Jump to content

36 . ଷଟତ୍ରିଂଶ ବୋଲି

ଉଇକିପାଠାଗାର‌ରୁ
ଷଟ୍-ତ୍ରିଂଶ ବୋଲି ଲେଖକ/କବି: ଭୀମ ଭୋଇ
ଷଟ୍-ତ୍ରିଂଶ ବୋଲି

ଷଟ୍-ତ୍ରିଂଶ ବୋଲି

 
ବେନି ଜନ କଥା ଧର୍ମ ଉଲକିତା କେ କହିବ ତାହା କାଟି,
ମୁଖରେ କହିଲେ ହୃଦ ଫାଟିଯିବ ଛିଡ଼ିଯିବ ଜିହ୍ୱାପାଟି ।
ନୁହନ୍ତି ସେ ଗୁରୁ ନୁହନ୍ତି ସେ ଶିଷ୍ୟ ନାହିଁ ସାଆନ୍ତ ସେବକ,
ନୁହନ୍ତି ବ୍ରାହ୍ମଣ ନୁହନ୍ତି ଚଣ୍ଡାଳ ନୁହନ୍ତି ସେ ବଡ଼ଲୋକ ।
ନୁହନ୍ତି ସେ ସ୍ତିରୀ ନୁହନ୍ତି ପୁରୁଷ ନୁହନ୍ତି ଅଣ୍ଡିରାମାଈ,
ନୁହନ୍ତି ସେ ପିତା ନୁହନ୍ତି ସେ ପୁତ୍ର ନୁହନ୍ତି ଭଉଣୀ ଭାଇ ।
ନୁହନ୍ତି ସେ କ୍ଷୀର ନୁହନ୍ତି ସେ ନୀର ନୁହନ୍ତି ଦୁଗ୍ଧ ମଧୁର,
ନୁହନ୍ତି ସେ କଷା ନୁହନ୍ତି ସେ ପିତା ନ ଥାଇ ଶୋଭା ସୁନ୍ଦର ।
ନାହିଁ ତାଙ୍କ ଜାତି ନାହିଁ ତାଙ୍କ ଗୋତ୍ର ନ ଥାଇ ବାଛ ବେଭାର,
ବେନି ଜନ ଏକ ଆତ୍ମା ମନ ହୋଇ କରୁଅଛନ୍ତି ସଂସାର ।
ନୁହନ୍ତି ସେ ଜଳ ନୁହନ୍ତି ପବନ ନୁହନ୍ତି ରୂପ ଅରୂପ,
ନୁହନ୍ତି ସେ ଜ୍ଞାନ ନୁହନ୍ତି ଅଜ୍ଞାନ ନ ମଣେ ବେଦ କଳପ ।
ନୁହନ୍ତି ସେ ପାପ ନୁହନ୍ତି ସେ ପୁଣ୍ୟ ନୁହନ୍ତି ସେ ସେବା ଭକ୍ତି,
ନୁହନ୍ତି ସେ କାମ ନୁହନ୍ତି ସେ କ୍ରୋଧ ନୁହନ୍ତି ଯତି ସେ ସତୀ ।
ନୁହନ୍ତି ସେ କାଳ ନୁହନ୍ତି ସେ ମୃତ୍ୟୁ ନୁହନ୍ତି ଶୁଭ ଅଶୁଭ,
ନାହିଁ ପତି ପତ୍ନୀ ସକଳ ଜାଣନ୍ତି ଏକ ଅଙ୍ଗେ ସବୁ ଭୋଗ ।
ନୁହନ୍ତି ସେ ଦାସ ନୁହନ୍ତି ସେ ଦାସୀ ନୁହନ୍ତି ମାୟା ପ୍ରକୃତି,
ନୁହନ୍ତି ସେ ସତ୍ୟ ନୁହନ୍ତି ସେ ମିଥ୍ୟା ବେନି ଅଙ୍ଗ ଏକ ମୂର୍ତ୍ତି ।
