55 . ପଞ୍ଚପଞ୍ଚାଶତ ବୋଲି

ଉଇକିପାଠାଗାର‌ରୁ
ପଞ୍ଚପଞ୍ଚାଶତ୍ ବୋଲି ଲେଖକ/କବି: ଭୀମ ଭୋଇ
ପଞ୍ଚପଞ୍ଚାଶତ୍ ବୋଲି

ପଞ୍ଚପଞ୍ଚାଶତ୍ ବୋଲି

 
ନିରନ୍ତରେ ହୃଦେ ଦକା ମାଡ଼ୁଅଛି ଥୟ ନାହିଁ ପଞ୍ଚଭୂତ,
ବୁଦ୍ଧି ବିଚାର ମୋ ହଜି ଯାଉଅଛି କେମନ୍ତେ କରିବି ଚ୍ୟୁତ ।
ପୁରେ ପୁରେ କଳି ଘରେ ଘରେ କଳି ଘଟେ ଘଟେ କଲା ବାସ,
ତିନି ଭୁବନରେ ଯେତେ ଲୋକ ଛନ୍ତି ନାହାନ୍ତି ଆତ୍ମ ବିଶ୍ୱାସ ।
ରୋମେ ଚର୍ମେ କଳି ଘୋଟି ରହିଅଛି ନାସା ନେତ୍ର କର୍ଣ୍ଣପଥେ,
ପ୍ରାଣୀଙ୍କ ସଙ୍ଗତେ ହତ ହୋଇବାକୁ ବୁଦ୍ଧି ପାଉନାହିଁ ମୋତେ ।
ଅନ୍ତ ପିତ୍ତ କଳି ରଞ୍ଚି ରହିଅଛି ମଳମୂତ୍ର ଦ୍ୱାରେ ପୂରି,
ଜିହ୍ୱା ଅଗ୍ରରୁ ସତ୍ୟ ଉଠିଗଲାଣି ନବମ ଦ୍ୱାରକୁ ଧରି ।
ନବଦ୍ୱାର ଯାକ ଦ୍ୱାରେ ସତ୍ୟ ନାହିଁ କେମନ୍ତେ ରହିବ କାଏ,
ଚିଆଁ ଚଇତନ୍ୟ ହେତୁ ହଜିଗଲା ମରଣକୁ ନାହିଁ ଭଏ ।
କି ଅବା ସ୍ତିରୀ ସେ କି ଅବା ପୁରୁଷ ସର୍ବଜନ ଏକାକାର,
ପାତକ ପୁଣ୍ୟ ଆପଣା ମହତ୍ତ୍ୱକୁ କାହାରି ନାହିଁ ବିଚାର ।
ଯଦି ସତୀ କେହି ନାହାନ୍ତି ତ୍ରିପୁରେ ସର୍ବେ ବିଟପୀ ବିଟପ,
ଧର୍ମ ଚିନ୍ତା ପ୍ରାଣୀ କାହିଁ ମୁଁ ରହିବି ସବୁ ଘଟିଲାଣି ପାପ ।
କଲି ପୁରୁଷର ଲୋକ ସର୍ବସ୍ଥାନେ ନାହିଁଟି ସତ୍ୟର ଲୋକ,
ଧର୍ମ ଧାରଣେ କାହାରି ଶ୍ରେତା ନାହିଁ ସର୍ବଜନେ ଅବିବେକ ।
ପାତକ ପୁଣ୍ୟକୁ ଜଳପ୍ରାୟ କରି ପିଇ କରି ହେଲେ ପାର,
ମୂଢ଼ପଣରେ ସାହସ କରିଛନ୍ତି କେମନ୍ତେ ହେବେ ଉଧାର ।
ବିନା କର୍ମରେ ଶାନ୍ତି ଲଭିଅଛନ୍ତି କେମନ୍ତେ ସରିବ ଦିନ,
ଏଡ଼େ ଅଜ୍ଞାନୀ ମୂର୍ଖ ହୋଇଣ ପ୍ରାଣୀ ପଶିଛନ୍ତି ମାୟାବନ ।
ଘୋରବନେ ପଶି ସୁଖ ମଣିଛନ୍ତି ଦୁଃଖକୁ ନାହିଁ ନା ହେଜ,
ଆପଣା କଲା ଅକର୍ମ ଯେତେ କଥା ଶିରକୁ ହୋଇଛି ବୋଝ ।
କୁହୁଡ଼ି କି ଦେଖି ଝାସି ପଡ଼ୁଛନ୍ତି ସତ୍ୟ ପ୍ରାଏ ମଣି ଚିତ୍ତେ,
ଦେଖିଲା ବେଳକୁ ତୁଚ୍ଛା ହିଁ ପସରା ମୃତ୍ୟୁ ଘୋଟେ ଅଦଭୁତେ ।
ବଚନ ଭାଷିଲା ଜୀବମାନ ହୋଇ ପଶୁଙ୍କ ପରାଏ ବୁଦ୍ଧି,
ଏ ଭବସାଗରେ ପଥଶ୍ରମ ହୋଇ ନିତ୍ୟେ ଦେଉଛନ୍ତି ସାଧି ।
ଏ ମାୟା ରଞ୍ଜନା ପ୍ରକୃତି ପାଞ୍ଚନା ଜାଣି କରି ନ ଜାଣିଲେ,
ଦୁଲଭ ସୁନ୍ଦର ତନୁମାନ ଲଭି ପଶୁରେ ଗଣନା ହେଲେ ।
ସାର ଅସାର ସମାନରେ ରହିଛି ବାଛିଲେ ସିନା ହୋଇବ,
ମନୁଷ୍ୟ ହେଲା ମାତ୍ରକେ କିସ ହେଲା ପୁଣ୍ୟ କଲେ ସିନା ହେବ ।
ପୁଣ୍ୟ ବୋଲିକରି ଯାହାକୁ ବୋଲନ୍ତି ଗୁରୁପାଦ ସେବା ମୂଳ,
ଗୁରୁ ସେବା ବିନୁ ଆଉ ପୁଣ୍ୟମାନ ନୁହନ୍ତି ସେ ସମତୁଲ ।
ଆଉ ଧର୍ମମାନ ଅଳପକେ ହୁଏ ଗୁରୁଧର୍ମ ନୁହେ କରି,
ବଡ଼ିମା ପଣରେ ବଡ଼ ବଡ଼ ହୋଇ ଅନେକ ଗଲେଣି ସରି ।
ସୁଜ୍ଞ ସାଧୁଜନ ଗୁରୁସେବା କର ଅନ୍ୟରେ ନାହିଁ ନା ଫଳ,
ଦୁରିତ ନାଶିବ ଆୟୁଷ ବଢ଼ିବ ବଞ୍ଚିଥିବ କିଛିକାଳ ।
ମୁହିଁ ଗୁରୁସେବା କରି ନ ପାରିଲି ତୁମ୍ଭେ ହେଲେ ସେବା କର,
ତୁମ୍ଭ ସେବା ଦେଖି ପାପନେତ୍ରେ ମୋର ହୋଇବି ହେଲେ ଉଧାର ।
ଦିବସ ରଜନୀ ପଶିଅଛି ମୁହିଁ ଛନ୍ଦ ନଟକୂଟ ବାଦେ,
ଗୁରୁପଦଧ୍ୟାୟି ଭଣେ ଭୀମଭୋଇ ଏକାଦଶଶତ ପଦେ ।