ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଉଠ ରାମ ପାହିଲା ରଜନୀରେ
ଜଗନ୍ନାଥ ଦାସ
ଉଠ ରାମ ପାହିଲା ରଜନୀରେ ! ରଘୁମଣି
ତାମ୍ର ଚୂଡ଼ଙ୍କର ବାଣୀ ଶୁଣି ଶ୍ରୀରାମ ଜନନୀ
କହେ କଉଶଲ୍ୟା ରାଣୀ ଉଦେ ହେଲେ ଦିନମଣି ।
ମରାଳ ଆରୋହୀ ଏକ ଦ୍ୱିଜବର ଚତୁର୍ମୁଖ
ପ୍ରାଙ୍ଗଣରେ ଛନ୍ତି ଦେଖ ଅଙ୍ଗେ ପୂରିଛି ପୁଲକ
ସାମ ବେଦ ଘୋଷି ପୁଣ-ପୁଣିରେ ।
ବୃଷଭ ପରେ ଉଭାରି ବିଜୟେକ ଜଟଧାରୀ
ମସ୍ତକ ଉପରୁ ବାରି ବହୁଅଛି ଝର ପରି
ଅନୁକ୍ଷଣେ ତୋହ ନାମ ଭଣିରେ ।
ଆହୁରି ବିପ୍ରେଜ ତହିଁ ବ୍ରହ୍ମଚାରୀ ବେଶ ହୋଇ ।୧୦।
ବୀଣା ହୃଦରେ ଲଗାଇ ନାଚୁଛନ୍ତି ଭୋଳ ହୋଇ
ଅଶ୍ରୁପାତେ ତିନ୍ତିଲା ଅବନୀ ରେ ।
ଅନେକ ଦେଶରୁ ଯତି ପ୍ରାଙ୍ଗଣରେ ପୂରିଛନ୍ତି
ଭିକ୍ଷାଦେଲେ ନ ନିଅନ୍ତି ତୋ ଦର୍ଶନେ ଆସିଛନ୍ତି
ଉଠ ବେଗେ କର ଯା ମେଲାଣି ରେ ।
ଶୁଣି ମାତାଙ୍କ ଉତ୍ତର ପଲଙ୍କ ତେଜି ସତ୍ୱର
ଅନ୍ତଃପୁରରୁ ବାହାର ଦେଖି ବିରଞ୍ଚି ଶଙ୍କର
କରଯୋଡ଼ି ନାନା ସ୍ତୁତି ଭଣିରେ ।
କହେ ଜଗନ୍ନାଥ ଦାସ ଆହେ ଜାନକୀ ବିଳାସ
ମୋହର ଯେ କର୍ମଦୋଷ କେ କରିପାରେ ଉଲ୍ଲାସ । ୨୦ ।
ତୋ ବିନା କେ ଅଛି ମେଦିନୀରେ ।