75 . ପଞ୍ଚସ୍ତରି ବୋଲି
ପଞ୍ଚସ୍ତରି ବୋଲି
ଅରୁଣ ତରାସ ପଡ଼ିଲେ ଯେସନେ ଅନ୍ଧକାର ଯାଏ ଫାଟି,
ସେହିପରି ପ୍ରଭୁ ଜ୍ଞାନଖଡ଼ଗରେ ପାତକ ପକାଅ କାଟି ।
ନିଶିରେ ଚନ୍ଦ୍ରମା ହୋଇଲେ ଯେସନ ରଜନୀ କରେ ଆଲୁଅ,
ସେହି ପରକାର ପାପଭାରା ମୋର ନିବାରଣ କରି ନିଅ ।
ସର୍ପଘାତ ହେଲେ ଗୁଣିକ ଯେସନ ବିଷରେ ପକାନ୍ତି ପଦ,
ଅଙ୍ଗରେ ମୋର ପାପଲତା ଛାଟିଛି ଗୁରୁବାକ୍ୟେ ପାଉ ହଦ ।
ସନ୍ନିପାତ ଘୋଟିଥିଲେ ବୈଦ୍ୟମାନେ ମେଲାନ୍ତି ବିଷାନ ବଡ଼ି,
ମଳୁଅଙ୍ଗରେ ସମୁଦ୍ର ପ୍ରାଏ ଜଳ ଶୁଖଇ ତା ତେଜ ପଡ଼ି ।
ସେହିପରି ମୋର ଅଙ୍ଗରୁ ନିବାର ପାପ ଦୁଃଖସାଗରକୁ,
ଜ୍ଞାନ ମଉଷଧି ଦେଇ ଭଲ କର ନଥାଉ କାଳ କାଳକୁ ।
ରଜକ ଯେସନେ ମଳିଆ ବସନ ଉଜ୍ଜ୍ୱଳ କରଇ ତୁଠେ,
ସେରୂପେ ମୋତେ ଉଜ୍ଜ୍ୱଳକର ପ୍ରଭୁ ଯେଉଁ ପାପ ଅଛି ଘଟେ ।
ସୁବର୍ଣ୍ଣ ଯେସନେ ଅନଳେ ଦହିଲେ ରୂପ ତା ଦିଶଇ ଝଳି,
ତେସନ ମୋତେ ବ୍ରହ୍ମ ଅନଳେ ଜାଳ ଛାଡ଼ିଯାଉ ପାପ ମଳି ।
ମନୁଷ୍ୟ ଯେସନ ଜଳରେ ପଶିଲେ ସ୍ନାନ କଲେ ଶୁଦ୍ଧ ହୋଇ
ପଙ୍କ ଧୂଳି ମଳି ଅଙ୍ଗେ ଲାଗିଥିଲେ ତତକ୍ଷଣେ ଛାଡ଼ିଯାଇ ।
ସେହିରୂପେ ମୋର ଅଙ୍ଗେ ଲାଗିଅଛି ପାପପଙ୍କ ମଳି ଦେଖ,
ଶୂନ୍ୟ ପୁରୁଷ ଏ ଶରୀରୁ ଓହ୍ଲାଇ କୋଠ ଭଣ୍ଡାରରେ ରଖ ।
ଆକାଶେ ଯେସନେ ଘନ ଘୋଟିଥାଇ ଦିଶେ ଅନ୍ଧାର କୁହୁଡ଼ି,
ଜଳ ବୃଷ୍ଟି ହେଲେ କାମରୂପୀ ଭାଜେ ବାତଘାତେ ଯାଏ ଉଡ଼ି ।
ପାପ ମିଛ କଥା ଘୋଟିଅଛି ଅଙ୍ଗେ ସର୍ବାଙ୍ଗେ ଅନ୍ଧାର ହୋଇ,
ଶୂନ୍ୟ ପୁରୁଷ ଉଜ୍ୱଳ କର ମୋତେ ଅମୃତ ଲୋଚନେ ଚାହିଁ ।
କଲିକତରା କୀଟପହଦପଙ୍କେ ଭିତରେ ଯେ ଥାଇ ପଡ଼ି,
ବାହାର ହୋଇଲେ କିଛି ନ ଲାଗଇ ତା ଦେହୁଁ ପଡ଼ଇ ଛାଡ଼ି ।
ସେହିପରି ମୁହିଁ ପାପ ହଦପଙ୍କେ ଭିତରରେ ଅଛି ପଶି,
ଅନ୍ତର୍ଯ୍ୟାମୀ ଗୁରୁ ପାରିକର ମୋତେ ପଦ୍ମ କରରେ ଆଉଁସି ।
ବେଶକାରୀମାନେ ଅଷ୍ଟଅଳଙ୍କାର ନୃତ୍ୟକାଳେ ହୋନ୍ତି ଖଞ୍ଜି,
ନାଟ ସରିଗଲେ ଆପଣା ଦେହରୁ ପଛନ୍ତେ ପକାନ୍ତି ଭାଞ୍ଜି ।
ସେହି ପରକାରେ ପାପ ଅଳଙ୍କାର ମୋ ଦେହେ ହୋଇଛି ମଣ୍ଡି,
ଫେଡ଼ିଣ କଷଣ ପାପ ଅଳଙ୍କାର ଦେହରୁ ପକାଅ ଖଣ୍ଡି ।
ଶୀତକାଳେ ଯେହ୍ନେ ପ୍ରାଣୀଙ୍କ ଅଙ୍ଗରେ ନ ପାରଇ ଶୀତ ରହି,
ହୁତାଶନ ହୋଇ ଉଠିଲେ ବହନ ତକ୍ଷଣେ ଯାଏ ପଳାଇ ।
ସେହିପରି ମୋର ଅଙ୍ଗେ ପାପଶୀତ କରୁଅଛି ପରମାଦ,
ବ୍ରହ୍ମ ଅନଳ ମୂରତି ହୋଇ ଗୁରୁ ଶ୍ରୀହସ୍ତେ ଦୁରିତ ଛେଦ ।
କୌଣସି ପ୍ରକାରେ ପାରି କର ମୋତେ କାଳ ବିକାଳ ମୁଖରୁ,
ଶ୍ରୀହସ୍ତ ବଢ଼ାଇ ଛାଣି ନିଅ ମୋତେ ଚିର ଦୁଃଖପାତକରୁ ।
କ୍ଷୀରସିନ୍ଧୁ ବାସୀ କ୍ଷୀର ପ୍ରାଏ ଦେହ ନିସ୍ତାରି ଉଜ୍ଜ୍ୱଳ କର,
ଗୋଟି ଗୋଟି କରି କେତେ ବଖାଣିବି ଅଶେଷ ପାପୁ ଉଧର ।
ମନର କଳ୍ପଣା ଜାଣୁଥିବ ଗୁରୁ ଯାହା ଜଣାଇଛି ଆଦ୍ୟେ,
ଭଣେ ଭୀମ ଭୋଇ ଗୁରୁ ପାଦ ଧ୍ୟାୟି ପଞ୍ଚଦଶଶତ ପଦେ ।