Jump to content

ପୃଷ୍ଠା:Hada bagicha.pdf/୬୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅମାପ କାନ୍ଥ ଭଳି ବାଟ ଓଗାଳୁଥାଏ । ତା ଆଭ୍ୟନ୍ତରକୁ କେହି ଭେଦି ପାରେନାଇଁ । ଶବ୍ଦ ସବୁ ଯୋଡ଼ି ହୋଇ ଭାଷା ହୁଏ ନାହିଁ, ବଂର ଚିତ୍କାର ପରି ଶୁଭେ ଓ ଆମ ଆତ୍ମା ଭିତରକୁ ବୀଜାଣୁପରି ପଶିଯାଇ ଆମକୁ ରୋଗଗ୍ରସ୍ତ କରିପକାଏ । "ଜଣେ ରୋଗୀ ଗାଳ୍ପିକ ଦେଶକୁ ବା ଜାତିକୁ ରୋଗଗ୍ରସ୍ତ କରାଇବା ସ୍ୱାଭାବିକ । ସେ ନିଜ ଅଜାଣତରେ ଦେଶର ସୁସ୍ଥ ମାନସିକତାକୁ ନଷ୍ଟ କରିଦିଏ ।' ଗଳ୍ପର ଚରିତ୍ରମାନେ ହେଉଛନ୍ତି ଜଣେ ଗାଳ୍ପିକର ବ୍ୟକ୍ତିତ୍ୱର ଅଂଶ ବିଶେଷ । ନିଜକଥା ହିଁ ଗଳ୍ପ ଭିତରେ ଲେଖିହୁଏ, ଅନ୍ୟର କଥା ନୁହେଁ । ମୋର ଚରିତ୍ରମାନେ ହେଉଛନ୍ତି ମୋର "ମୁଁ'ର ଅଂଶବିଶେଷ । ଚରିତ୍ରମାନେ ହେଉଛନ୍ତି ମୋର ହାଡ଼-ମାଂସ- ରକ୍ତ, ମୋ ନାମ ଠିକଣା ଆବାସ, ମୋର ବିସ୍ମୟ, ମୋର ସଂଶୟ, ମୋର ରୁଚି-ଅରୁଚି- ସ୍ୱାଦ-ଆହ୍ଳାଦ, ମୋର ସମସ୍ତ "ମୁଁ' । ମୋ ଚରିତ୍ର ସବୁ ମୋ ଯାଯାବର ଗତି, ମୋ ହାହାକାର ସ୍ଥିତି, ମୋ ରଙ୍ଗ-ଢଙ୍ଗ, ମୋର ସ୍ୱାଧୀନତା, ମୋ ଅସହାୟତା, ମୋ ଅହମ୍, ମୋ ପ୍ରାହମ୍, ମୋ ଇତିହାସ, ମୋ ଭବିଷ୍ୟତ ସବୁକିଛି । ଏପରିକି ମୋ ଶବ୍ଦ, ମୋ ନିରବତା, ଏପରିକି ମୋ ଭୃଣାବସ୍ଥା, ମୋ ମେରିଆବସ୍ଥା, ମୋ ଶବାବସ୍ଥା... ଏପରିକି ମୋ ମମ୍ମି, ମୋ କଫିନ୍, ମୋ ପିରାମିଡ ସଭିଏଁ ମୋ ଚରିତ୍ର । ମୁଁ ଏଠି-ସେଠି-ସବୁଠି, ସ୍ୱପ୍ନରେ-ଚିନ୍ତାରେ-ଚେତନାରେ, ସବୁଠି ମୋର ଛିଟା-ସବୁଠି ମୋର ପ୍ରଜ୍ଞା, ବୋଧିନଭରେ ମୁଁ, ବୋଧିଦୃମ ତଳେ ମୁଁ, ବୋଧିସତ୍ୱ ହିଁ ମୁଁ । ଭୂକମ୍ପନର ମୁଁ ହିଁ କେଂଦ୍ର, ବିସ୍ଫୋରଣର ମୁଁ ହିଁ ଅଣୁ, ସୁଚ୍ୟଗ୍ରରେ ମୁଁ, ବୁମେରାଂରେ ମୁଁ । ମୁଁ ସ୍ଥିର, ଇତସ୍ତତଃ, ପ୍ରବାହ, ମୁଁ ହିଲ୍ଲୋଳ, ତରଙ୍ଗ, ଜୁଆର । ମୁଁ ବିମ୍ବର ପ୍ରତିବିମ୍ବ, ପ୍ରତିବିମ୍ବର ପ୍ରତିବିମ୍ବ, ମୁଁ ଧ୍ୱନିର ପ୍ରତିଧ୍ୱନି, ପ୍ରତିଧ୍ୱନି ର ପ୍ରତିଧ୍ୱନି, ମୁଁ ଅଛି, ମୁଁ ନାହିଁ, ମୁଁ ଆକାର, ମୁଁ ନିରାକାର । ତେଣୁ ମୁଁ ହିଁ ଚରିତ୍ର, ମୁଁ ହିଁ ଗଳ୍ପ, ମୁଁ ହିଁ ଗଳ୍ପାଣୁ, ଗଳ୍ପାଣୁର