ମୋହନ ମାଧୁରୀ

ଉଇକିପାଠାଗାର‌ରୁ
ମୋହନ ମାଧୁରୀ
ଲେଖକ/କବି: ଗୋପାଳକୃଷ୍ଣ ପଟ୍ଟନାୟକ

ମୋହନ ମାଧୁରୀ
(ରାଗ: ବେହାଗ - ଏକତାଳ)


ମୋହନ ମାଧୁରୀ ଦେଖିଥିଲା ନାରୀ
ନିଦ ଯିବ କି ଆଉରିରେ । ପଦ ।

ଦୃଷ୍ଟି ପାତ ଠାରେ ଅନୁ ବରତରେ
ଛବି ଦିଶିବ ତାହାର ରେ
ପାଶକୁ ଆଶିଲା ପରି ଲାଗୁ ଥିବ
ହସି ହସି ବଂଶୀଧାରୀ ରେ । ୧ ।

କି ସହିବ ନାହିଁ କେଉଁ ଦେବତାଙ୍କୁ
ତା ପ୍ରୀତି ପାଇଁ ତୁ ହାରି ରେ
ସବୁ ବରତ କରିବି ବୋଲୁଥିବ
ପାଇଲେ କୁଞ୍ଜ ବିହାରୀ ରେ । ୨ ।

କୃଷ୍ଣ ବୋଲି କେଣେ କାହିଁକି କେ ତେଣେ
ଡାକିଲେ ପୁରୁ ବାହାରି ରେ
ଚଉଦିଗକୁ ଚାହିଁ ମୋର ମୋଦରେ
ହୋଇ ନ ଯିବକି ଘାରିରେ । ୩ ।

କଳିନ୍ଦଜା ତୀରେ ନିକୁଞ୍ଜ କୁଟୀରେ
ନଛାଟ କାଳ ବିଚାରି ରେ
ମିଳିବା ପାଇଁକି କେତେଥର ହେଲେ
ଆଣି ନଯିବକି ବାରିରେ । ୪ ।

ସୁଗୁଣ ସୁନ୍ଦର ପଣଯାକ ଗୁଣି
ଏକାଇ ତାକୁ ହିଆରି ରେ
ବୋଲେ ଗୋପାଳକୃଷ୍ଣ ଜୀବ ଥିଲେକି
ଯିବ ମନରୁ ପାସୋରି ରେ । ୫ ।