27 . ସପ୍ତବିଂଶ ବୋଲି

ଉଇକିପାଠାଗାର‌ରୁ
ସପ୍ତବିଂଶ ବୋଲି ଲେଖକ/କବି: ଭୀମ ଭୋଇ
ସପ୍ତବିଂଶ ବୋଲି

ସପ୍ତବିଂଶ ବୋଲି

 
ବଖାଣି ମହିମା ଧୁନିକୁ ସ୍ଥାପିବା ଶ୍ରୀମୁଖରେ ଆଜ୍ଞା ଦେଲେ,
ଦାସପଣେ କିଣି ଅର୍ଦ୍ଧ ବାଟେ ଆଣି କିମ୍ପା ଏତେ ସରି କଲେ ।
ନାହିଁ ମୋ ଭରସା ଉଡ଼ୁଛି ସାହାସା କି ବୁଦ୍ଧି କରିବି କହ,
ଜଗତ ସମ୍ଭାଳି ଭଗତଙ୍କୁ ପାଳି ତୁମ୍ଭ ଭାରା ତୁମ୍ଭେ ବହ ।
ଭଗତଙ୍କ ଦୁଃଖ ନିରନ୍ତର ଦେଖ ଲାଗିଲାଟି ପାଦାର୍ବିନ୍ଦେ,
ବାନ୍ଧିଥା ଯୋଗାଡ଼ି ଆଗପଛ କରି ବହିଥାଅ ନିଜ କାନ୍ଧେ ।
ସମ୍ପତ୍ତି ବିପତ୍ତି ମୁକତି ଦୁର୍ଗତି ଭିଆଣ କରିଛ ଯୋଡ଼ି,
ପାପ ଦୁଃଖଭାର କେ ତୁମ୍ଭ ବହିବ ପାଦତଳେ ଥାଉ ପଡ଼ି ।
ବିଜେ କରିଅଛ କିମ୍ପା ନ ବୁଝୁଛ ପଳାଇ ପଶିବି କାହିଁ,
ଅର୍ଜି ପାପଭାରା କରିବି ପସରା ପାଦତଳେ ଦେବି ଥୋଇ ।
ଶରଣ ବାଞ୍ଛିତ କାନ୍ଦି କାନ୍ଦି ଭକ୍ତ ଗଡ଼ିଗଲେଣି ସକଳ,
ଦୋଷ ଅପରାଧ କ୍ଷମା କରି ଗୁରୁ ଜାଗ୍ରତରେ ପ୍ରତିପାଳ ।
ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ,
ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।
ଜଣାଉଛି ମୁଁ ଯେ ଭକ୍ତିଭାବ ରଞ୍ଜେ ଆହେ ଅଣିମା ଅନନ୍ତ,
ତିନି ବ୍ରହ୍ମାଣ୍ଡରେ ଯେତେ ଜୀବ ଛନ୍ତି ସମସ୍ତେ ତୁମ୍ଭ ଭଗତ ।
ନବଲକ୍ଷ ତାରା ସୁରାଟ ବିରାଟ ଧ୍ରୁବଲୋକ ଆଦି ଯେତେ,
ସମସ୍ତେ ତୁମ୍ଭ ପାଦତଳେ ଆଶ୍ରିତ ଠୁଳ ଶୂନ୍ୟ ପରିଯନ୍ତେ ।
ଠୁଳ ଶୂନ୍ୟଠାରୁ ତହିଁ ଉପରକୁ ଦେଖିଲଇଁ ନାହିଁ କିଛି,
ଅବିକାର ବ୍ରହ୍ମ ଅନାମ ଅରୂପ ସିନ୍ଧୁ ପ୍ରାୟେ ପୂରିଅଛି ।
କିବା ଦୁଷ୍ଟ ସନ୍ଥ ସେବକ ସାମନ୍ତ କୀଟ ପତଙ୍ଗରେ ପୂରି,
ତୁମ୍ଭେ ପୂରିଅଛ କାହିଁ ଊଣା ନାହିଁ ସର୍ବଘଟେ ସମସରି ।
ମେଦିନୀ ପାଷାଣ କାଠ ତରୁତୃଣ ନିର୍ଜୀବରେ ଯେହୁ ଗଚ୍ଛି,
ମୁଁ ଯେ ଜାଣୁଅଛି ମନର ଭିତରେ ଶବ୍ଦବ୍ରହ୍ମ ହେଲେ ଅଛି ।
ମୁଁ ଯେ ମୂର୍ଖ କବି ଭେଦ ମାର୍ଗେ ଜଗି ତୁମ୍ଭ କରୁଣା ମାତର,
ସମାନରେ ଦେଖି ସତ୍ୟ ଧର୍ମ୍ମ ସାକ୍ଷୀ କରି ନ ପାରେ ଅନ୍ତର ।
ତ୍ରିପୁର ଜଗତେ ଜୀବ ଛନ୍ତି ଯେତେ ଅଛି ନାମ କଳା ଚିହ୍ନ,
ସମସ୍ତେ ସଙ୍ଖୁଳି ଏକ ଆତ୍ମା ବୋଲି ନ କର ହୋ ଆନ ଭିନ୍ନ ।
କାଠର ଭିତରେ ସୁଢ଼ଳ ଧାତୁରେ ଜଳ ପୂରିଥାଇ ଯେତେ,
ପ୍ରାଣୀଙ୍କ ଅଙ୍ଗରେ ଜୀବ ମର୍ମରୂପେ ଫୁଟି ଦିଶୁଥାଇ ସତେ ।
ଦୋଷକୃତ ହାନି ଲାଭ ଧରା ମରା ଗାଳି ଦ୍ୱନ୍ଦ୍ୱ ହ୍ୱନ୍ତି ଯହିଁ,
ରୁମ ଚର୍ମ ଭେଦି କାଟେ ଜୀବନକୁ କାତର ମୁଁ ହେଉଥାଇ ।
ଅଗ୍ନି ଚୁଲା ପରେ ତାରଣ ଭାଣ୍ଡରେ ଯେସନେ ଫୁଟଇ ଅନ୍ନ,
ତେସନ ପରାଏ ହୃଦେ ଡ଼େଉଁଥାଇ ପଞ୍ଚଭୂତ ଆଜ୍ଞାମାନ ।
ଏକ ଖଣ୍ଡ ହାଡ଼ ବୁନ୍ଦାଏ ରୁଧିର ଫୁଟେ ମାଉଁସ ଜାଣଇ,
ତେଣୁକରି ସିନା ପ୍ରାଣୀଙ୍କ ବିକଳ ସହି ନ ପାରିବି ମୁହିଁ ।
ଏକା ଖଡ଼ଗରେ ଦଶ ପାଞ୍ଚ ମୁଣ୍ଡ ଛିଡ଼ଇ ଭାରତ ଯୁଦ୍ଧେ,
ଆରେକ ଅଙ୍ଗକୁ ପାଦେ ପହାରିଲେ ଏ ଅଙ୍ଗକୁ ମୋର ବାଧେ ।
ଆତ୍ମା ଭଗତିରେ ଦୋଷାଦୋଷ ହେଲେ ବଜ୍ର ପଡ଼ୁ ମୋ ମୁଣ୍ଡକୁ,
କହେ ଭୀମଭୋଇ ବ୍ରହ୍ମଶାପ ଦେଇ ଜାଳିଦିଅ ମୋ ପିଣ୍ଡକୁ ।