ସନ୍ତାନର ଉକ୍ତି

ଉଇକିପାଠାଗାର‌ରୁ
ଏହି ନାମ ଥିବା ଅନ୍ୟ ରଚନାଗୁଡ଼ିକ ପାଇଁ ସନ୍ତାନର ଉକ୍ତି (ମଧୁସୂଦନ ଦାସ) ଆଉ ସନ୍ତାନର ଉକ୍ତି ଦେଖନ୍ତୁ ।
ସନ୍ତାନର ଉକ୍ତି
ଲେଖକ/କବି: ମଧୁସୂଦନ ଦାସ



ମାଆ ମାଆ ବୋଲି କେତେ ମୁଁ ଖୋଜିଲି
        ମାଆକୁ ପାଇଲି ନାହିଁ,
ଭାଇ ଭାଇ ବୋଲି କେତେ ମୁଁ ଡାକିଲି
        ନଦେଲେ ଉତ୍ତର କେହି ।
ଖୋଜିଲି ଅରଣ୍ୟେ ଜନସମାଜରେ
          ଖୋଜିଲି ବାରିଧି ତଟ,
ସର୍ବତ୍ର ଦେଖିଲି ମାତା ପଦଚିହ୍ନ
         ନ ହେଲା ମାତାର ଭେଟ ।
ଭୁବନେଶ୍ବରରେ ପଦଚିହ୍ନ ପରେ
         ଲେଖା ଅଛି ରାଜରାଣୀ
ନୀଳାଚଳ ଧାମେ ପୂଜା ହେଉଅଛି
         ହିନ୍ଦୁ ଜାତି ମଥା-ମଣି ।
ଶୁଣିଅଛି ଶାସ୍ତ୍ରେ ସତୀ-ଅପମାନେ
          ଧରା ହୁଏ ବିଦାରଣ,
ଅପମାନ ହେତୁ ସୀତା ଦେବୀଙ୍କର
          ମହୀହୃଦେ ବାସସ୍ଥାନ ।
ଅପମାନ ହେତୁ ଜନନୀ ମୋହର
           ଉତ୍କଳ ଭୂମଧ୍ୟବାସୀ
ଉତ୍କଳର ମାଟି ପବିତ୍ର ହୋଇଛି
          ସ୍ବର୍ଗାଦପି ଗରୀୟସୀ ।
ଜନନୀର ଦେଖା କରିବାରେ ଇଚ୍ଛା
          ଯଦି ହୋଇଥାଏ ମନେ,
ଉତ୍କଳର ମାଟି ଆଲିଙ୍ଗନ କରି
          ତା ଧୂଳି ଲେପ ବଦନେ ।
ବୀରପ୍ରସବିନୀ କୋଟି ସୁତ ମାତା
           ପାଇବ କି ଦରଶନ ?
ମୋ ଭଳି ନିର୍ଗୁଣ ଧନ-ମାନ-ହୀନ
         ସନ୍ତାନ କଲେ ରୋଦନ ।
କୋଟିଏ ସନ୍ତାନ ଗୋଟିଏ ସ୍ବରରେ
          'ଜନନୀ' 'ଜନନୀ' ଡାକ,
ତୃଷ୍ଣାରେ କାତର ଗଗନକୁ ଚାହିଁ
          ଯେସନେ ଡାକେ ଚାତକ ।
ଧନ, ମାନ, ଜନ ଯାହା ଉପାର୍ଜନ
           କରିଅଛ ଧରାତଳେ,
ହରଷିତ ମନେ କରତବ୍ୟ ଜ୍ଞାନେ
           ଆଣିଦିଅ ଯଜ୍ଞସ୍ଥଳେ ।
ଜାତି-ପ୍ରେମ-ବହ୍ନି ପ୍ରଜ୍ଜ୍ବଳିତ କର
            ସ୍ବାର୍ଥକୁ ଦିଅ ଆହୁତି,
'ସ୍ବାର୍ଥମେଧ ଯଜ୍ଞେ' ଚାରିଆଡ଼େ ନାଚ
            ଛାତିକୁ ମିଶାଇ ଛାତି ।
ଭୂମିକମ୍ପ ହେବ ଧରଣୀ ଫାଟିବ
            ଉଠିବେ ସହସ୍ରଭୁଜା,
ସେହି ତୋର ମାତା ସେହି ତୋର ତ୍ରାତା
           କର ସେହି ପଦପୂଜା ।