52 . ଦ୍ୱିପଞ୍ଚାଶତ ବୋଲି

ଉଇକିପାଠାଗାର‌ରୁ
ଦ୍ୱିପଞ୍ଚାଶତ୍ ବୋଲି ଲେଖକ/କବି: ଭୀମ ଭୋଇ
ଦ୍ୱିପଞ୍ଚାଶତ୍ ବୋଲି

ଦ୍ୱିପଞ୍ଚାଶତ୍ ବୋଲି

 
କର୍ଣ୍ଣପଥେ ପଶି ବେନି ନେତ୍ରେ ବସି କରାଉ ଅଛନ୍ତି ମୋହ,
ନିଷ୍କାମ ଧର୍ମପଥ ଆଶ୍ରେ କରନ୍ତେ ବୋଲନ୍ତି ଛାଡ଼ିଣ ଦିଅ ।
ଦେବଗଣମାନେ ପ୍ରାଣୀଙ୍କ ହୃଦରେ ପ୍ରକୃତି ସ୍ୱରୂପେ ବସି,
ଆତ୍ମା ଲିଙ୍ଗରେ ଲିପିତ ହୋଇଛନ୍ତି କରାଉ ଅଛନ୍ତି ଦୋଷୀ ।
ମନ ବୁଦ୍ଧି ବିଚାରରେ ଚେତା ଘରେ ଦେଉଛନ୍ତି ସମୁଜାଇ,
ନାଗ ସର୍ପ ପରି ଉଠି ପ୍ରାଣୀମାନେ ଗର୍ବେ ପାରୁଛନ୍ତି କହି ।
ଦେବକୂଟ ବୋଲି ଜାଣିବାକୁ ନାହିଁ ବୋଲନ୍ତି ଆମ୍ଭେ କରୁଛୁଁ,
ଏମାନେ ସର୍ବେ ବିଅର୍ଥକୁ ଗଲେଣି ଆମ୍ଭେ ଜାତି କୂଳେ ଅଛୁଁ ।
ସୁରଗଣ କୂଟ ଲାଗିଅଛି ସଙ୍ଗେ ପଞ୍ଚମ ଗୁଣକୁ ଧରି,
ବିଅର୍ଥେ ଆୟୁଷ କ୍ଷୟ କରୁଛନ୍ତି ମହିମାକୁ ନିନ୍ଦା କରି ।
ଦେବତାମାନେ ବୋଲୁଛନ୍ତି ଆମ୍ଭର ସଙ୍ଗ ଛାଡ଼ି କିପାଁ ଗଲେ,
ଆମ୍ଭର କର୍ମ ଧର୍ମ ସବୁ ଛାଡ଼ିଲେ ବ୍ରହ୍ମଲୋକ ସଙ୍ଗ ହେଲେ ।
ଆମ୍ଭର ଭୋଗ ଉଚ୍ଛିଷ୍ଟ ନ ଖାଇଲେ ନ କଲେ ଆମ୍ଭଙ୍କୁ ପୂଜା,
ଦେବତା ସେବା ଭକ୍ତି ସବୁ ଛାଡ଼ିଲେ ହେଲେ ବ୍ରହ୍ମର ତନୁଜା ।
ଗୋରସ ତଣ୍ଡୁଳ ଭୁଞ୍ଜିକା ଆଧାର ପୂଜାକଲେ ଗୁରୁପାଦେ,
ତେଣୁ କରି ଆମ୍ଭେ ଚ୍ୟୁତ ହେଲୁ, ବିଘ୍ନୁ ରକ୍ଷା କର ଅପ୍ରମାଦେ ।
ଯେଉଁ ପୁଷ୍ପ ଆମ୍ଭଶିରରେ ଲାଗଇ ଗୁରୁପାଦେ କଲେ ଯୋଗ୍ୟ,
ରଙ୍ଗ ଶୁକଳ ଆବର ଯେତେ ପୁଷ୍ପ ଚରଣରେ କଲେ ଭୋଗ୍ୟ ।
