50 . ପଞ୍ଚାଶତ ବୋଲି
ପଞ୍ଚାଶତ୍ ବୋଲି
କଳିଯୁଗେ ମୋତେ ସଙ୍କଟ ପଡ଼ିଲା ନର ଅଙ୍ଗେ ଅବତରି,
କି ବୁଦ୍ଧି କରିବି ବୁଦ୍ଧି ଦିଶୁନାହିଁ ଅଲେଖ ଶୂନ୍ୟ ବେହାରୀ ।
ଦିବସ ପାହିଲା ରଞ୍ଚନା ସରିଲା ବିଚାର କରିବି କିସ,
ଆଜି କାଲି ବୋଲି ସଂସାର ଭିତରେ ଯୁଗ ହୋଇଲାଣି ଶେଷ ।
ନେତ୍ରେ ଦେଖୁ ଦେଖୁ ଚିହ୍ନି ନ ପାରିଲେ ତିନି ଭୁବନର ଲୋକ,
ସତ୍ୟ ଧର୍ମଠାରୁ ମାଗନ୍ତି ଆହୁରି ପରୀକ୍ଷା ନେବାକୁ ଦେଖ ।
କେମନ୍ତ ପ୍ରକାରେ ତ୍ରିପୁର ସଂସାରେ ପାଇବେ ଆତ୍ମାରେ ବୋଧ,
ଅଚେତା ହୋଇ ସମସ୍ତେ ପଡ଼ିଛନ୍ତି ଖାଇଛନ୍ତି ମାୟାମଦ ।
ଆଣ୍ଟୁଆ ପଣରେ ସରବେ ଅଛନ୍ତି ନିହାଇ ଭାଙ୍ଗେ ଗରବ,
ବଡ଼ଲୋକ ହୋଇ ଗାରିମା ବହିଲେ ଅଜ୍ଞାନ ପଣରେ ସର୍ବ ।
ଅଜ୍ଞାନ ଆଚାରେ ନିନ୍ଦିତ ବିଚାରେ କରୁଛନ୍ତି ଉପହାସ,
ମୁହିଁ କୋପ କଲେ କି କାର୍ଯ୍ୟ ହୋଇବ ବୁଝ ପ୍ରଭୁ ଜଗଦୀଶ ।
ବୋଲାଇ ନୃପତି ନିନ୍ଦା କରୁଛନ୍ତି ବସି ଦଣ୍ଡ ସିଂହାସନେ,
ହସ୍ତ ଝାଡ଼ି ମୁଖ ଶିରକୁ ହଲାଇ କହୁଛନ୍ତି ଗର୍ବମନେ ।
ତୁମ୍ଭର ଗୁରୁଙ୍କ ତୁମ୍ଭେ ସେବାକର ନୁହନ୍ତି ଆମ୍ଭର ଗୁରୁ,
ପରୀକ୍ଷା କରି ତୁମ୍ଭେ ସେବା କରୁଛ ଆମ୍ଭେ ନ ପାଇ ଆଦ୍ୟରୁ ।
ସଭା ବିଦ୍ୟମାନେ ହାସ୍ୟ ଅନୁକ୍ଷଣେ ଦଶ ପାଞ୍ଚ ହୋଇ ମେଳ,
ସୁର ଅସୁର ଏକ ଠାବରେ ମିଳି ବିଚାରୁ ଅଛନ୍ତି ଖଳ ।
କଉତୁକ କରି ଗେଲରେ ପଚାରି ମହିମା ତୁମ୍ଭେ ଭଜିଛ,
କଥାଏ ତୁମ୍ଭଙ୍କୁ ପଚାରୁଛୁଁ ଆମ୍ଭେ ନାହିଁ କହ ପରା ମିଛ ।
କେତେ ଦିବସେ ସତ୍ୟଯୁଗ କରୁଛ ଏକଠାବେ ପରା ଖାଅ,
ଦାରା କର୍ମ କରି ମଦ ମାଂସ ଭକ୍ଷି ସମସ୍ତଙ୍କ ଜାତି ନିଅ ।
ସ୍ତିରୀ ପୁରୁଷ ମୁଣ୍ଡିଆ ମରାମରି ହେଉଅଛ ପରା ତୁମ୍ଭେ,
ସମସ୍ତେ ଆସି ଆମ୍ଭ ଆଗେ କହିଲେ କର୍ଣ୍ଣରେ ଶୁଣୁଛୁ ଆମ୍ଭେ ।
ପୁରୁଷମାନେ ସର୍ବଘରେ ଭକ୍ଷିଲେ କଲେ ମହିମା ଭଗତି,
ସ୍ତିରୀମାନେ ଆଦି ମହିମା ଭଜିଲେ କିପାଁ ବୁଡ଼ାଇଲେ ଜାତି ।
ଭଲ ଘର ଝିଅ ଭଲ ଘର ବୋହୂ ଯାଉଛନ୍ତି ନଷ୍ଟ ହୋଇ,
ଛତିଶ ପାଟକ ଏକଜାତି ହେଉ ଏହା ଲେଖିଥିଲା ବିହି ।
କଳିଯୁଗ ମଧ୍ୟେ ବୋଲୁଥିଲେ ଯାହା ମେଳଛ ହୋଇବେ ସର୍ବେ,
ତୁମ୍ଭେମାନେ ଯେଉଁ କର୍ମ କରୁଅଛ ନେତ୍ରରେ ଦେଖୁଛୁ ଏବେ ।
ବିଶ୍ୱାସେ ଲୋକ ତୁମ୍ଭେମାନେ ସମସ୍ତେ ମଣିଷକୁ ବୋଲ ପ୍ରଭୁ,
ଯାହାକୁ ତୁମେ ପରଂବ୍ରହ୍ମ ବୋଲୁଛ ଦେଖିଅଛୁ ତାଙ୍କୁ ସବୁ ।
ପିତାମାତା ଗୃହ କୁଟୁମ୍ବ ଅଛନ୍ତି ସେହି କି ଅଟଇ ବ୍ରହ୍ମ,
ବ୍ରାହ୍ମଣ ବୈଷ୍ଣବ ଶୂଦ୍ର ଆଦି କରି ସମସ୍ତେ ହେଉଛ ଭ୍ରମ ।
ଜନମ ଭୂମି ଦେଖିଛୁ ଆମ୍ଭେମାନେ ବାଳୁତ ଦିନୁ ପ୍ରମାଣେ,
କେହୁ ବୋଲେ ବୃତ୍ତ ଫନ୍ଦା କରୁଥିଲେ କେ ପରତେ ଯିବ ମନେ ।
କେ ବୋଲେ ସଂସାରୀ ମତେ ରହିଅଛି ଆମ୍ଭରି ପରାଏ ହୋଇ,
କେଉଁ ଶକତି ଦେଖି ପ୍ରଭୁ ବୋଲିବା ହେଉଛନ୍ତି କୁହାକୁହି ।
ମନର ବିଚାର ପଡ଼ିଛି ଇଝାର ଚିତ୍ତେ ଅପମାନ ହୋଇ,
ଭଣେ ଭୀମ ଭୋଇ ସହସ୍ର ପଦରେ ଶୂନ୍ୟବାସୀଙ୍କି ଜଣାଇ ।