16 . ଷୋଡ଼ଶ ବୋଲି

ଉଇକିପାଠାଗାର‌ରୁ
ଷୋଡ଼ଶ ବୋଲି ଲେଖକ/କବି: ଭୀମ ଭୋଇ
ଷୋଡ଼ଶ ବୋଲି

ଷୋଡ଼ଶ ବୋଲି

 

ଧନରତ୍ନମାନ ଆୟ ଆଭରଣ କାହୁଁ ପାଇବି ଲୋଡ଼ିଲେ,
ବିନା କମାଣିରେ ଆୟ ବ୍ୟୟ ନୁହେଁ ପୂର୍ବ ସୁକୃତ ନ ଥିଲେ ।
ମାରକଣ୍ଡ ଋଷି ଯାଉଥିଲେ ଭାସି ପୃଥ୍ୱୀ ମହାପ୍ରଳୟରେ,
ଶ୍ରୀଭୁଜ ବଢ଼ାଇ ଦୟାଚିତ୍ତେ ନେଇ ରଖିଲା ଗର୍ଭ ଭିତରେ ।
ସେହିରୂପେ ମୁହିଁ ଭାସି ଯାଉଅଛି ମାୟାଜଳ ସୋହତିରେ,
ହେଉଛି ଦହନ ସମିଧ ଯେସନ କାଳ ଅଗ୍ନି ଆହୁତିରେ ।
ହିରଣ୍ୟ ଦୈତ୍ୟ ଯେ ଶତବାର ବଧି ପୁତ୍ରକୁ ମେଲିଲା ଜଳ,
ଦଧିଭଣ୍ଡରୁ ଲବଣୀ ଯେହ୍ନେ କାଢ଼ି ଉଧରିଲ ଆଦିମୂଳ ।
ସେହିରୂପେ ମୁହିଁ ଭବସିନ୍ଧୁ ଜଳେ ଭାସି ଯାଉଅଛି ଦେଖ,
ସଦାନନ୍ଦ ସ୍ୱାମୀ ଉଧରିବେ ବୋଲି ବେଳହୁଁ କରିଛି ଠିକ ।
ଗଜକୁ କୁମ୍ଭୀର ଜଳର ଭିତର ନିର୍ବନ୍ଧେ ଛନ୍ଦିଲା ନେଇ,
ଶୂନ୍ୟେ ଚକ୍ର ପେଷି ଗ୍ରାହକୁ ନାଶିଲ, ଉଧରିଲ ଭାବଗ୍ରାହୀ ।
ତହିଁରୁ ଅଧିକ ବିପତ୍ତି ସନ୍ତାପ ବେଢ଼ାଇଛି ମାୟାଜାଲ,
କର୍ମଦେବ ସ୍ୱାମୀ କଟାକ୍ଷରେ ଚାହିଁ ନିବାରିବେ କୂଟ ଖଳ ।
ଘୋରବନେ ପ୍ରଭୁ ମୃଗୁଣୀ ଡାକିଲା ଯେଣୁ ପଡ଼ିଲା ବିପତ୍ତି,
ତା ଦୁଃଖ ଫେଡ଼ିଲ ଅରୂପ ଅଖିଳ ପାରିକଲ ହେ ଅଜ୍ୟୋତି ।
ମାୟାଫାନ୍ଦ ପାତି ବିଷୟା ବିପତ୍ତି ଆବୋରିଛି ଚଉଦିଗେ,
ଚିରାନନ୍ଦ ସ୍ୱାମୀ ଚିରକାଳ ରଖି ନିସ୍ତାରିବା ହେଉ ବେଗେ ।
ଘୋର ବନବାସେ ଜନକକୁମାରୀ ହରିନେଲା ଦଶଶିର,
ବାନ୍ଧି ସେତୁବନ୍ଧ ଛେଦି ଦଶକନ୍ଧ ଜାନକୀ ସଙ୍କଟୁ ତାର ।
ସୀତା ଅଶୋକବନେ କଷ୍ଟ ପାଇଲେ ରାବଣ ଉତପାତରୁ,
ସାଖା ହୋଇ ଥରେ ରକ୍ଷାକର ବାରେ ବିମୁଖ ବନ ଭିତରୁ ।
ଦ୍ରୁପଦଦୁଲ୍ଲଣୀ ଦୁଃଶାସନ ଆଣି ଉଲଗ୍ନରେ ବଳବନ୍ତ,
କୋଟିବସ୍ତ୍ର ଦେଇ ଚକ୍ରକୁ ଘୋଡ଼ାଇ ରଖିଲ ତାଙ୍କ ମହତ ।
ଦୌପଦୀ ପରାୟ କଷଣ ଦେଉଛି କଳିକାଳ ମିଥ୍ୟା ପାପ,
ଯାଉଅଛି ଭେଦି ପକାଅନା ଛେଦି ଅକଳ୍ପନା ଶ୍ରୁତି ଜପ ।
ଜରାସନ୍ଧ ବୀର ଲକ୍ଷେ ରାଜା ବନ୍ଦୀ ଅଗ୍ନିରେ ଦହିଲା ବେଳେ,
ଅନ୍ତର୍ଯ୍ୟାମୀ ପ୍ରଭୁ ଅନ୍ତର୍ଗତେ ଜାଣି ଉଧରିଲ ଅବହେଳେ ।
ଲୋଭ ମୋହ କାମ କ୍ରୋଧ ଅହଙ୍କାର ନିରନ୍ତର ଲାଗି ବାଦୀ,
ଦାନବ ପରାଏ ହୋଇ ଏ ସମସ୍ତେ ଧରି ମାରୁଛନ୍ତି ସାଧି ।
ସୁରଭୀତ ନାରୀ କାରୁଣ୍ୟରେ ଘାରି ସୁର ପ୍ରୀତିରେ ଆକୁଳ,
ମୂର୍ତ୍ତିକି ଲିଭାଇ ପତିରେ ବିଳୋହି ସଙ୍ଗ ଦାରିଦ୍ର୍ୟ ଫେଡ଼ିଲ ।
ମୁହିଁ ସେ ପ୍ରକାର ଅନନ୍ତ ଈଶ୍ୱର ଡୁବି କାରୁଣ୍ୟ ଜଳରେ,
ଆଦି ଦୟାନିଧି କର ସର୍ବସିଦ୍ଧି ଆନନ୍ଦ ସୁଖ-ସାଗରେ ।
ଚାରୁଭୀତ ବାମା ନରଧିତ ହିତେ ସନ୍ୟକୁମାରକୁ ଆଣି,
ଅନ୍ତର ବେଦନା ଅନ୍ତର୍ଗତେ ଜଣା ବିହିଲ ଅବ୍ୟକ୍ତ ମଣି ।
ମୁଁ ଯେ ଅଭାଗିନୀ ମୂଢ଼ ପାପୀ ପ୍ରାଣୀ ଆଶାଲୋଭେ ଅନୁସରି,
ଦେଖି ମୋ ବିକଳ ଦିଅ ଖଞ୍ଜାମୂଲ ଦିନ ବଞ୍ଚିବି ଯେପରି ।
ଗୃହଧର୍ମେ ଥିବି ଅନ୍ୟଥା ନୋହିବି ଆଜ୍ଞା ହେଉ ଏହି ବାଗେ,
ଶ୍ରୀଗୁରୁ ଛାମୁରେ ଭୀମ ଅରକ୍ଷିତ କରପତ୍ର ଯୋଡ଼ି ମାଗେ ।