ଯୁକ୍ତରାଷ୍ଟ୍ର ଆମେରିକାର ସମ୍ବିଧାନ

ଉଇକିପାଠାଗାର‌ରୁ
ଯୁକ୍ତରାଷ୍ଟ୍ର ଆମେରିକାର ସମ୍ବିଧାନ (୧୭୮୭) 
୧୭୮୭ ମସିହାର ସଙ୍ଘୀୟ ସମ୍ମିଳନୀ ଦ୍ୱାରା
ଯୁକ୍ତରାଷ୍ଟ୍ର ଆମେରିକାର ସମ୍ବିଧାନ ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ସର୍ବୋଚ୍ଚ ବିଧି । ଏହା, ୧୭୮୭ ମସିହା ସେପ୍ଟେମ୍ବର ମାସ ସପ୍ତଦଶ ଦିବସରେ, ପେନସିଲଭାନିଆ ରାଜ୍ଯର ଫିଲାଡେଲଫିଆଠାରେ, ହୋଇଥିବା ସାମ୍ବିଧାନିକ ସମ୍ମିଳନୀରେ ଗୃହୀତ ହେବା ସହିତ, ସମ୍ପୂର୍ଣ୍ଣ ହୋଇଥିଲା ଏବଂ ପରେ ଅନ୍ୟ ରାଜ୍ଯମାନେ ବିଶେଷ ସମ୍ମିଳନୀରେ ରାଟିଫାଇ କରାଯାଇଥିଲା । ଏହା, ସାର୍ବଭୌମ ରାଜ୍ଯମାନଙ୍କର ଏକ ସଙ୍ଘୀୟ ଏକକର ଗଠନ କରିଲା ଏବଂ ଉକ୍ତ ଏକକର ପରିଚାଳନା ପାଇଁ ଏକ ପ୍ରଶାସନର ରଚନା କଲା । ଏହା ଉପସଙ୍ଘର ଉପବନ୍ଧମାନ ଦ୍ୱାରା ସ୍ଥାପିତ ଅସ୍ପଷ୍ଟ ସଙ୍ଘକୁ ବିସ୍ଥାପିତ କଲା । ଏହା, ୧୭୮୯ ମସିହା ମାର୍ଚ୍ଚ ମାସ ଚତୁର୍ଥ ଦିବସରେ କାର୍ଯ୍ୟକାରୀ କରାଯାଇଥିଲା ଏବଂ ଅନେକ ରାଷ୍ଟ୍ରମାନଙ୍କର ସମ୍ବିଧାନ ନିର୍ମାଣରେ ଏକ ନମୂନା ରୂପେ କାର୍ଯ୍ୟ କଲା । ଯୁକ୍ତରାଷ୍ଟ୍ରୀୟ ସମ୍ବିଧାନ, ବିଶ୍ୱରେ ସର୍ବପୂରାତନ ଲିଖିତ ରାଷ୍ଟ୍ରୀୟ ସମ୍ବିଧାନ ଅଟେ ଯାହା ଏବେ ମଧ୍ଯ କାର୍ଯ୍ୟକାରୀ ଅଟେ ।
ଯୁଆସ


ମୁଖବନ୍ଧ[ସମ୍ପାଦନା]

ଆମ୍ଭେ, ଯୁକ୍ତରାଷ୍ଟ୍ରର ଅଧିବାସୀଗଣ, ଏକ ସମ୍ପୂର୍ଣ୍ଣ ସଙ୍ଘର ସ୍ଥାପନ, ନ୍ୟାୟ ସ୍ଥାପନ, ଅନ୍ତରୀଣ ଶାନ୍ତିର ସ୍ଥାପନ, ଏକକ ପ୍ରତିରକ୍ଷା ନିମନ୍ତେ, ତଥା ଲୋକକଲ୍ୟାଣ ସାଧନ ଏବଂ ଆମ୍ଭଙ୍କୁ ଓ ଆମ୍ଭର ବଂଶଧରମାନଙ୍କୁ ସ୍ୱତନ୍ତ୍ରତାର ଆଶୀର୍ବାଦ ପ୍ରାପ୍ତ କରାଇବା ପାଇଁ, ଅଧ୍ୟାଦେଶ କରୁଛୁ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ଏହି ସମ୍ବିଧାନ ପ୍ରଣୟନ କରୁଅଛୁ ।

