ଜଣାଣ

ଉଇକିପାଠାଗାର‌ରୁ
ଜଣାଣ
ଲେଖକ/କବି: ମଧୁସୂଦନ ଦାସ



ଆହେ ବିଶ୍ଵପତି ଘୁଞ୍ଚାଅ ବିସ୍ମୃତି
      ଆଦିମନ୍ତ୍ର ସଦା ଜପୁ ମୋର ମନ,
ଗର୍ଭେ ଥିବା ବେଳେ ପ୍ରତିଶ୍ରୁତ ହେଲି
     ମାତାଙ୍କ ସେବାରେ ଦେବି ମନ ପ୍ରାଣ ।
ଜନ୍ମ ହେଲା କ୍ଷଣି ସ୍ତନ୍ୟଦାନ କରି
      ମାତା ମନ୍ତ୍ର ଦେଲେ, "ପରାର୍ଥେ ଜୀବନ"
ଶିଶୁକାଳ ବ୍ୟାପି ଥିଲି ମନ୍ତ୍ର ଜପି
     ସେ ମନ୍ତ୍ର ଭୁଲିଲି ଲଭିଣ ଯୌବନ ।
ଆଶା ଥିଲା ମନେ ଦେଖିବି ଜୀବନେ
      ଉତ୍କଳମାତାର ସହାସ୍ୟ ବଦନ,
ସେ ଆଶା ତୁଟିଲା ସ୍ବପନ ଭାଙ୍ଗିଲା
     ନ ଦେଖି ଉତ୍କଳେ କରତବ୍ୟ ଜ୍ଞାନ ।