80 . ଅଶୀ ବୋଲି

ଉଇକିପାଠାଗାର‌ରୁ
ଅଶୀ ବୋଲି ଲେଖକ/କବି: ଭୀମ ଭୋଇ
ଅଶୀ ବୋଲି

ଅଶୀ ବୋଲି

 
ଉଡ଼ା ବୁଡ଼ା ଚଳ ଅଚଳ ସହିତେ ଅନାମରୁ ଜନ୍ମ ହେଲେ,
ଜଳ ସ୍ଥଳାନଳ ଆକାଶରେ ପୂରି ଚାରିଖାନି ବୋଲାଇଲେ ।
ଶାନ୍ତି ଶୀଳ ଦୟା କ୍ଷମା ଏହି ଚାରି ଅନାମରୁ ହେଲେ ଜାତ,
ଚାରି ଧର୍ମ ବୋଲାଇଲେ ଚଉଦିଗେ ପୂରି ରହିଲେ ଜଗତ ।
ଦୁଗ୍ଧ ମଧୁର କଷା ପିତା ଆମ୍ବିଳ ଅନାମରୁ ଜନ୍ମ ହୋଇ,
ସର୍ବ ବ୍ୟାପିତ ହୋଇ ଅଣ୍ଟି ରହିଲେ ସ୍ୱଭାବମାନଙ୍କୁ ବହି ।
ଅନାମରୁ କ୍ଷୀର ନୀର ଜନ୍ମ ହେଲା ତହୁଁ ଉପୁଜିଲା ମଞ୍ଜି,
ଧାନ୍ୟଫଳ ବୋଲି ନାମ ବୋଲାଇଲା ଆଧାରକୁ ଦେଲେ ଖଞ୍ଜି ।
ଅଷ୍ଟରତ୍ନ ଧାତୁ ଜନମ ହୋଇଲା ଅନାମ ଭିତରୁ ଦେଖ,
ସୁନା ରୂପା ହୀରା ନୀଳା ବୋଲାଇଲା ମଣ୍ଡନ ହୋଇଲେ ଲୋକ ।
ରସ ବାସ ଗନ୍ଧ କସ୍ତୁରୀ କର୍ପୂର ଅନାମୁ ହୋଇଛି ସବୁ,
ଦେଖ ସୁଜ୍ଞ ସାଧୁ କେମନ୍ତ ମହିମା ଭିଆଇ ଅଛନ୍ତି ପ୍ରଭୁ ।
ଝୀନ ବସ୍ତ୍ର ପାଟ ପତନୀ ସହିତେ ଅନାମରୁ ହେଲେ ସର୍ବେ,
ପିଣ୍ଡ ବ୍ରହ୍ମାଣ୍ଡ ଯେତେବେଳେ ନ ଥିଲା ଏ ଆଦି ନ ଥିଲେ ପୂର୍ବେ ।
ଅଶେଷ ରଞ୍ଚନା ଗୁରୁ କରିଛନ୍ତି ଆଉ ଜଣେ କେ ନ ରଞ୍ଚି,
ଅନେକ ପଦାର୍ଥ ବ୍ରହ୍ମାଣ୍ଡ ଭିତରେ ଭିଆଇଣ ଦେଲେ ସଞ୍ଚି ।
ହାକିମ ହୁକୁମ ଏ ରଜା ପରଜା ସର୍ବ କରିଛନ୍ତି ଗୁରୁ,
ତେଜ ରଜ ଧନ ଦ୍ରବ୍ୟ ବାଡ଼ି ବୃତ୍ତି ଜାତ କରି ଅନାମରୁ ।
ଛପ୍ନାକୋଟିକି ଛପ୍ନାକୋଟି ପ୍ରକୃତି ବସାଇଲେ ଏକେ, ଏକେ,
ସମସ୍ତେ ଏକ ଭାବ ହୋଇ ରହିଲେ କେ ନ ପାଇବାକୁ ଠିକେ ।
ମନ ପଞ୍ଚୁଭୂତି ହୃଦରେ ରହିଲା ବାଣ୍ଟିଲା ଅଶେଷ କଥା,
ତହିଁରେ ପାଖକୁ ସାହାପକ୍ଷ ଦେଲେ ପଚିଶ ପ୍ରକୃତି ଲତା ।
ହାକିମ ହୁକୁମ ଯେତେ ଏ ଅଛନ୍ତି କାହାରି ନୁହଇ କିଛି,
ମୋହ ମୋହ ବୋଲି ଅଜ୍ଞାନ ମତରେ ହେଉଛନ୍ତି ଟାଣି ଘିଞ୍ଚି ।
ମରିଗଲେ କେହି କିଛି ନ ନେବାକୁ ଅରଜି ଅଛନ୍ତି ଯେତେ,
ତେତେବେଳେ ଆଉ କେହି ନ ଗଛନ୍ତି ଯାଉଛନ୍ତି ତୁଚ୍ଛା ହସ୍ତେ ।
ଆସୁଅଛି ଏକା ଯାଉଅଛି ଏକା କେହି ନୁହନ୍ତି କାହାର,
ବାମ ଡାହାଣରେ କେହି ନ ଲମ୍ବନ୍ତି ଘଟୁ ହୋଇଲେ ବାହାର ।
ସାଧୁ ସୁଜ୍ଞଜନେ ଏହିପରି ପନ୍ଥା ସଂସାର ସାଗର ଅଟେ,
ଘଟ ଥିବାଯାଏ ତ୍ରିଗୁଣର ମାୟା ଜୀବ ବନ୍ଧନ ନ ତୁଟେ ।
ଏଥିକି ଚାହିଁ ବିଚାର ସୁଜ୍ଞଜନେ ଦେଖ ତ ମାୟାର ରୀତି,
ସକଳ ମାୟା ତ୍ରିଗୁଣରେ ବନ୍ଧନ ଘଟଣା ହୋଇଛି ପୃଥ୍ୱୀ ।
ସାର ଅସାର ସମାନରେ କରିଛି କାହାକୁ ତେଜିବି ଦେଖ,
ସଦବୁଦ୍ଧି ଜ୍ଞାନ ହୃଦରେ ବିଚାରି ମନରେ କର ବିବେକ ।
ଯୋଗ ଭୋଗ ଦୁହେଁ ସମାନ ଅଟନ୍ତି କାହାର ପକ୍ଷରେ ଯିବ,
ବିଷ ଅମୃତ ବେନି ଭାଗ କରିଛି କେବଣ ଭାଗକୁ ନେବ ।
ସାଧୁ ସୁଜ୍ଞଜନ ନ୍ୟାୟ କର ତୁମ୍ଭେ ବେଦ ପକ୍ଷକୁ ବିଚାରି,
ବେନି ଭାଗ ଯାକ ଏକ ଠାବେ ଅଛି ଯାହା ଗୁଣ ଯେଉଁପରି ।
ବେନି ଭାଗ ଗୁଣ ତୋଳି ନ ପାରିଣ ପଡ଼ିଅଛି ସନ୍ଧି ମଧ୍ୟେ,
ଧରି ଗୁରୁପାଦ ଭଣେ ଭୀମ କନ୍ଧ ଷୋଡ଼ଦଶଶତ ପଦେ ।