ଏ ଭବେ ପାଇବ କାହିଁ ?
ପ୍ରେମର ଚୁମ୍ବନ ଯାହାକୁ ବୋଲନ୍ତି
ଏ ଭବେ ପାଇବ କାହିଁ ?
ସ୍ୱର୍ଗର ଲତିକା ରୋପିଥିଲେ ଦେବେ
ମାନବେ ଚିହ୍ନିଲେ ନାହିଁ ।
ବାରିଧିର ଜଳ ଚନ୍ଦ୍ରମାମୂରତି
କୋଳରେ ଦୋଳାଇ ନାଚେ,
କିନ୍ତୁ କଳା ମେଘ ଗଗନେ ଦେଖିଲେ
ଚନ୍ଦ୍ରମା ଭୟରେ ଲୁଚେ ।
ପ୍ରେମ ଚୁମ୍ବନର ଏ ନୁହେଁ ଲକ୍ଷଣ
ପ୍ରେମ ବନ୍ଧ ଛିଣ୍ଡେ କାହିଁ ?
ପ୍ରେମର ମିଳନ ଦୁଧ ପାଣି ପରି
ଆଉ ଛଡାଛଡି ନାହିଁ ।
ଫୁଲର ସୁଗନ୍ଧ ପାଇବା ଲୋଭରେ
ଭ୍ରମର ତା' ପାଶେ ଉଡେ,
କିନ୍ତୁ ଭ୍ରମରକୁ ଚୁମ୍ବିବା ଆଶାରେ
ଫୁଲ କି ତା ସ୍ଥାନ ଛାଡେ ।
ରବିର ଉଦୟ ଆକାଶେ ଦେଖିଲେ
କମଳ ତା ଆଖି ମେଲେ,
କିନ୍ତୁ କମଳକୁ ତୁଚ୍ଛ ଜ୍ଞାନ କରି
ରବି ଯାଏ ଅସ୍ତାଚଳେ ।
ପ୍ରୀତିର ମିଳନ ଦୂରୁଁ ଆକର୍ଷଣ
ଚୁମ୍ବନ ତ ସଂଘର୍ଷଣ,
ସଂଘର୍ଷଣ ହେଲେ ହୁତାଶନ ଜଳେ
ଦହିବାକୁ ମନ ପ୍ରାଣ ।
ରବି ଦୂରେ ଥାଇ କିରଣ ବିତରେ
ପ୍ରାଣ ଦାନ କରେ ଜୀବେ,
ରବିର ଚୁମ୍ବନ ହେଲେ ସଙ୍ଘଟନ
ବିପ୍ଳବ ଘଟିବ ଭବେ ।
କଳା ମେଘ ଦେହେ ସୌଦାମିନୀ ହସେ
କବିବର ମନ ତୋଷେ,
ଚପଳା ଆସିଲେ ଚୁମ୍ବନ କରିଲେ
ସମସ୍ତ ଅନ୍ଧାର ଦିଶେ ।