ଗୋବର ଗୋଟେଇ
ଥିଲା । ଏଥର ସେ ଗୀତଟିକୁ ଖଣ୍ଡିଏ ସଫା କାଗଜରେ ଉତାରି ତଳେ ତାର ନାମ ଲେଖିଦେଲା-
ତମର ଗରିବ ଝିଅ
ଶ୍ରୀମତୀ ଜେମାମଣି
ତା ମନ ହେଲା ଏହିକ୍ଷଣି ସେ ଗୀତଟିକୁ ବାବାଙ୍କ ପାଖକୁ ପଠେଇ ଦିଅନ୍ତା- ମାତ୍ର ସେପରି ସୁବିଧା କାଇଁ ? ବୁଢ଼ୀମା କହିଲେ- "ଥାଉ ମା ଯେଉଁ ଦିନ ବାବା ଆସିବେ ସେଇ ଦିନ ତାକୁ ସାଇତି ରଖିଥା, ଦେବା ।"
ଦିନ ଦିନ ହୋଇ ଏହାମଧ୍ୟରେ କେତେଦିନ ଗତ ହୋଇଗଲା । ଦିନେ ରାତି ପାହାନ୍ତିଆରେ ଶୁଭିଲା "ଚୋର- ଚୋର- ଚୋର ।" ଗାଁ ତମାମ୍ ଦଣ୍ଡକେ ଜମା ହୋଇଗଲେ । ହୋହା- ଘୋଘା ପାଟିରେ ଗାଁ ଖଣ୍ଡ ଉଛୁଳି ପଡ଼ିଲା । ଧରଧର- ମାର ମାର- ହେଇଟି ହେଇଟି- ଗଲା ଗଲା ବୋଲି ଲୋକସବୁ ଏପାଖ ସେପାଖ ହୋଇ ବୁଲିବାକୁ ଲାଗିଲେ; ମାତ୍ର ଚୋର ଧରା ପଡ଼ିଲା ନାହିଁ । ଦୁଆରେ ଆଲୁଅ ଥୋଇ ପଞ୍ଝା ପଞ୍ଝା ଲୋକ ବାର ବ୍ରହ୍ମାଣ୍ଡର କଥାବାର୍ତ୍ତା ହେଲେ । କିଏ କହିଲା- "ଦେଖିଥାନ୍ତ ଯେବେ; ଆଉ ମୁହୂର୍ତ୍ତେ ଆଗରୁ ନିଦଟା ଭାଙ୍ଗି ଯାଇ ଥାନ୍ତା, ତେବେ ଚୋର ନ ଚୋରବାପ ଶ୍ୟାମ ପାତ୍ର ହାବୁଡ଼ରୁ ଯାଇଥାନ୍ତା ? ଆଉ ଜଣେ କହିଲା- "ଆରେ ଯା- ହାବୁଡ଼େ ପଡ଼ିଥିଲେ ଗୋଡ଼ ଦିଟା ମୁଁ ଭାଙ୍ଗି ଦେଇ ନଥାନ୍ତି ? ସେଇ ବାଡ଼ି ବଣଟାରେ ତ ଖସ ଖସ ହୋଇ ପଲେଇଲା । ଗୁହ ବଣିଟାକୁ ଯାଇ ମଣିଷ କିଏ ଧରୁଚି ?" ଅନ୍ୟ ଜଣେ କହିଲା, "ବିଶିଆ ଥାନ୍ତାକି ଦେଖିଥାନ୍ତ- ଘରେ ନିଆଁ ଲଗାଇ ଦେଇ ଯେବେ ସେହି ଆଲୁଅରେ ଚୋରକୁ ବାନ୍ଧି ଦେଇ ନଥାନ୍ତା ?"