ଗଳ୍ପାଣୁ । ଗଳ୍ପ ହେଉଛି ଏପରି ଅନେକ ଗଳ୍ପାଣୁମାନଙ୍କର ଏକ "କୋଲାଜ' । ଆମ ଶରୀରରୁ, ତାର ଆଭ୍ୟନ୍ତରରୁ, ପରିବେଶରୁ ମହାଶୂନ୍ୟରୁ ପ୍ରତିନିୟତ ଘଟି ଚାଲିଥିବା ଛୋଟ ଛୋଟ ଗଳ୍ପାଣୁମାନଙ୍କୁ "କେଚ' କରି "କୋଲାଜ' କରିବା ହିଁ ହେଉଛି ଗଳ୍ପ । ପୂର୍ବରୁ କେବେ ବି କୁହାଯାଇ ନଥିବା ସୁନ୍ଦରତମ ଗଳ୍ପାଣୁମାନଙ୍କୁ ଛିନିବା କି କଷ୍ଟ! ନିଜର ସମସ୍ତ ଶକ୍ତି ଓ ଅନୁରାଗ ଦେଇ ଗଳ୍ପାଣୁମାନଙ୍କୁ ଆବିଷ୍କାର କରିବାକୁ ହୁଏ । ଗୁଡ଼ାଏ ସମୟ ଦେବାକୁ ହୁଏ । ଭାଷାର ଖୋଳପା ପିନ୍ଧାଇବାକୁ ହୁଏ । ନିଜ ମାନସିକ ଶକ୍ତିକୁ ଘସିମାଜି ତେଜସ୍କ୍ରିୟ କରିବାକୁ କରିବାକୁ ହୁଏ । ତେବେଯାଇ ଗଳ୍ପଟିଏ ଚିନ୍ତା କରାଯାଇ ପାରେ । ଗଳ୍ପମାନେ ପେଡି ଭିତରୁ ବାହାରେ ନାହିଁ । ସୃଷ୍ଟି ବି କରାଯାଏ ନାହିଁ । ଗଳ୍ପମାନଙ୍କର ଧାରାବାହିକ ବିବରଣୀ ନ ଥାଇପାରେ । ଆରୋହ, ଅବରୋହ ନଥାଇପାରେ । ଆଲିଂପନ ବା ପରିପୂର୍ତି ନଥାଇ ପାରେ । ଯାହାଥାଏ ତାହା ହେଉଛି ସମଧର୍ମା ଗଳ୍ପାଣୁମାନଙ୍କର ଏକ ଆୟୋଜନ । ଏକ ବିରାଟ ଭାବସତ୍ତାର ଆୟୋଜନ । ଯେହେତୁ ଆମ ଜୀବନକାଳଟି ମହାକାଳର ଏକ କ୍ଷୁଦ୍ରାଂଶ, ଆମ ଜୀବନରେ ଆରମ୍ଭ ବିନ୍ଦୁ ବା ଶେଷ ବିନ୍ଦୁ ବୋଲି କିଛି ଗୋଟେ ନାହିଁ । ଆମେ ଯେହେତୁ ସବୁବେଳେ ବଦଳୁଥିବା ଅବସ୍ଥାରେ ଥାଉଁ, ତେଣୁ ଆମେ ଲୁହାପରି ମଜଭୁତ ଓ ଅନ୍ତିମ ହୋଇ ପାରିବା ନାହିଁ । ବା ବଣମଣିଷ ପରି ନିର୍ଧାରିତ ଓ ମାର୍କାମରା ହୋଇ ପାରିବା ନାହିଁ । ଏଇ ପ୍ରକୃତି ଯୋଗୁ ଆମମାନଙ୍କର ନିର୍ଦିଷ୍ଟ ଲକ୍ଷ୍ୟକୁ ଟାରଗେଟ କରି ଜୀବନଯାକ ଆମେ ଯାତ୍ରାର "ଆୟୋଜନ'ରେ ଲାଗିଥାଉଁ । ତେଣୁ ସତକଥା ହେଉଛି ଏଇ ଆୟୋଜନ ହିଁ ଆମର ଲକ୍ଷ୍ୟ । ଆୟୋଜନର ପରେ କିଛି ହିଁ ନ ଥାଏ । ପରୀକ୍ଷା ପାଇଁ ପ୍ରସ୍ତୁତି, ପ୍ରେମପାଇଁ ପ୍ରସ୍ତୁତି, ଶିଖର ପାଇଁ ପ୍ରସ୍ତୁତି, ବଞ୍ଚିବା ପାଇଁ ପ୍ରସ୍ତୁତିକୁ ମାନସିକ ସ୍ତରରେ ଗ୍ରହଣ କରିନେଲେ, ଆୟୋଜନ ପାଇଁ ଖୁସୀରେ ଲାଗିବାକୁ ମନହୁଏ । ଆପଣା ସ୍ନେହର ତରଳତାରେ ଘାରିହୋଇ କୋଷ ଭିତରେ ଖୋଷାପୋକ ବଞ୍ଚିବା ଓ ମରିବା ପରି ଆମେବି ନିଜସ୍ୱ ପୃଥିବୀ ଭିତରେ ବଞ୍ଚୁ ଓ ମରୁ । ତେଣୁ ଏଇ