Jump to content

44 . ଚତୁଶ୍ଚତ୍ୱାରିଂଶତ ବୋଲି

ଉଇକିପାଠାଗାର‌ରୁ
ଚତୁଶ୍ଚତ୍ୱାରିଂତ୍ ବୋଲି ଲେଖକ/କବି: ଭୀମ ଭୋଇ
ଚତୁଶ୍ଚତ୍ୱାରିଂତ୍ ବୋଲି

ଚତୁଶ୍ଚତ୍ୱାରିଂତ୍ ବୋଲି

 
ନମେ ଶୂନ୍ୟବାସ ଅନାଦି ପୁରୁଷ ଅନୁସରି ପାଦଗତେ,
କପାଳରେ ମୋର ଅର୍ଦ୍ଧାଙ୍ଗ ତପସ୍ୟା ଲେଖିଦେଇଛ କିମର୍ଥେ ।
ଅର୍ଦ୍ଧ କପାଳରେ ଅଢ଼ାଇ ଅକ୍ଷର କେଉଁ ଅପରାଧ ଗୁଣେ,
ଅର୍ଦ୍ଧେକ ସଫଳ ଅର୍ଦ୍ଧେକ ବିଫଳ ମାଗିଥିଲି କି ମୋ ମନେ ।
ଶତେ ଜନ୍ମଠାରୁ ଏପରି କମାଣି କରିଥିଲି କି ମୁଁ ନିତ୍ୟେ,
ଭୁଞ୍ଜିଲା ଆଧାରେ ଧୂଳି ପଡ଼ୁଅଛି ଏହା ଥିଲା କି ସୁକୃତେ ।
କର୍ମ ବୃକ୍ଷ ମୋର ଅତି କ୍ଷୀଣ ହୋଇ ଫଳୁଛି ପୋକରା ଫଳ,
ହସ୍ତେ ତୋଳି ଖାଇ ପକାଇ ନୋହିଲା ପଞ୍ଚୁମନେ ଖଳବଳ ।
ଡାଳ ପୁଷ୍ପ-ପତ୍ରେ ଲୋଡ଼ିଲି ମୁଁ ଫଳ କାହିଁ ନ ପାଇଲି ଗୋଟା,
ଯାହାକୁ ଭୁଞ୍ଜିଲେ ସୁସ୍ୱାଦୁ ନୋହିଲା ସକଳ ତୁଣ୍ଡକୁ ପିତା ।
କସି ଦିନୁ କଞ୍ଚା ଅଧେ ଦରପଚା କଷା ମଧୁର ନୋହିଲା,
ଶୂନ୍ୟ ଧର୍ମ ପ୍ରଭୁ ଗୁରୁ ହୋଇ ମୋର ଏହା ଲଲାଟେ ଲିହିଲା ।
ପିତା କି ଆମ୍ବିଳ ଆତ୍ମାକୁ କୁଶଳ ସନ୍ତୋଷ ନୋହିଲା କିଛି,
ପ୍ରଥମ ଯୋଗରୁ ଯେତେ ଦୁର୍ଘଟଣା ଆଗତକୁ କିସ ଅଛି ।
ଏପରି ଯୁଗକୁ ଏହିପରି ଭୋଗ ଭୋଗରେ ଦେଇଛ ବାଣ୍ଟି,
କର୍ମ କାଣ୍ଡ ଗୋଟି ବସ୍ତ୍ର ଅଟେ ମୋର ସଳଖ କରି ନ କାଟି ।
ପୂର୍ବକାଳେ ଗୁରୁସେବା ଅସନ୍ତୋଷ କରିଥିବାରୁ ଏମାନ,
ତେଣୁକରି ସିନା ଭୋଗେ ଯୋଗେ ମୋର ସନ୍ତୋଷ ନୋହିଲା ମନ ।
ଅଦୃଷ୍ଟକୁ ମାନି ବନରେ ପଡ଼ିଛି ସାର ଅସାର ଯେ ଗ୍ରାସ,
ଏତେକାଳେ ଆସି ପ୍ରବେଶ ହୋଇଲା ପୂର୍ବର ଅର୍ଜିଲା ଦୋଷ ।
ପୂର୍ଣ୍ଣ ସେବା ଭକ୍ତି ନ କରି ମୁଁ ନିତି ତେଣୁ ମୋ କରମ ଊଣା,
ପୂର୍ବେ କାହାକୁ ବନସ୍ତକୁ ଖେଦିଲି ଏବେ ମୁଁ ହେଉଛି ବଣା ।
ପୂର୍ବେ ମୁଁ କାହାର ଥିଲି ବସା ଭାଙ୍ଗି ଥାନୀକି ବିଥାନୀ କଲି,
ସେହି ଯୋଗେ ମୋତେ ପ୍ରାପତ ହୋଇଲା ଏବେ ପ୍ରତକ୍ଷେ ଜାଣିଲି ।
ପୂର୍ବେ ମୁଁ କାହାର ସୁଖଭୋଗ ଖଣ୍ଡିଥିବାରୁ ପଡ଼ୁଛି ଦଣ୍ଡ,
ଏବେ ସେହି ଶାସ୍ତି କରତି କାଟୁଛି ସବୁ ଦୋଷ ହୋଇ ରୁଣ୍ଡ ।
ଅନ୍ତର୍ଯ୍ୟାମୀ ସ୍ୱାମୀ ଅନନ୍ତ ଗର୍ଭରେ ରଖିଥିଲା ଠୁଳ କରି,
ଏବେ ସେ ଫଳମାନ ବ୍ୟର୍ଥ ହେଉଛି ଭୁଞ୍ଜାଉଛି ମୋତେ ଧରି ।
କରି ଏବେ ଦୂର ପ୍ରଭୁ ଅଣାକାର କିପାଇଁ ଦେଉଛ ସଜା,
ବେନି କନ୍ଧେ ବେନି ଭାର ବୁହାଇଛ ବୋଝର ଉପରେ ବୋଝା ।
ପ୍ରକୃତି ସଂସାର ତିମିରି ଅନ୍ଧାର ଗୋଚର ନ ଥିଲା ଚିତ୍ତେ,
ବେଳହୁଁ ଯେବେ ଜାଣିଥାନ୍ତି ଏମାନ କାହିଁକି ହୁଅନ୍ତା ଏତେ ।
ଯେତେ ସରିକି ହୋଇଲାଣି ଆଜକୁ କେ କହୁ ମୋର ଭାଳେଣି,
ଦିବା ନିଶି ଅସରନ୍ତି ହେଉଅଛି ଗୁରୁ ଦେବ ଗୁଣି ଗୁଣି ।
ମିଛ ପସରାକୁ ଆବୋରି ବସିଛ ଧନ ରତ୍ନ ନାହିଁ କିଛି,
ଏବେ ପ୍ରଭୁ ମୋର ମନେ ପଡ଼ୁଅଛି ବେନି ନେତ୍ରୁ ଲୁହ ପୋଛି ।
କରୁ ମୁଁ ଅଛି ଯାହା ଯାହା ବିଚାର ହୃଦୟ ପଦ୍ମରେ ମୋର,
ପଚିଶ ପ୍ରକୃତି ପିଣ୍ଡରେ ପ୍ରବଳ ଯୁଗ ଅଟେ ମହାଘୋର ।
ଏତେବେଳେ ମୁହିଁ କି ବୁଦ୍ଧି କରିବି କହ ଗୁରୁ ଅଣାକାର,
ସ୍ୱାମୀ ପଦ ଧ୍ୟାୟି କହେ ଭୀମ ଭୋଇ ଏ ଯୁଗରୁ ତ୍ରାହି କର ।