ପୃଷ୍ଠା:Kaunri Kamachandira dese.pdf/47

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆପଣଙ୍କ ପୂରା ନିରାମିଷ ଖାଦ୍ୟ ତ !" ସତକୁ ସତ କିଛି ସମୟ ପରେ ମୋର ଭୋଜନ ପାଇଁ ଖାଦ୍ୟ ଆସିଗଲା । ମୁଁ କେରଳର ରାଜଧାନୀ ତ୍ରିଭେନ୍ଦ୍ରମ୍‌ରେ ଖାଇଥିବା ଖାଦ୍ୟପରି ଲାଗିଲା । ଖାଦ୍ୟ ଭଲ ଲାଗିଲା । କଣ୍ଡକ୍ଟରବାବୁଙ୍କୁ ସାଧୁବାଦ ଜଣାଇଲି ।
ଦୁଇ ପାଖରେ କ୍ଷେତ ଖମାର

ନିଉକୁଚବିହାର ପଡ଼ିଲା । ବଙ୍ଗଳା ମଧ୍ୟରେ ଟ୍ରେନ୍ ଚାଲିଲା । ତିସ୍ତାନଦୀ ଅତିକ୍ରମ କଲୁ । ଖୁବ୍ ବଡ଼ ନଦୀଟିଏ । ଜଳପାଇଗୁଡ଼ି ପରେ ନିଉଜଳପାଇଗୁଡ଼ି ଷ୍ଟେସନ ପଡ଼ିଲା । କଣ୍ଡକ୍ଟରବାବୁ ସେଠାରେ ମୋଠାରୁ ବିଦାୟ ନେଲେ । ମୁଁ ସିଟ୍‌ରୁ ଉଠି ତାଙ୍କ ହାତରେ ମୋ ହାତ ମିଳାଇଲି ।

ବହୁ ସଂଖ୍ୟାରେ ସପୁରୀ ସେଠାରେ ବିକ୍ରୀ ହେଉଅଛି । ସେଥିରୁ କିଛି କିଣିଦେଲି । ଦିଗହଜା ସପୁରୀ କ୍ଷେତମାନ ଲମ୍ବିଯାଇଥିଲା । ପ୍ରଥମେ ମୁଁ ତ ତାହା ସପୁରୀ କିଆରୀ ବୋଲି ଜାଣିପାରି ନ ଥିଲି । ସ୍ଥାନୀୟ ଯାତ୍ରୀମାନଙ୍କୁ ପଚାରି ଏହା ବୁଝିଲି । ବାଉଁଶ ଗଛ ମଧ୍ୟ ଲଗାଇ ବଡ଼ବଡ଼ କିଆରି କରାଯାଇଛି । ସପୁରୀ, ବାଉଁଶ ପ୍ରଭୃତିର କ୍ଷେତ ମୋ ପାଇଁ ନୂଆ ଥିଲା ।

ନଳିତା ଚାଷ ପରେ ଧାନ ଚାଷର ଆୟୋଜନ ଚାଲିଛି । ଗାଈ ମଇଁଷି ଦଳଦଳ ହୋଇ ଚରୁଛନ୍ତି । ଗାଈଆଳ ପିଲା ମଇଁଷି ଉପରେ ବସିଛନ୍ତି ଖୁବ୍ ଆରାମରେ । ଗୋଟିଏ ଜାଗାରେ ଦେଖିଲି ଦୁଇଟି ପିଲା ଗୋଟିଏ ବଡ଼ ମଇଁଷି ପିଠିରେ ବସି ତାସ ପାଲି ପକାଉଛନ୍ତି । ମଇଁଷି ନିଶ୍ଚିନ୍ତରେ ତା'ର ଚରିବାରେ ଲାଗିଛି । ଧାଇଁଥିବା ବସ୍‌ଗୁଡ଼ିକର ଛାତ ଉପରେ ଯାତ୍ରୀମାନେ ବସିଛନ୍ତି । କିଶାନଗଞ୍ଜ ଠାରେ ତ ଦେଖିଲି ଟ୍ରେନ ଛାତ ଉପରେ ଶହ ଶହ ଲୋକ ବସିଛନ୍ତି । ରେଳ ରାସ୍ତାକଡରେ ଆକାଶିଆ ଗଛ ଗୁଡ଼ିକର ଶୋଭା ଖୁବ୍ ସୁନ୍ଦର ଦିଶୁଛି । ନାଲି ନଳିତା କିଆରୀର ଶୋଭା ଭାରି ଭଲ ଲାଗିଲା ।

ମାଲ୍‌ଦାଠାରେ ଟ୍ରେନ ରହିଲା । ସେତେବେଳେ ସନ୍ଧ୍ୟା ୮ଟା । କିଛି ଆମ୍ବ କିଣିଲି ।


                            ୪୭