ଅନୁଚ୍ଛେଦ ୧[ସମ୍ପାଦନା]

ଭାଗ ୧[ସମ୍ପାଦନା]

ଏଠାରେ ଅନୁମୋଦିତ ସମସ୍ତ ବୈଧାନିକ କ୍ଷମତା, ଯୁକ୍ତରାଷ୍ଟ୍ର ଆମେରିକାର ଏକ କଂଗ୍ରେସରେ ନ୍ୟସ୍ତ ହେବ, ଯାହା ଏକ ସିନେଟ ଏବଂ ପ୍ରତିନିଧିଗୃହ ଦ୍ବାରା ଗଠିତ ହେବ ।

ଭାଗ ୨[ସମ୍ପାଦନା]

ସମସ୍ତ ରାଜ୍ଯମାନଙ୍କର ଲୋକମାନଙ୍କ ଦ୍ବାରା, ପ୍ରତି ଦ୍ୱିତୀୟ ବର୍ଷରେ, ନିର୍ବାଚିତ ସଦସ୍ଯଗଣଙ୍କୁ ନେଇ ପ୍ରତିନିଧିଗୃହ ଗଠିତ ହେବ, ଏବଂ ପ୍ରତ୍ୟେକ ରାଜ୍ଯରେ ଚୟନକର୍ତ୍ତାମାନଙ୍କର, ଉକ୍ତ ରାଜ୍ଯର ବିଧାୟିକାର ସର୍ବାଧିକ ସଂଖ୍ଯକ ଶାଖାର ଚୟନକର୍ତ୍ତାମାନଙ୍କର ଆବଶ୍ଯକୀୟ ଯୋଗ୍ୟତା ରହିବା ହେବ ।

ଏପରି କୌଣସି ବ୍ୟକ୍ତି ପ୍ରତିନିଧି ହେବେ ନାହିଁ, ଯିଏ ପଚିଶ ବର୍ଷ ବୟସ ଅତିକ୍ରମ କରିନଥିବେ, ଏବଂ ସାତ ବର୍ଷ ପାଇଁ ଯୁକ୍ତରାଷ୍ଟ୍ରର ଏକ ନାଗରିକ ହୋଇନଥିବେ, ଏବଂ ଯିଏ, ନିର୍ବାଚିତ ହେବାପରେ, ନିର୍ବାଚିତ ହୋଇଥିବା ରାଜ୍ୟର ଏକ ଅଧିବାସୀ ହୋଇନଥିବେ ।

