
ଅଚ୍ୟୁତ ଦାସ କିଏ ଏ ଭବଜଳେ ଭାସିଯିବ । ୩୫ ।

ଗୁଜ୍ଜରୀ ୮

ଭଗତ ବିକଳ ଦେଖିଣ ଜଗନ୍ନାଥ କହନ୍ତି ।
ଭବାର୍ଣ୍ରବୁ ଯେବେ ତରିବୁଂ ଶୁଣ ଦେଇଣ ମତି । ୩୬ ।
ପୁଅ ନାତି ଜ୍ଞାତି ଭାରିଜା ଦୁଃଖ କରି ପୋଷିବୁ ।
ଏକା ମୋର ନାମ ଗୋଟାକୁ ହୃଦପଦ୍ମେ ଘୋଷିବୁ । ୩୭ ।
ପଥକୁ ସଙ୍ଖାଳି ହୋଇବ ନାମ ଗାୟନ ସାର ।
ତୋ ନାମକୁ ତୁହି ଜପିବୁ ଜୀବ ଗଲା ବେଳର । ୩୮ ।
ତୁ କିସ ଜପିବୁ ସେ ନାମ ତୋର ଜପରେ ନାହିଁ ।
ନାମ ଗୋଟି ସେ ନିରନ୍ତରେ ତହିଂ ଜପୁ ଅଛଇଂ । ୩୯ ।
ଶୁଣିଣ ଅଚ୍ୟୁତ ଦାସ ଯେ ଶୋଭକର ହୋଇଲା ।
ଶ୍ରୀପଦ୍ମ ଚରଣେ ପଡ଼ିଣ ନିସ୍ତରିଲି ବୋଇଲା । ୪୦ ।

ଗୁଜ୍ଜରୀ ୯

ଚିତ୍ତ ଭଳୁସିଣ ଉଠିଲା ଚଛୁ ନୀରେ ପୂରିଲା ।
ଭାବ ବିନୋଦିଆ ଠାକୁର ତୋର ଏମନ୍ତ ଲୀଳା । ୪୧ ।
ଆଶା ଭରସା ମୋ ପୂରିଲା କର୍ଣ୍ଣେ ଶୁଣିଲି ମୁହିଂ ।
ଏଡ଼େ ଦୟାଳୁ ପଣ ଗୋଟା କାହିଁ ଥିଲ ଲୁଚାଇ । ୪୨ ।
ଚିତ୍ରୋତ୍ପଳା ନଦୀ ଉତ୍ତରେ ପ୍ରଭୁ ରହିଣ ଥିବି ।
ହରି ହରି ବୋଲ ନିରତେ ଦିବା ନିଶି ବଞ୍ଚିବି । ୪୩ ।
ଭଗତଙ୍କ ଭୃତ୍ୟ ହୋଇଣ ବୁଲୁଥିବି ଜଗତେ ।
ତୋହ ନାମ ମୁହିଂ ଭଜିଣ ଥିବି ଅନୁବରତେ । ୪୪ ।
ପ୍ରାଣୀର ତାରଣ ମାରଣ ପ୍ରଭୁ ଜଗୁଜୀବନ ।
ପାମର ଅଚ୍ୟୁତ ଦାସର କର ମାନସ ପୂର୍ଣ୍ଣ । ୪୫ ।