Jump to content

85 . ପଞ୍ଚାଶୀ ବୋଲି

ଉଇକିପାଠାଗାର‌ରୁ
ପଞ୍ଚାଶୀ ବୋଲି ଲେଖକ/କବି: ଭୀମ ଭୋଇ
ପଞ୍ଚାଶୀ ବୋଲି

ପଞ୍ଚାଶୀ ବୋଲି

 
ଗୃହଧର୍ମ ମାର୍ଗେ ଭଜି ଯେ ପାଇବ କାହିଁ ବା ତହିଁର ବାଟ,
ବିହିତ ଧର୍ମେ ଥାଇ ଭଜି ପାରିଲେ ଅଛି ମୁକତି ନିକଟ ।
ଆପଣା ପିଣ୍ଡ ପ୍ରାଣଦାନ କରିବ ସଦଗୁରୁଙ୍କର ପାଦେ,
ଦାରା ସୁତ ବିତ୍ତ ସକଳ ସମର୍ପି ରହିବ ମନ ଆନନ୍ଦେ ।
ଆପଣା ଭାଇ ଭଗ୍ନୀ ଜ୍ଞାତି ବାନ୍ଧବ ସକଳ ସମର୍ପି ଦେଇ,
ପାଇଲ ବୋଲି ସତ୍ୟ ସତ୍ୟ କହିବ ମନରେ ଆନନ୍ଦ ହୋଇ ।
ଆପଣା ବୃତ୍ତି ଦୁଃଖ ସୁଖ ଫନ୍ଦାକୁ ଗୁରୁ ଶ୍ରୀଚରଣେ ଦେବ,
ଘର ଦ୍ୱାର ଆଦି ସକଳ ସମର୍ପି ଦାସପଣେ ଯୋଗାଇବ ।
ଦାସ ଦାସୀ ହୋଇ ସଦଗୁରୁଠାରେ ଦାନା ପାଣି ଅନୁସରି,
ସଦା ସର୍ବଦା ସମର୍ପି ହେଉଥିବ ତ୍ରାହି ତ୍ରାହି ବୋଲି କରି ।
ଭାତ ବିତ୍ତ ଚିତ୍ତ ବୃତ୍ତି ଆଦିକରି ଚିନ୍ତା ଅର୍ଥ ଲାଭ ହାନି,
ଆପଣା ହୃଦରୁ କଳ୍ପଣା ଛଡ଼ାଇ ନିଷ୍ମାମ ହୋଇବ ପୁଣି ।
ଯେଉଁ ବୃତ୍ତି କଲେ ଗୁରୁ ସୁମରିବ ପାଦତଳେ ଭାରା ଦେଇ,
ଏ ବୃତ୍ତିର ଯାହା ହାନି ଲାଭ ହେବ ସକଳ ବୁଝିବୁ ତୁହି ।
ଗୁରୁ ସୁମରି ରତିସୁଖ କରିବ ଭାରିଯାକୁ କୋଳେ ଘେନି,
ତେତେବେଳରେ ବିରୁଦ୍ଧ ନ କରିବ ଜପୁଥିବ ନାମଧୂନି ।
ତିରିଶ ଦିନେ ସ୍ତିରୀ ସଙ୍ଗ କରିବ ବେଳା ୠତୁ ମତ ଧରି,
ଶୁଭାଶୁଭେ ପଦ୍ମେ ବୀଜ ଦାନ ଦେବ ଅମୃତ ଯୋଗ ସୁମରି ।
ଋତୁ ମତରେ କିଛିହିଁ ଦୋଷ ନାହିଁ ଗୃହଧର୍ମ ବେଲାଇଲା,
ଗୃହ କରିବାର ଉଚିତ ପ୍ରମାଣ ବିହିତ କର୍ମକୁ ଗଲା ।
ପ୍ରାତରୁ ଗୋମୟ ଶରୀରେ ଲଗାଇ ଜଳେ କରିବ ସ୍ନାହାନ,
ନିଶିରେ ରଜବୀର୍ଯ୍ୟ ବାଧା ଯେତେକ କଟିବ ସେ ଦୋଷମାନ ।
ସପତ ଧାତୁକୁ ସାତ ବୁଡ଼ ମାରି ମୁଖେ ନାମକୁ ଜପିବ,
ସାଷ୍ଟାଙ୍ଗେ ଦର୍ଶନ ଶତବାର କରି ଗୁରୁପାଦ ସୁମରିବ ।
ଭାଇ ଭଗ୍ନୀ ପ୍ରାଏ ଦିନ ନେଉଥିବ ୠତୁମତେ ପତ୍ନୀ ପତି,
ସାଧୁସେବା କରି ଦିନ ବଞ୍ଚୁଥିବ ବୋଲାଇବ ଯତି ସତୀ ।
କି ଅବା ବ୍ରାହ୍ମଣ କି ଅବା ଚାଣ୍ଡାଳ ଭେଦ ନ କରିବ ଚିତ୍ତେ,
ଜାତି ଗୋତ୍ର ହିଁ ନ ପଚାରିବ କିଛି ହାନି ଲାଭ ତାର ଯେତେ ।
କିଛି ତାହାର ମନରେ ନ ଧରିବ ଉଚ୍ଚ ନୀଚ ବୋଲିକରି,
ଗୃହଧର୍ମ ବିଧି ଏମନ୍ତ ପ୍ରକାର ସତ୍ୟଧର୍ମେ ଯାନ୍ତି ତରି ।
ସାଧୁସେବା ବିନୁ ହୃଦରେ ତାହାର ଅନ୍ୟ ନ ଜାଣଇ କିଛି,
ତେବେ ସିନା ଗୃହଭକ୍ତି ବୋଲାଇବ ଶାହସ୍ରରେ ଲେଖାଅଛି ।
କାଞ୍ଜି ଭାଜି ବାସି ତାତିଲା ସହିତେ ଯାହାଥିବ ତାର ଘରେ,
ହସ୍ତେ ଘେନି ତାହା ପ୍ରବେଶ ହୋଇବ ସାଧୁମାନଙ୍କ ଛାମୁରେ ।
ସାଧୁଙ୍କୁ ସନ୍ତୋଷେ ଭୋଜନ କରାଇ କରପତ୍ର ଶିରେ ଦେଇ,
ଗୁରୁଙ୍କ ଭଣ୍ଡାରେ ଯାହା ଅଛି ପାଅ ମୋହର ଅର୍ଜିଲା ନାହିଁ ।
ପତିତ ଜୀବ ମୁଁ କାହିଁରୁ ପାଇବି ମୋହର ଶକତି ନାହିଁ,
ଗୁରୁ ସିନା ଖଞ୍ଜୁଛନ୍ତି ପଡ଼ିଭାତ ମୁଁ ଛାର ପାଇବି କାହିଁ ।
ସାଧୁପାଦେ ସେବା ଲାଗିଥିବ ଯେବେ ସଂଶୟ ନ ଥିବ ହୃଦେ,
ଭଣେ ଭୀମ କନ୍ଧ ମନରେ ଆନନ୍ଦ ସପ୍ତଦଶ ଶତ ପଦେ ।