ଏହି ସଙ୍ଘରେ ଅନ୍ତର୍ଭୁକ୍ତ ହୋଇଥିବା ପ୍ରତିନିଧିଗଣ ଓ ପ୍ରତ୍ୟକ୍ଷ ଟିକସାଦି ରାଜ୍ଯମାନଙ୍କ ମଧ୍ଯରେ ଆବଣ୍ଟନ କରାଯିବ, ଏବଂ ଏଥିପାଇଁ ଏକ ସ୍ଥିରିକୃତ ବର୍ଷପାଇଁ ସେବା ପାଇଁ ବନ୍ଧିତ ବ୍ଯକ୍ତିମାନଙ୍କ ସହ ମୁକ୍ତ ବ୍ଯକ୍ତିମାନଙ୍କର ସଂଖ୍ଯା ଏବଂ ଅଣଟିକସକୃତ ଭାରତୀୟମାନଙ୍କୁ ଅନ୍ତର୍ଭୁକ୍ତ ନକରି, ଅନ୍ୟ ସମସ୍ତ ଲୋକମାନଙ୍କର ତିନି-ପଞ୍ଚମାଂଶ ଲୋକସଂଖ୍ୟାର ସମଷ୍ଟିକୁ ଏକ ପୂର୍ଣ୍ଣ ସଂଖ୍ଯା ରୂପେ ନିଆଯିବ । ବାସ୍ତବ ପରିଗଣନା, ଯୁକ୍ତରାଷ୍ଟ୍ରର କଂଗ୍ରେସର ପ୍ରଥମ ଅଧିବେଶନର ତିନିବର୍ଷ ମଧ୍ଯରେ ଏବଂ ପରବର୍ତ୍ତୀ ପ୍ରତ୍ୟେକ ଦଶବର୍ଷ ମଧ୍ଯରେ, ଯେପରି ବିଧି ଦ୍ବାରା ନିର୍ଦ୍ଦେଶିତ କରାଯାଇଥିବ, ସେହିପରି ପ୍ରକାଶ କରାଯିବ । ପ୍ରତ୍ୟେକ ତିରିଶ ସହସ୍ରଙ୍କ ପାଇଁ ପ୍ରତିନିଧି ସଂଖ୍ଯା ଏକରୁ ଅଧିକ ହେବନାହିଁ, କିନ୍ତୁ ପ୍ରତ୍ୟେକ ରାଜ୍ଯର ଅତିକମରେ ଗୋଟିଏ ପ୍ରତିନିଧି ରହିବ; ଏବଂ ଏହିପରି ବାସ୍ତବ ପରିଗଣନା ହେବା ପୂର୍ବରୁ, ନିଉ ହାମ୍ପଶାୟର ରାଜ୍ଯକୁ ତିନିଜଣ, ମାସାଚୁସେଟ୍ସ ରାଜ୍ଯକୁ ଆଠଜଣ, ରୋଡ-ଆଇଲାଣ୍ଡ ଓ ପ୍ରୋଭିଡେନ୍ସ ପ୍ଲାଣ୍ଟେସନ୍ସକୁ ଏକଜଣ, କନେକ୍ଟିକଟକୁ ପାଞ୍ଚ, ନିଉୟର୍କକୁ ଛଅଜଣ, ନିଉ ଜର୍ଶିକୁ ଚାରିଜଣ, ପେନସିଲଭାନିଆକୁ ଆଠଜଣ, ଡେଲାୱେରକୁ ଏକଜଣ, ମାରିଲାଣ୍ଡକୁ ଛଅଜଣ, ଭର୍ଜିନିଆକୁ ଦଶଜଣ, ନୋର୍ଥ କାରୋଲିନାକୁ ପାଞ୍ଚଜଣ, ସାଉଥ କାରୋଲିନାକୁ ପାଞ୍ଚଜଣ, ଏବଂ ଜର୍ଜିଆକୁ ତିନିଜଣ ପ୍ରତିନିଧି ବାଛିବା ପାଇଁ ଦିଆଯିବ ।

ଯେତେବେଳେ କୌଣସି ରାଜ୍ଯର ପ୍ରତିନିଧିତ୍ବ ପାଇଁ ସ୍ଥାନ ରିକ୍ତ ହେବ, ସେତେବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଉକ୍ତ ରିକ୍ତତାକୁ ପୁରଣ କରିବା ପାଇଁ ନିର୍ବାଚନର ଲିଖିତାଦେଶ ଜାରି କରିବା ହେବେ ।

ପ୍ରତିନିଧିଗୃହ, ନିଜର ବାଚସ୍ପତି ତଥା ଅନ୍ୟାନ୍ୟ ଅଧିକାରୀଙ୍କୁ ବାଛିବ; ଏବଂ ଏହାର ମହାଭିଯୋଗର ଏକାକୀ କ୍ଷମତା ରହିବ ।