10 . ଦଶମ ବୋଲି
ଦଶମ ବୋଲି
ଦତ୍ୟ ଶଙ୍ଖାସୁର ବ୍ରହ୍ମା ବେଦବର ବଳେ ନେଇଥିଲା ହରି,
ନ ଥିଲେ ଯେ କେହି ଉଧରିଲ ବହି ମତ୍ସ୍ୟ ଅବତାର ଧରି ।
ଦେବ ଦାନବ ମନ୍ଦିର ଗିରିବର ପକାଇ କ୍ଷୀରସିନ୍ଧୁର,
ତେଡ଼େ ବଡ଼ ଭାର ପୃଷ୍ଠରେ ବହିଲ ହୋଇ କୂର୍ମ ଅବତାର ।
ବୀର ହନୁମନ୍ତ ପବନର ସୁତ ବିବାଦ ଅର୍ଜ୍ଜୁନଠାରେ,
ଶରବନ୍ଧ ତଳେ ଆବୋରି ରହିଲ ରୋହିମତ୍ସ୍ୟ ଅବତାରେ ।
ହିରଣ୍ୟ ଦ୍ରପିଷ୍ଟ ମନେ କରି ରୋଷ୍ଟ ଗର୍ବେ ଅପରାଧ ବହି,
ଦନ୍ତନଖେ ଅନ୍ତ ପିତ୍ତ ବିଦାରିଲ ନରସିଂହ ମୂର୍ତ୍ତି ହୋଇ ।
କ୍ଷତ୍ରିକୁଳେ ଉତପତ୍ତି ହୃଷୀକେଶ ଧନୁର୍ବାଣା ବହି କରେ,
ସାଧିଲ ଧରିତ୍ରୀ ବୀରପଣ ବୃତ୍ତି ପର୍ଶୁରାମ ଅବତାରେ ।
ସତ୍ୟଯୁଗେ ହରି ବଳି ରାଜା ପୁରୀ ଦାନେ ନାଶିଲ ବିଭୂତି,
ତ୍ରିବିକ୍ରମ ରୂପ ଜଗତନାୟକ ବହି ବାମନ ମୂରତି ।
ଋଷି ଯଜ୍ଞଚରୁ ଅନାମ ବ୍ରହ୍ମରୁ ଜନ୍ମ ଦଶରଥ ଘରେ,
ରାବଣକୁ ମାରି ଜାନକୀ ଉଧରି ରାମଚନ୍ଦ୍ର ଅବତାରେ ।
ଦ୍ୱାପର ଯୁଗରେ ବସୁଦେବ ଘରେ ଜନ୍ମ ଲଭି ଗୋପେ ରହି,
ଦୃଷ୍ଟ କଂସ ମାରି ଭାରା ଉଶ୍ୱାସିଲେ କୃଷ୍ଣ ଅବତାର ବହି ।
ଜଗତର ଛଳେ ଅବନୀମଣ୍ଡଳେ ରୂପ ଦାରୁବ୍ରହ୍ମ ତେଜ,
ପାପୀ ଜନେ ଗତି ମୁକତି ଦିଅନ୍ତେ ଶଙ୍ଖଚକ୍ର ଚତୁର୍ଭୁଜ ।
ତ୍ରିପୁର ଜଗତ ଅନ୍ୟାୟ ବହୁତ ଚାରିଧର୍ମ ହେଲା ନାଶ ।
କାଳେହେଁ କଳଙ୍କି ଅବତାର ହେଲେ ବହି ବଇଷ୍ଣବ ବେଶ ।
ନରଦେହ ବହି ନ ପାଇଲେ କେହି ଭଜନର ସୁଖ ସୀମା,
ଏକାକ୍ଷର ପାଦ ଜଗତେ ବିଖ୍ୟାତ ଦୀକ୍ଷା ରଞ୍ଚିଲେ ମହିମା ।
ଝରୁଛି ଅମୀୟ ସତ୍ୟ ମନେ ପିଅ ଅଛ ଯେତେ ସୁଜ୍ଞ ସାଧୁ,
ଦେଖ ଜ୍ଞାନନେତ୍ରେ ଅନୁଭବସୂତ୍ରେ ଅନାମେ ଝରୁଛି ମଧୁ ।
କ୍ଷତ୍ରିଗଣ ଘେନି କରିବେ ଭ୍ରମଣି ହସ୍ତେ ଘେନି ଖଣ୍ଡା କାତି,
ଏକୌଶ ଅଙ୍କରୁ ପୃଥ୍ୱୀ ସାଧ୍ୟ ହେବ ଉଡ଼ୁଥିବ ବୀରଛତ୍ରି ।
ଦୃଷ୍ଟ ନିବାରିବେ ସନ୍ଥକୁ ରଖିବେ ପାଳିବେ ଜନ ପରଜା,
କଳିଯୁଗ ଶେଷେ ସତ୍ୟ ଉପୁଜିବ ଅନାଦି ହୋଇବେ ରାଜା ।
ନିରନ୍ତର ଅଣବିଚାର ଲଭିଲେ ହୋଇଲା ମାତ୍ରକ କଳି,
ହତରୁ ଆୟତ ନିୟତ ପ୍ରମାଣ ସତ୍ୟ ହେବ ମହୀଆଳି ।
ଜଡ଼ କି ପଣ୍ଡିତ ହେବେ ଜ୍ଞାନବନ୍ତ ଅଙ୍ଗେ ବସି ଚକ୍ରପାଣି,
ସତୀପଣେ ପତିସେବା ନିଯୋଗିବେ ସ୍ତିରୀ ହୋଇ ବ୍ରହ୍ମଜ୍ଞାନୀ ।
ଚାରିଧର୍ମ ଚାରିକର୍ମ ଉପୁଜିବ ଗୋଡ଼ଇବ ଚଉବର୍ଗ,
ଲକ୍ଷ୍ମୀ ଠାକୁରାଣୀ ପଡ଼ି ଚରଚିବେ ଲଭି ସର୍ବେ ପୂର୍ଣ୍ଣ ଭୋଗ ।
କାଳ ଜଳ ନଈ ଦେଉଛି ଭସାଇ ମାରୁଛି ଲହଡ଼ାଘାତ,
ନିମିଷ ମାତ୍ରକେ ଦୟା କର ମୋତେ ଆଦିବ୍ରହ୍ମ ଅବଧୂତ ।
ମାୟାରେ ବନ୍ଧନ କରି ଛନ୍ନ ଛନ୍ନ ହରୁଛି ଧାରଣା ଧ୍ୟାନ,
ଜାଣୁଛି ପ୍ରତ୍ୟକ୍ଷ ଲଗାଇ ରଖିଛ ଯେସନେ ବଡ଼ଶୀ ମୀନ ।
ଏକପାଦ ଠୁଳେ ଦ୍ୱିପାଦ ନ ଚଳେ ଅମୃତ ବଚନ ସିଦ୍ଧ,
ମନରେ ଆନନ୍ଦ ଭଣେ ଭୀମ କନ୍ଧ ଏଠାକୁ ଦୁଇଶ ପଦ ।