62 . ବାଷଠୀ ବୋଲି

ଉଇକିପାଠାଗାର‌ରୁ
ବାଷଠୀ ବୋଲି ଲେଖକ/କବି: ଭୀମ ଭୋଇ
ବାଷଠୀ ବୋଲି

ବାଷଠୀ ବୋଲି

 
ବିନତି ମୋ ଯେତେ ଗୁରୁପାଦ ଗତେ ଗୁହାରି ଶୁଣୁଛ ନାହିଁ,
ବିହି ନିନ୍ଦାଭାର ଛାତିକି ପଥର କେତେ ସହିଥିବି ମୁହିଁ ।
ବଡ଼ିମା ପଣରେ ଅଶ୍ରୁତା ବାଦରେ କରୁ ଅଛନ୍ତି ତରିକା,
ନିନ୍ଦା ପସରାକୁ ମଥାରେ ମୋହର କେତେ କରିଥିବି ବୋଝା ।
ଅପ୍ରମଏ ନିନ୍ଦା ପେଣ୍ଡି ପେଣ୍ଡି ବନ୍ଧା ଦିନୁ ଦିନୁ ମହାଭାରି,
ନିନ୍ଦାକୁ କାନ୍ଧରେ ବହିଥିବି କେତେ ଯାଉଁଳି ମୁଟୁରା କରି ।
ଧର୍ମ ଉଦେ ଦିନୁ ଏ ମାନବ ତନୁ ବହିଗଲା ଏତେ ଦିନ,
ନିନ୍ଦାକୁ ବସ୍ତ୍ର ପ୍ରାଏ କେତେ ପିନ୍ଧିବି କଟିରେ କରି ଭୂଷଣ ।
ହାସ୍ୟ ଭର୍ତ୍ସନା ଗାଳି ଗର୍ବ ଠସାକୁ ଗଳାରେ ପିନ୍ଧିଛି ମାଳ,
ଟାକି ଟାକି ମୁହିଁ ଆଗତକୁ ଚାହିଁ ବହି ଯାଉଅଛି କାଳ ।
ଶ୍ରାବଣ ବରଷା ପ୍ରାଏ ନିନ୍ଦାପଦ ଅଜାଡ଼ି ହେଉଛି ଶିରେ,
ଜଳ ପ୍ରାଏ ହୋଇ ସର୍ବାଙ୍ଗ ଶରୀରେ ବହୁଅଛି ବେନି କରେ ।
ଘଣ୍ଟି ଘାଗୁଡ଼ି ପରାଏ ନିନ୍ଦାମାଳା ଲମ୍ବିଅଛି ଚଉକତି,
ଘନ ଘନ ନିରନ୍ତର ବାଜୁଅଛି ଡକା ଫେରୁଅଛି ପୃଥ୍ୱୀ ।
ଯହିଁ ଇଚ୍ଛା ତହିଁ ପରିହାସ କରି ଭୀମ ଭୋଇ କନ୍ଧ ବୋଲି,
ପାଦଧୂଆ ଜଳ ପିଆଇଲା ବୋଲି ସର୍ବେ ଦେଉଛନ୍ତି ଗାଳି ।
କାହାରି ଧନ ନ ଖାଇ ନ ବୁଡ଼ାଇ ନ ଲାଗି କାହାରି ଋଣ,
ଦିବାନିଶିରେ ଇଙ୍ଗିତ କରୁଛନ୍ତି ଦେଖ ମେଳଛଙ୍କ ଗୁଣ ।
କାହାରି ଶତେ ପୁରୁଷର ସମ୍ପତ୍ତି ଉଡ଼ାଇ ମୁହିଁ ନ ଦେଇ,
ଅକାରଣ ସର୍ବେ ଭୁକି ମରୁଛନ୍ତି ମୋଠାରେ ଶତ୍ରୁତା ହୋଇ ।
କାହାକୁ ହିଂସା କପଟ ନ କରଇ ଅହଙ୍କାର ଛେଦ ଭେଦ,
ରାଜା ପରଜା ସମସ୍ତେ ମୋହଠାରେ ଲାଗି ବସିଛନ୍ତି ବାଦ ।
ଅରିଷ୍ଟି ହେବାକୁ ବିଚାରୁ ଅଛନ୍ତି ବୁଡ଼ାଇ ଦେବାକୁ ମନ,
କାହାରି ହୃଦେ ଭଲ ବିଚାର ନାହିଁ ସମସ୍ତେ ଖଚୁଆ ଜନ ।
କାହାର ପୁତ୍ର ଦୋହିତା ମୁଁ ନ ଆଣି ଚୋରି କରି ଭ୍ରାତ ବିତ୍ତ,
କରିବାର ବୁଦ୍ଧି ଶିକ୍ଷା ମୁଁ ନ ଦେଇ ମୁଖରେ କହଇ ସତ ।
ମିଥ୍ୟା ବଚନକୁ କହିବି ବୋଲନ୍ତେ ପ୍ରାଣରେ ମାଡ଼ଇ ଭୟ,
ମିଛରୁ ପାତକ ତ୍ରିଭୁବନେ ଲୋଡ଼ ଅଧିକ ନାହିଁ ନା ଦ୍ରୋହ ।
କାହାରି ଖଚ ମିଛରେ ମୁଁ ନ ଥାଇ ଲୋଭୀ ନ ବାରି ବିଚାରେ,
ବିଅର୍ଥରେ ମୋତେ ନିନ୍ଦା କରୁଛନ୍ତି ଏ କଳିଯୁଗର ନରେ ।
କାହାରିଠାରୁ ଠକି ଭଣ୍ଡି ଖାଇବା ବିଚାର ହୃଦେ ନ ପଶେ,
ଛପନାକୋଟିଏ ଯେତେ ଜୀବ ଛନ୍ତି ମୋର ଆତ୍ମା ପ୍ରାୟେ ଦିଶେ ।
କାହାରି ଛେଦ ଭେଦରେ ମୁଁ ନ ଥାଇ ନୁହଇ ଶତ୍ରୁକଳଙ୍କ,
ଫିସାଦିରେ ମତେ ମନ୍ଦ ପାଞ୍ଚୁଛନ୍ତି ସହି ନ ପାରିଣ ଲୋକ ।
ପରକୁ ମନ୍ଦ ମନାସୁଥିଲେ ପ୍ରାଣୀ ପଳାଇ ଯାଇ ପାଖରୁ,
ରମ୍ଭାତରୁ ପ୍ରାଏ କମ୍ପୁଥାଇ କାଏ ପଞ୍ଚଭୂତ ହୃଦୟରୁ ।
କାହାରିଠାରେ ମୁଁ ଅସତ୍ୟ ବଚନ କଦାଚିତେ କହଇ,
ଅସତ୍ୟ ବଚନ କହି ଏ ସଂସାରେ କେତେ କାଳ ଥିବି ରହି ।
ସୁବିଚାର ବିନୁ କପଟ ବିଚାର ଅନ୍ତର୍ଗତେ ଥିବି ରଖି,
ଭଣେ ଭୀମ ଭୋଇ ଗୁରୁ ପାଦେ ଧ୍ୟାୟି ଗୁରୁଦେବ ଛନ୍ତି ସାକ୍ଷୀ ।