97 . ସତାନବେ ବୋଲି

ଉଇକିପାଠାଗାର‌ରୁ
ସତାନବେ ବୋଲି ଲେଖକ/କବି: ଭୀମ ଭୋଇ
ସତାନବେ ବୋଲି

ସତାନବେ ବୋଲି

 
ଆହୁରି କଥାଏ ବିନତି କରୁଛି ଶ୍ରୀଛାମୁରେ ଏତେବେଳେ,
ଏ ଧର୍ମରେ ଆଉ ଅସତ୍ୟ ନ ପଶୁ ଶୁଦ୍ଧ ହୋନ୍ତୁ ନାମ ଜଳେ ।
ଏଡ଼େ ବଡ଼ ସତ୍ୟ ଧର୍ମ ନାମ ବ୍ରହ୍ମ ଭଜି ହେଉଛି ବିଅର୍ଥ,
କ୍ଷୀରସିନ୍ଧୁ ବାସୀ ଦୀକ୍ଷା ଦେଉଁ ଦେଉଁ ପଶି ଯାଉଛି ଅସତ୍ୟ ।
କ୍ଷୀରସିନ୍ଧୁ ବାସୀ ଗୁରୁରୂପ ହୋଇ ଦିଅନ୍ତେ ନ ରହୁ ଦୀକ୍ଷା,
ସେ ପ୍ରଭୁଙ୍କ ବାକ୍ୟ ଉଠି ଯାଉଅଛି ଶୁଣି ହେଉଛି ତାଟକା ।
ମନୁଷ୍ୟ ଗୁରୁରେ କି କାର୍ଯ୍ୟ ହୁଅନ୍ତା କି ରହନ୍ତା ଦୀକ୍ଷା ତାର,
ବ୍ରହ୍ମକୁ ସେବି ସେ ଧର୍ମ ପ୍ରକାଶିଲେ କେହୁ ମାନନ୍ତା ସଂସାର ।
କି ଅବା ସ୍ତିରୀ ସେ କି ଅବା ପୁରୁଷ ସମସ୍ତେ ଭାଷନ୍ତୁ ସତ୍ୟ,
ଅନ୍ତର୍ଗତରୁ ସଂଶୟ ଛେଦ କରି ଧରନ୍ତୁ ନିଷ୍କାମ ମତ ।
ଏଡ଼େ ବା ଧର୍ମେ ଅସତ୍ୟ ପଶୁଛି ଯାଉଛି ବିଅର୍ଥ ହୋଇ ।
ସମସ୍ତେ ମିଥ୍ୟାରେ ଡ଼ୁବି ଯାଉଛନ୍ତି ଦୟାକର ଶୂନ୍ୟଦେହୀ ।
ତ୍ରିପୁର ଅସତ୍ୟ ହୋଇବାରୁ ପ୍ରଭୁ ପ୍ରକାଶିଲ ଗୁରୁଧର୍ମ,
ଛଡ଼ାକ୍ଷର ମନ୍ତ୍ର ବ୍ରହ୍ମାଣ୍ଡକୁ ଦେଲ ଅଲେଖ ମହିମା ନାମ ।
ନାମ ବୋଲି ସିନା ଜାଣୁଛନ୍ତି ସର୍ବେ ମନ୍ତ୍ର ବୋଲି ଜଣା ନାହିଁ,
ଶୁଦ୍ର ଚାଣ୍ଡାଳ ସବୁକୁ ଯୋଗାଉଛି ମୁଖେ ଅଛ ଆଜ୍ଞା ଦେଇ ।
ଯେହୁ ଇଚ୍ଛା ସେହୁ ଉଚ୍ଚାରୁ ଅଛନ୍ତି ତେବେ ସିନା ନାହିଁ ଦୋଷ,
ଛଡ଼ାକ୍ଷର ମନ୍ତ୍ରର ଜୀବ ଗୋଟିକି କେ ପାଇବ ଅନ୍ତ ଲେଶ ।
ଏ କଳିଯୁଗରେ କାମ ଆଶ୍ରେ କରି ଭଜ ଭଜ ସର୍ବଜନ,
ନାମ ବୋଲି କରି ଭଜିବ ଯେମନ୍ତେ ଥୋକେ ରହିବ ବିହନ ।
ଏମନ୍ତେ ବିଚାରି ସେ ଶୂନ୍ୟ ପୁରୁଷ କରିଛନ୍ତି ପରକାଶ,
କାହାରି ହୃଦରେ ଅସତ୍ୟ ପଶୁ ଯେ ପ୍ରଭୁଙ୍କ ଦାସୀ ଦାସ ।
ଅସତ୍ୟ ହୋଇଲେ ଅକାରଣ ହେଲା ଏଡ଼େ ଗୁରୁ ସେବା କରି,
ତା ପରି ପାତକୀ ନାହିଁ କି ତ୍ରିପୁରେ ଜୀବ ଥାଉଁ ଗଲା ମରି ।
ଧର୍ମହିଁ ବିଅର୍ଥ କର୍ମହିଁ ବିଅର୍ଥ ସେବାହିଁ ବିଅର୍ଥ ତାର,
ଶତେ ଜନ୍ମ ତାର ହଦ ହୋଇଗଲା ନ ମିଳଇ ପ୍ରତିକାର ।
ମିଥ୍ୟା ବଚନରୁ ପାତକ ସରିଛି ବଡ଼ ହୋଇ ଦୋଷ ନାହିଁ,
ଦେବ ମାନବରେ ଅଗାଡ଼ି ଅଟଇ ନ ଯୋଗାଏ ମୁଖ ଚାହିଁ ।
ତେଣୁକରି ମୁହିଁ ବିଚାର କରୁଛି କିପରି ତରିବେ ବୋଲି,
ସଦଗୁରୁଙ୍କୁ ମୁଁ ଜଣାଣ କରୁଛି ରଖ ସତ୍ୟାଦିରେ ପାଳି ।
ଉଦେ ଯେବେ କରିଅଛ ମୋକ୍ଷପଥ ନ କର ଏହାକୁ ହେଳା,
କଳିଯୁଗେ ଲୋକ କିଛି ନ ଜାଣନ୍ତି ବିଳମ୍ବ ହୋଇଲେ ଗଲା ।
ଅସତ୍ୟ ପଥରୁ ଉଧାରଣ କର ରହୁ ଶ୍ରୀଗୁରୁଙ୍କ ଯଶ,
ଗୁରୁ ତ ସକଳ ଜାଣିବାର ଅଟ ଅଧିକ କହିବି କିସ ।
ଜନ ପ୍ରାଣୀ ହୁଦେ ହେତୁ ଚେତା ବସୁ ସମ୍ଭାଳି ଧରା ଅସତ୍ୟ,
ଧର୍ମ ଉଦେ ହୋଇ ଡ଼ୁବିଯିବ ଯେବେ କାହାକୁ ହେବ ନିନ୍ଦିତ ।
ସମ୍ଭାଳ ତୁମ୍ଭର ଜଗତ ଭଗତ ଏ ଧର୍ମରେ ଯେ ଅଛନ୍ତି,
କାହାରି ମନେ ଛନ୍ଦ ମାୟା ନ ପଶୁ ନିର୍ମଳ କରାଅ ମତି ।
ସାର ଧର୍ମ ବୋଲି ବଚନକୁ ପାଳି ଧରିଅଛନ୍ତି ଆଦ୍ୟରୁ,
ଗୁରୁପାଦ ଧ୍ୟାୟି ଭଣେ ଭୀମ ଭୋଇ ଅସତ୍ୟ ପଶି ନ ପାରୁ ।