ନୁହନ୍ତି ସେ କଳା ନୁହନ୍ତି ସେ ଧଳା ନାହିଁ ଭାରିଯା ଗୁରସ୍ତ,
ନୁହନ୍ତି ସେ ହାନି ନୁହନ୍ତି ସେ ଲାଭ ଦୁଃଖ ସୁଖ ସମ ମତ ।
ଭଗତ ଅଙ୍ଗଟି ପ୍ରଭୁ ଅଙ୍ଗ ଜାଣ ଜୀବରୂପେ କରି ବିଜେ,
ଗୁରୁ ଚରଣକୁ ଶିଷ୍ୟ ଭଜୁଥାଇ ଶ୍ରୀଗୁରୁ ଶିଷ୍ୟକୁ ଭଜେ ।
ଅସ୍ଥିର ଜୀବନ ଯେଉଁ ପରକାର ରହିଛି ଧାରଣ ହୋଇ,
ସେହି ପରକାରେ ଗୁରୁ ଶିଷ୍ୟ କଥା ଫେଡ଼ି ଦେଲୁ ଆମ୍ଭେ କହି ।
ଜୀବନେ ଯେସନେ ପଞ୍ଚଭୂତ ମନ ଆବୋରି ରହିଛି ଜଡ଼ି,
ସେହି ପରକାରେ ବ୍ରହ୍ମାଣ୍ଡ ଭିତରେ ଗୁରୁ ଶିଷ୍ୟକୁ ନ ଛାଡ଼ି ।
ପାଞ୍ଚ ମନଠାରେ ପଚିଶ ପ୍ରକୃତି ଲାଗିଛି ଯେସନେ ଲତା,
ସେହି ପରକାରେ ସୁଜ୍ଞ ସାଧୁ ସନ୍ଥେ ଗୁରୁ ଶିଷ୍ୟଙ୍କର କଥା ।
ପ୍ରକୃତିର ପରେ ବିକୃତି ଯେସନେ ରସରେ ତ ଅଛି ଭିଡ଼ି,
ସେହି ପରକାରେ ଶାହାସ୍ର ମତରେ ଗୁରୁ ଶିଷ୍ୟଙ୍କର ଧାଡ଼ି ।
ଅସ୍ଥିରେ ଯେସନ ମାଏଁସ ଘୋଡ଼ାଏ ମଝି ରହିଅଛି ଆଣ୍ଟ,
ଜ୍ଞାନ ସିନ୍ଧୁ ଜଳେ ସେହି ପରକାରେ ଗୁରୁ ଶିଷ୍ୟଙ୍କର ବାଟ ।
ମାଏଁସକୁ ଯେହ୍ନେ ରୁଧିର ସର୍ବାଙ୍ଗେ ବୁଡ଼ାଇ ରଖିଛି ପୂରି,
ତେମନ୍ତ ପ୍ରକାରେ ଗୁରୁ ଶିଷ୍ୟ କଥା ନୁହେ ଆନ ଭିନ୍ନ କରି ।
ପଞ୍ଜରା ହାଡ଼ ଖଞ୍ଜାମାନ ଗଣ୍ଠିରେ ଶିର ଯେସନେକ ଛନ୍ଦି,
ସେହି ସୂତ୍ର ଯନ୍ତ୍ରେ ବୁଝିନିଅ ସର୍ବେ ଗୁରୁ ଶିଷ୍ୟ ହୋନ୍ତି ବନ୍ଦୀ ।
ଦେହରେ ଯେସନ ଚର୍ମ ଘୋଡ଼ାଇଛି ଚର୍ମରେ ଆବୋରି ରୋମ,
ଚାରି ଯୁଗେ କେବେ ଭିନ୍ନାଭିନ୍ନ ନାହିଁ ଗୁରୁ ଶିଷ୍ୟ ଏକ ନାମ ।
ଶ୍ରୀନାମ ବ୍ରହ୍ମରେ ଅଙ୍ଗ ସଙ୍ଗ ଯୋଗ ଯେସନ ପୁରୁଷ ସ୍ତିରୀ,
ଭଣେ ଭୀମ ଭୋଇ ପାମର ଅଜ୍ଞାନ ଗୁଣ ନିର୍ଗୁଣକୁ ଧରି ।