ପୃଷ୍ଠା:Kaunri Kamachandira dese.pdf/20

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭାଗବତ ଓ ଗୀତାର ବର୍ଣ୍ଣନା କରାଯାଇଥିବା ବିଷ୍ଣୁଧର୍ମ ବା ବୈଷ୍ଣବ ଧର୍ମ ସେ ପ୍ରଚାର କରିଥିଲେ । ଏହି ଧର୍ମରେ ଉଚ୍ଚନୀଚ, ଧନୀଗରିବ ବା ଶିକ୍ଷିତ ଓ ଅଶିକ୍ଷିତର ଭେଦଭାବ ନ ଥିଲା । ସେ ଇଶ୍ୱରଙ୍କ କିର୍ତ୍ତୀଗାନ କରିଥିଲେ । ତାଙ୍କୁ ସୁମରଣା କରି, ତାଙ୍କର ନାମ ଗାଇ ଯେ କୌଣସି ଲୋକ ଭକ୍ତ ହୋଇପାରିଥିଲେ । ସଂସାର ଜଞ୍ଜାଳରୁ ଉଦ୍ଧାର ପାଇ ପାରିଥିଲେ । ଏଥିପାଇଁ ସନ୍ନ୍ୟାସୀ ହେବା ଓ କଷ୍ଟରେ ଜୀବନ ଯାପନ କରିବାର ଆବଶ୍ୟକତା ନାହିଁ ବୋଲି ସେ କହୁଥିଲେ ।

ଶଙ୍କର ଦେବଙ୍କର ପ୍ରଚାରିତ ଧର୍ମ ଧାରଣାର ପ୍ରଚାର ପାଇଁ ତାଙ୍କର ପ୍ରିୟ ଶିଷ୍ୟମାନେ ଲାଗିପଡ଼ିଥିଲେ । ସେମାନଙ୍କ ମଧ୍ୟରେ ମାଧବ ଦେବ ଖୁବ୍ ଜଣାଶୁଣା । ସେ ରାମାୟଣ, ମହାଭାରତ ଓ ଭାଗବତ ପୁରାଣ ଆସାମୀ ଭାଷାରେ ଅନୁବାଦ କରିଥିଲେ । ଅବଶ୍ୟ ତାହା ଆକ୍ଷରିକ ଅନୁବାଦ ହୋଇ ନ ଥିଲା । ଆସାମର ସାମାଜିକ ଅବସ୍ଥାକୁ ଚାହିଁ ସେ ସେଥିରେ କେତେକ ପରିବର୍ତ୍ତନ କରିଥିଲେ । ଆନେକ ପୌରାଣିକ ଘଟଣାକୁ ମଧ୍ୟ ସେ ଆସାମୀ ଭାଷାରେ ରଚନା କରିଥିଲେ ।

ଏଗୁଡ଼ିକ ଗୀତରେ ଲେଖା ହୋଇଥିବାରୁ ଯେଉଁମାନେ ପଢ଼ିପାରୁଥିଲେ ସେମାନେ ଆନନ୍ଦ ଅନୁଭବ କରୁଥିଲେ । ସେ ସବୁକୁ ବଡ଼ ପାଟିରେ ପାଠ କରି ନିରକ୍ଷରମାନଙ୍କୁ ଶୁଣାଇ ଆନନ୍ଦ ପାଉଥିଲେ । ଏଥିରେ ସେମାନଙ୍କର ସନ୍ତୋଷ ରହିଥିଲା । ଆଗରୁ ଚଳୁଥିବା ରାଗ ଓ ତାନରେ ସେ ଗୀତି, କବିତାମାନ ଲେଖିଥିଲେ । ସେ ସମୂହ ପ୍ରାର୍ଥନା ଓ ସଂକୀର୍ତ୍ତନରେ ସେ ସବୁ ଗାନ କରିବାର ବ୍ୟବସ୍ଥା କରିଥିଲେ । ପୌରାଣିକ କଥାଗୁଡ଼ିକୁ ନାଟକ ରୂପ ଦେଇଥିଲେ । ସେ ଅଭିନୟ ମଧ୍ୟରେ ଧର୍ମଶିକ୍ଷା ଦେଉଥିଲେ ।

ଶଙ୍କର ଦେବ 'ନାମଘର' ଗାଁ ଗଣ୍ଡାରେ ବସାଇଥିଲେ । ସେଠାରେ ପ୍ରତିଦିନ ଲୋକମାନେ ସମବେତ ହେଉଥିଲେ । ପୁରାଣ ପାଠ, ସଂକୀର୍ତ୍ତନ, ଧର୍ମ ଆଲୋଚନା ଆଦି ହେଉଥିଲା । ସେହି ନାମଘରେ ମଧ୍ୟ ମଧ୍ୟ ସମାଜ ଓ ଧର୍ମର ସମସ୍ୟାମାନ ଆଲୋଚନା କରାଯାଉଥିଲା ।


                              ୨୦