ତେଣୁକରି ଦେବେ ସହି ନ ପାରିଲେ ବିଘ୍ନ କଲେ ଘନ ଘନ,
ଜନ୍ତୁଙ୍କ ହୃଦେ ପ୍ରକୃତିରୂପେ ପଶି ହରୁଛନ୍ତି ପ୍ରାଣୀ ମନ ।
ବିଷ୍ଣୁ ଲୋକେ ବୋଲୁଛନ୍ତି ଆମ୍ଭ ଭୋଗ ସବୁଯାକ କଲେ ମାରା,
ଆବର ଯେ ଚୂଆ ଚନ୍ଦନ କର୍ପୂର କଲେ ସପ୍ତାମୃତ ଧାରା ।
ଦଧି ଦୁଗ୍ଧ ଗୁଡ଼ ମଧୁ ଆଦି କରି ଗନ୍ଧବାସ ଯେତେ ଥିଲା,
ଧୂପ ଦୀପ ଷଡ଼ ଅର୍ଘ୍ୟ ସଞ୍ଚମାନ ତାହା ପୟରେ ଲାଗିଲା ।
ଦେବାଙ୍ଗ ବାସ ସର୍ବେ ଭୂଷଣ କଲେ ହେଲେ ଦେବ ବିଷ୍ଣୁ ଦେହୀ,
ଯେତେ ଦିନୁ ଧର୍ମ ଉଦେ ହୋଇଲାଣି ସେ ଦିନୁ ନେଲେ ଛଡ଼ାଇ ।
ଅବର ବୃକ୍ଷ ବଳ୍କଳ କୁମ୍ଭୀପଟ ଅବଧୂତ ବାନା କଲେ,
ଦେବୀ ଦେବତା କେହି ନ ମାନ ବୋଲି ଗୁରୁଦେବ ଆଜ୍ଞା ଦେଲେ ।
ଆମ୍ଭ ଅଙ୍ଗଭୂଷଣ ଯେତେକ ବିଭୂତି ଭୃତ୍ୟର ଅଙ୍ଗେ ମଣ୍ଡିଲେ,
ଦେବଲୋକ ବିଷ୍ଣୁଲୋକଙ୍କୁ ଯେ ଆଦି ସ୍ୱହସ୍ତେ ଗର୍ବ ଗଞ୍ଜିଲେ ।
ନରତନୁ ବହି ସେବା କରୁଛନ୍ତି ଅଲେଖ ବ୍ରହ୍ମର ଆଳେ,
ଦେବାଦେବୀ ସବୁ ଅପୂଜା ରହିବେ ଫଳିବ ଏ ତିନିକାଳେ ।
ଏହାର ବିଚାର କରି ଏ ତିନିକୁଳ କରୁଅଛନ୍ତି ଉଦ୍ଦଣ୍ଡ,
ମନୁଷ୍ୟ ହୋଇ ବ୍ରହ୍ମ ସେବା ଖଟିଲେ ତପ ହେଉ ଖଣ୍ଡ ଖଣ୍ଡ ।
ନର ହୋଇ ଦେବମାୟା କି ଜାଣିବେ କର ଭଲ କରି କୂଟ,
ଆମ୍ଭର ପଣ ପାଟକ ଗଲା ବୋଲି ହେଉଛନ୍ତି ଛଟପଟ ।
ଅଲେଖ ମହିମା ନାମକୁ ଭଜିଣ ସର୍ବ କର୍ମ କଲେ ନାଶ,
ତିନିପୁରଯାକ କାହିଁ ନ ମିଳିବ ଦେବାଦେବୀଙ୍କର ବାସ ।
ନିରନ୍ତରେ ଧର୍ମେ ବିପତ୍ତି ପଡ଼ୁଛି ଲାଗିଅଛି ଦେବମାୟା,
ଗୁରୁପାଦ ଧ୍ୟାୟି ଭଣେ ଭୀମ ଭୋଇ ଶୂନ୍ୟବାସୀଙ୍କର ଦୟା ।