56 . ଷଟପଞ୍ଚାଶତ ବୋଲି
ଷଟ୍-ପଞ୍ଚାଶତ୍ ବୋଲି
ମାୟା ଅନ୍ଧକାର ତିମିର ଭିତରେ ପଡ଼ିଅଛି ଭବ-କୂପେ,
କି ପ୍ରକାରେ ମୋତେ ଉଦ୍ଧାର କରିବ ବୋଲି ଜଣାଉଛି ଦୁଃଖେ ।
ଭୃତ୍ୟର ଗୁହାରି ନ ଶୁଣ କିପାଇଁ ଚିନ୍ତାଜନ ଚିନ୍ତାମଣି,
ଦେଖୁ ଦେଖୁ ମୋତେ ଭସାଇ ନେଉଛି ମାୟାସାଗର ତ୍ରିବେଣୀ ।
ଗୁରୁ ତ ସକଳ ଅନ୍ତରଯାମିନି ଆତଙ୍ଗଫେଡ଼ନ ବାନା,
ଆରତତାରଣ ନାଥ ବୋଲିକରି ହୃଦେ କରୁଛି ଭାବନା ।
ଦୁଃଖୀଜନ ବନ୍ଧୁ ଦୁଃଖୀର ସଙ୍ଖାଳି ଅରକ୍ଷଙ୍କ ଗଣ୍ଠିଧନ,
ଖାଇଲେ ବହିଲେ ନ ସରଇ ପରା ଦରିଦ୍ର-ଜୀବ-ଜୀବନ ।
ତୁମ୍ଭ ନାମ ପରା ଅଲେଖ ମହିମା ଉଦେ ପରା ଯୁଗଶେଷେ,
ଅକାଳ ମରଣ ଅଭୂତ ବିପତ୍ତି ଆସି ରହିଲାଣି ପାଶେ ।
ଯୁଗଶେଷ ମଧ୍ୟେ କାହିଁ ମୁଁ ରହିବି ଦିଅ ମୋତେ ସଦବୁଦ୍ଧି,
ଯହିଁ ଅନାଇଲେ ତହିଁ ପୂରିଅଛି ପାପସାଗର ବାରିଧି ।
ନିଜ ନାମେ ପରା ପାତକ ଯୋଡ଼ଇ ଅନ୍ୟ ନାମେ ନୁହେ କିଛି,
ଜନମ ଲଭିଲେ ପାତକ ଲାଗଇ ତେଣୁ ଭୟ କରୁଅଛି ।
ଏବେ ବଡ଼ ଗୁରୁ ଥାଇ ନବଖଣ୍ଡେ ମୋ ଜନମ ବୃଥା ହେଲା,
ଯେବଣ ମାୟାକୁ ଡରୁଥିଲି ମନେ ସେ ମାୟାରେ ଦିନ ଗଲା ।
ଯହିଁ ପଡ଼ିଥିଲେ ଉଧରିବ ମୋତେ ନିର୍ଦ୍ଦୟା କରିବ ନାହିଁ,
ଭକ୍ତଉଧାରଣ ବାନା ବହିଅଛ ଆସିଅଛ ପରା ଧାଇଁ ।
ଘୋର କଳିଯୁଗେ ଛପନା କୋଟିକି ତାରି ନେବ ପରା ନାମେ,
ଦୟା ବହି ପାପପଙ୍କରୁ ଛଡ଼ାଇ ରଖିବ ପରା ନିଷ୍କାମେ ।
ମୋତେ ସେହିରୂପେ ଜାଳି ପୋଡ଼ି ଏବେ ଧୋଇ ନିର୍ମଳ କରିବ,
ଅନନ୍ତ ପୁରୁଷ ଅନ୍ତର୍ଗତେ ଦୟା ଏ ଜୀବକୁ ରଖିଥିବ ।
ପଞ୍ଚଭୂତେ ମୋତେ କାତର ଲାଗୁଛି ଅମୃକ୍ଷ ହୋଇବି ବୋଲି,
ଏଡ଼େ ବଡ଼ ଗୁରୁ ଆଶ୍ରୟ କରିଛି ବିଅର୍ଥ ହୋଇଣ ମଲି ।
ଏହା ବିଚାର କରୁଅଛି ହୃଦରେ ଦିବସ ରଜନୀ ବସି,
ପାରୁ ନ ପାରୁ ଗୁରୁଦେବ ନାମକୁ ମନେ ମନେ ମୋର ଘୋଷି ।
ଏହା ପରା ଜନ୍ମ ନ ମିଳିବ ଆଉ ଏହି ସଂସାର ସାଗରେ,
ଏଣୁ କରି ମୁହିଁ ଚିନ୍ତା କରୁଅଛି ନ ପାଇବି ଆଉ ଥରେ ।
କେତେ ଜୀବ ଏହିପରି ଯାଉଛନ୍ତି ଇନ୍ଦ୍ର ଚନ୍ଦ୍ର ସମତୁଲେ,
ଅଳପ କଥାରେ ହତ ହେଉଛନ୍ତି ମାୟା ନଟ କୂଟେ ଭୋଳେ ।
ଜୀବ ପ୍ରତିଦିନ ଅଜ୍ଞାନ ଅଟଇ କେଭେଁ ନୁହେ ସଦଜ୍ଞାନ,
ଗୁରୁ ପୟରେ ପିଣ୍ଡହିଁ ସମର୍ପଣ ଅନ୍ୟ ଆଡ଼େ ଥାଇ ମନ ।
ତେଣୁ କରି ଜୀବ ଦୋଚାରୀ ଅଟଇ ନୁହଇ ସତ୍ୟ ଶକତି,
ଲୋଭ ମୋହ କାମ କ୍ରୋଧରେ ପଡ଼ିଛି ଦିବସ ରଜନୀ ମାତି ।
ମାୟା ବିଷୟାଟି ମଦ ହୋଇଅଛି ପିଇଲେ ନ ଜାଣେ କିଛି,
ପରମପତିକି ଥୟରେ ନ ଥୋଇ ଅଜ୍ଞାନପଣରେ ଅଛି ।
ସାଧୁ ସୁଜ୍ଞଜନ ଜୀବ ପରମକୁ ଏକଠାବେ କର ସଙ୍ଗ,
ନିଜ ହେତୁ ପାଇ ଅମର ହୋଇବ ଟଳି ନ ପଡ଼ିବ ଅଙ୍ଗ ।
ମୁହିଁ ସେହି ପଥ ନିତ୍ୟେ ଲୋଡ଼ୁଅଛି ପାଇଯିବ ଅବା ଥୟ,
କହେ ଭୀମ ଭୋଇ ଗୁରୁପାଦ ଧ୍ୟାୟି ଛାଡ଼ିବ ସଂଶୟ ଭୟ ।