47 . ସପ୍ତଚତ୍ୱାରିଂଶତ ବୋଲି
ସପ୍ତଚତ୍ୱାରିଂଶତ୍ ବୋଲି
ଅରୂପ ଶରୀର ରୂପ ନାହିଁ ଯା'ର କେମନ୍ତେ ଚିହ୍ନିବି ମୁହିଁ,
ଦୟାକରି ମୋତେ ଦରଶନ ଦିଅ ଅନ୍ତର୍ଯ୍ୟାମୀ ଶୂନ୍ୟଦେହୀ ।
ଏକ ଗୋଟା ପାଦ ନିର୍ବେଦ ନିଃଶଙ୍କ ପଡ଼ିଅଛି ଶୂନ୍ୟ ଶବ୍ଦ,
ଅନାଦି ଅଗାଧ ଅଟଇ ସେ ଆଦ୍ୟ ଯେମନ୍ତେ ମିଳିବ ଭେଦ ।
ବ୍ରହ୍ମମଧ୍ୟେ ସାର ଧର୍ମ ଧନୁର୍ଦ୍ଧର କର୍ମ ଅଟେ ବୀରବର,
ଏକସ୍ଥାନେ ଥାଇ ସକଳ ଶରୀର ପୂରିଅଛ ତିନିପୁର ।
ଜଳସ୍ଥଳାନଳ ପବନ ଶରୀରେ ଭିତର ବାହାରେ ରହି,
ଶବଦ ସ୍ୱରୂପ ହୋଇ ଅଣରୂପ ଆତ୍ମାଭୂତ ପ୍ରାୟ ହୋଇ ।
ସାନ ଦେହେ ସାନ ବଡ଼ ଦେହେ ବଡ଼ ଜୀବ ଅଜୀବ ସମାନ,
ବିକାର ଅଣବିକାର ଠାବେ ବସି ନ ଥାଇଟି ଭିନ୍ନାଭିନ୍ନ ।
ଦୁଷ୍ଟ ଦୁରାଚାରେ ଦୈତ୍ୟ ଦାନବରେ ସକଳ ଘଟେ ବିଶ୍ରାମ,
କାହିଁ ଶୂନ୍ୟ ନାହିଁ ସକଳ ଭୂତରେ ବହି ଜୀବବ୍ରହ୍ମ ନାମ ।
ସନ୍ଥସାଗର ସାଧୁଜନ ପଣ୍ଡିତ କବିତ୍ୱ ହୃଦରେ ଥାଇ,
ଅନୁଭବ ଶକ୍ତି ଅଣାକାର ଜ୍ୟୋତି ଆକାଶରୁ ପଦ ଲିହି ।
ଅଶେଷ ମହିମା ବହିଅଛ ପ୍ରଭୁ କେତେ ବର୍ଣ୍ଣିବି ତୁମ୍ଭଙ୍କୁ,
ବ୍ରହ୍ମସାଗରରେ ମୁଁ ହଜି ଯାଉଛି ଆଶ୍ଚର୍ଯ୍ୟ ମଣି ମନକୁ ।
ମୋହ ବୁଦ୍ଧିବଳେ ଅନେକ ପ୍ରକାରେ ଧରି ମନ କରୁଅଛି,
ଯେତେ ଲୋଡ଼ିଲେ ତୁ ଚିହ୍ନା ନ ପଡ଼ୁଛୁ ବଚନ ନ କହୁ କିଛି ।
କି ନିମନ୍ତେ ମୋତେ ସାଧି ମାରୁଅଛୁ ଲାଗିଅଛି ତୋର କେତେ,
କାହିଁକି ଗୁପତେ ମଉନ ହେଉଛୁ ଫେଡ଼ି କହ ପ୍ରଭୁ ମୋତେ ।
କରୁଣାକଟାକ୍ଷ କୃପାହିଁ ତ ଦୟା ଯାହା ଦେଇଅଛୁ ମୋତେ,
ସେବା ଭକ୍ତି ଗୁଣ କଳନ୍ତର ଋଣ ଊଣା ହେଲା କେତେ କେତେ ।
ପାରୁ ପରିଯନ୍ତେ ଶୁଝୁଅଛି ମୁହିଁ ଘେନୁଛୁ କି ନାହିଁ ତୁହି,
ଜନମଯାକ ମୋ ବହି ଗଲାଣି ତ ଗଉଣୀରେ ମାପି ଦେଇ ।
ଚାରି ବରଷ ହୋଇଲାଣି ଆଜକୁ ତୋଠାରୁ ମୋ ଅଣା ନିଆ,
ବହିରେ ନ ଲେଖି ମାରୁଅଛୁ କୋପି କିପାଇଁ କରୁଛୁ ଏହା ।
ମୁହିଁ ଏକା ନେଇଅଛି ତୋହ ଋଣ ସମସ୍ତେ ତ ଛନ୍ତି ନେଇ,
ମୂଳ କଳନ୍ତର ବୁଝାଇବା ବେଳେ କିମ୍ପା ନ ଲେଖିଲୁ ବହି ।
ପୁଣି ଯେତେଠାରୁ ଆଣିଅଛି ମୁହିଁ ଏପରି କରିବୁ ମୋତେ,
ସାହୁ ରାହୁ ତୁହି ପାରି କରିନିଅ ଏବେ ମୁଁ କହୁଛି ତୋତେ ।
ସାହୁ ହୋଇ କରି ଖାତକଠାବରେ ମାୟା କରିବାର ନୁହେ,
ଅଶେଷ ବ୍ରହ୍ମାଣ୍ଡ ମହାଜନ ଅଟୁ ସମ୍ପତ୍ତି ତୋର ଅକ୍ଷଏ ।
ତେଣୁକରି ମୁହିଁ ଆଶ୍ରେ କରିଅଛି ଅନନ୍ତ ଭଣ୍ଡାରେ ସିନା,
ଶତେ ପୁରୁଷକୁ ଅଣ୍ଟିବ ବୋଲି ମୁଁ ମନେ କରିଛି ଭାବନା ।
ସାହୁ ଗଙ୍ଗାଜଳ ହୃଦୟ ନିର୍ମଳ ହେଲେ ଖାତକକୁ ଲାଭ,
ଖାତକ ଶୁଝିଲେ ସାହୁ ନେଉଥିଲେ ସବୁଦିନେ ପ୍ରୀତି ଥିବ ।
ତୋହୋ ଦାନାପାଣି ଛପ୍ନା କୋଟି ପ୍ରାଣୀ ଖାଇ ସମସ୍ତେ ଆନନ୍ଦ,
କାହାକୁ କେଉଁ ପରକାରେ ଦେଉଛୁ ତୁ ଜାଣିବୁ ସେହି ଭେଦ ।
ଏବେ ଶ୍ରୀଛାମୁରେ ବିନତି କରୁଛି ଘେନ ମୋହର ବଚନ,
ଭଣେ ଭୀମକନ୍ଧ କବି କୁଳଚାନ୍ଦ ଗୁରୁ ପୟରେ ଶରଣ ।