71 .ଏକସ୍ତରି ବୋଲି
ଏକସ୍ତରି ବୋଲି
ଜୟ ଜୟ ପ୍ରଭୁ ଅଲେଖ ପୁରୁଷ ଅନାଦି ଈଶ୍ୱର ହରି,
ଦୂରିତନାଶନ ବାନା ବହିଅଛ ଦୁର୍ଗତି ଖଣ୍ଡ ମୋହରି ।
ଅନନ୍ତ ପୁରୁଷ ଅନ୍ତର୍ଯ୍ୟାମୀ ନାଥ ଅନ୍ତର୍ଗତ ଦୁଃଖ ଜାଣ,
କରପତ୍ର ଶିରେ ଯୋଡ଼ି ଜଣାଉଛି ଏ ମୋର ବିନତି ଘେନ ।
ଶତଜନ୍ମଠାରୁ କର୍ମ ଅକର୍ମରୁ କରିଅଛି ଯେତେ ପାପ,
ଅନ୍ତର ବାହାରୁ ସର୍ବାଙ୍ଗ ଶରୀରୁ ନିବାର ହେଉ କଳଙ୍କ ।
ଜାଣିବା ନ ଜାଣିବାର ଯେତେ ପାପ ଘୋଡ଼ାଅ ହେ ସଦଗୁରୁ,
ତାଳୁ ପଦ ଅନ୍ତ ହୃଦୟ ନିର୍ମଳ କର ସର୍ବାଙ୍ଗ ଶରୀରୁ ।
ଅଗ୍ନି ଅଙ୍ଗୀକାର ଗୁରୁ ବ୍ରହ୍ମ ଅଟ ବ୍ରହ୍ମରେ ପୋଡ଼ାଅ ରୋଗ,
ଏହି ଶରୀରୁ ନିର୍ମଳ ହୋଇ ଯାଉ ଯେତେ ଦିନ ଥିଲା ଯୋଗ ।
ଏତେବେଳେ ରୋଗ ଭୋଗକୁ ନିବାର ରୋମ ଚର୍ମରୁ ପଳାଉ,
ଏହି ଶରୀରେ ଏତିକି ହୋଇଥାଉ ଅନ୍ୟ ଅଙ୍ଗେ ଯାଇଁ ରହୁ ।
ଅନନ୍ତ ମଣ୍ଡଳେ ରହିବାକୁ ତୋତେ ଗୁରୁଙ୍କ ହୁକୁମ ନାହିଁ,
ଭିତରୁ ବାହାର ହୋଇ ଦୁଃଖ ରୋଗ ଯାଉ ଯହିଁ ଇଚ୍ଛା ତହିଁ ।
ବେନି କର୍ଣ୍ଣେ ମୁହିଁ ଯାହା ଶୁଣିଅଛି ଦୋଷ ପାପ କଥା ଯେତେ,
ହିଂସା କପଟ କୁଟିଳ ବାଦ ଛନ୍ଦ ଅସତ୍ୟ ମିଥ୍ୟା ସହିତେ ।
ରାଗ ଅହଂକାର କାମ କ୍ରୋଧ ଲୋଭ ଖଚ ମାୟା ଆଦି କରି,
ବେନି କର୍ଣ୍ଣେ ମୋର ପୂରି ରହିଅଛି ସବୁ ପକାଅ ନିବାରି ।
ଜଳର ପଙ୍କ ପ୍ରାଏ ପାପ ବକଳ ସର୍ବାଙ୍ଗରେ ଅଛି ଘୋଟି,
ଶୂନ୍ୟ ପୁରୁଷ ବିଚାରି ଦୟା କର ସବୁଯାକ ପଡ଼ୁ ଫିଟି ।
ଗୁରୁ ଆଜ୍ଞାରେ ନିର୍ମଳ ହୋଇଯାଉ ଶ୍ରବଣେ ନ ରଖି କିଛି,
ଜନମ ଦିନରୁ ମିଥ୍ୟା ପାପ କଥା ଯାହା ଯାହା ଶୁଣିଅଛି ।
ବେନି ନେତ୍ରେ ମୋର ଯେତେ ପାପ ଅଛି ଖଣ୍ଡନ କର ଶ୍ରୀଗୁରୁ,
ମୋହର ଅବସ୍ଥା ଦେଖି ବ୍ରହ୍ମଗୁରୁ ଦୟା ହେଉ ଶ୍ରୀଛାମୁରୁ ।
ରୂପ ଗୁଣ ବର୍ଣ୍ଣ ଜାନୁ ଯଉବନ ନେତ୍ରେ ଯାହା ଅଛି ଦେଖି,
ଶୋଭା ସୁନ୍ଦର ସୁରଙ୍ଗ ଦ୍ରବ୍ୟମାନ ଯାହା ଦେଖିଅଛି ଆଖି ।
ବେଶ ଭୂଷଣ ବୟସ ଦ୍ରବ୍ୟମାନ ଭଲ ମନ୍ଦ ଆଦି ଯେତେ,
କଳା ଗୋରା ରଙ୍ଗ ପିଙ୍ଗଳ ଶ୍ୟାମଳ ଦେଖିଅଛି ନେତ୍ରପଥେ ।
ଏ ପାତକମାନ ନେତ୍ରେ ଘୋଟିଅଛି କୁହୁଡ଼ି ଜାଲ ପରାଏ,
ବ୍ରହ୍ମଧୁନିରେ ଝସାଇ କ୍ଷମାକର ଅଣାକାର ବ୍ରହ୍ମମଏ ।
ଜନମକାଳରୁ ଦେଖିଅଛି ରୂପ ତହିଁର ଯେତେ ପାତକ,
କୁହୁଡ଼ି-ଜାଲ-ବକଳକୁ ଫିଟାଅ ଅଣାକାର ଅନର୍ଯାପ ।
ପ୍ରାନ୍ତରୁ ଯେସନ ଶିଶିର କୁହୁଡ଼ି ଆକାଶରେ ଥାଇ ଘୋଟି,
ଅରୁଣ ତରାସ ପଡ଼ିଲେ ସେ ଯେହ୍ନେ ଚଉଦିଗେ ଯାଏ ଫାଟି ।
ସେହିପରି ମୋର ବେନି ନେତ୍ରେ ପାପ କୁହୁଡ଼ି ପ୍ରାଏ ଘୋଟିଛି,
ଏକ ରୂପ ଏକ ପାଦ ମହାବ୍ରହ୍ମ କୃପା ହସ୍ତେ ଦିଅ ପୋଛି ।
ଗୁରୁଙ୍କର ହସ୍ତ ପଡ଼ୁଅଛି ଯହିଁ ଜଡ଼ା କହୁଅଛି ବେଦ,
ଏ ଛାର ବିଷୟ ଗୁରୁ ଶ୍ରୀଛାମୁକୁ କେତେ ଅବା ପରମାଦ ।
ରବିତଳେ ଥାଇ ଶ୍ରୀଗୁରୁଙ୍କୁ ଧ୍ୟାୟି ମାନବ ତନୁକୁ ଧରି,
କହେ ଭୀମ ଭୋଇ ଗୁରୁପାଦ ଧ୍ୟାୟି ଦିବା ନିଶି ଅନୁସରି ।